ଧର୍ମେନ୍ଦ୍ରଙ୍କ ଆକ୍ଷେପ: ମୁଖ୍ୟମନ୍ତ୍ରୀଙ୍କୁ ଅମଲାଙ୍କ ଫେରାଦ
ଭୁବନେଶ୍ୱର: ତଥ୍ୟ କେନ୍ଦ୍ରର ଉଦ୍ଘାଟନୀ ସମାରୋହ ଅବସରରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଅଶୋକ ମୀନାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ସଭାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସର୍ବସମ୍ମୁଖରେ ସଚିବ ଶ୍ରୀ ମୀନାଙ୍କୁ ସମ୍ବୋଧନ କରି କେନ୍ଦ୍ରୀୟ ଯୋଜନାକୁ କେବଳ ରାଜ୍ୟ ନାଁରେ କରାଇ ବାହାବାଃ ନେବା କଥା ଛାଡି ଲୋକଙ୍କ ସ୍ୱାର୍ଥପାଇଁ କାର୍ଯ୍ୟ କରିବାକୁ କହିବା ସହିତ କାହା ଚାପରେ ନରହି ନିଜ ସ୍ୱତନ୍ତ୍ରତା ଭିତରେ କାର୍ଯ୍ୟ କରିବାକୁ କହିଥିଲେ।
ଗତକାଲି ସଭାରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେ ଶ୍ରୀ ମୀନାଙ୍କୁ ଏପରି ଆକ୍ଷେପ କରିବା ଘଟଣାକୁ ଆଇଏଏସ୍ ସଂଘ, ଓଏଫ୍ଏସ୍ ସଂଘ, ଓଏଏସ୍ ସଂଘ, ରାଜସ୍ୱ ଅମଲା ସଂଘ, ସୂଚନା ସେବା ସଂଘ, ଗ୍ରାମ୍ୟ କୃଷି କର୍ମଚାରୀ ସଂଘ, ମୁଖ୍ୟଦପ୍ତର କର୍ମଚାରୀ ସଂଘ, ସଚିବାଳୟ ସେବା ସଂଘ, ଡ୍ରାଇଭର ସଂଘ ଓ ଅନ୍ୟାନ୍ୟ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ପୃଥକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏନେଇ ଆଇଏଏସ୍ ସଂଘ ସମ୍ପାଦକ ବିଶାଳ ଦେବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟରତ ଅଧିକାରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଏଭଳି ଆକ୍ଷେପ ବିରୋଧରେ ଉପଯୁକ୍ତ ଫୋରମରେ ପଦକ୍ଷେପ ଉଠାଇବାକୁ ଦାବି କରିଛନ୍ତି। ଶ୍ରୀ ଦେବ ଦର୍ଶାଇଛନ୍ତି ଯେ ମନ୍ତ୍ରୀଙ୍କ ଏହି ଆକ୍ଷେପ ଦ୍ୱାରା ଅଧିକାରୀଙ୍କ ମନରେ କ୍ଷୋଭ ସୃଷ୍ଟି ହୋଇଛି। କାର୍ଯ୍ୟକ୍ଷେତ୍ରରେ ଅଧିକାରମାନେ ହତୋତ୍ସାହ ହୋଇପଡିଛନ୍ତି। ଆଗାମୀ ଦିନରେ ଏଭଳି ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ଶ୍ରୀ ଦେବ ସ୍ମାରକପତ୍ରରେ ଦର୍ଶାଇଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ, ଅସିତ ତ୍ରିପାଠୀ, ସୌରଭ ଗର୍ଗ, ଅନୁ ଗର୍ଗ, ରଞ୍ଜନା ଚୋପ୍ରା, ରୁପା ମିଶ୍ର ପ୍ରମୁଖ ସାମିଲ ଥିଲେ।
ଅନ୍ୟପକ୍ଷରେ ଓଏଏସ୍ ସଂଘ ସଭାପତି ସରୋଜ କୁମାର ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମଲ କହିଛନ୍ତି ଯେ ଅମଲାମାନେ ନିର୍ଭୟରେ କାର୍ଯ୍ୟ କଲେ ଜନସାଧାରଣଙ୍କ ନିକଟରେ ସରକାରଙ୍କ ଯୋଜନାର ସୁଫଳ ମିଳିପାରିବ। ଯଦି କୌଣସି ଚାପରେ କିଛି କାର୍ଯ୍ୟ କରିବାକୁ ହୁଏ ତେବେ ସେକ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଥାଏ। ଯାହାକି ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆକ୍ଷେପ ଏକ ଅଶୋଭନୀୟ କାର୍ଯ୍ୟକୁ ବୁଝାଉଛି। ଏହି ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ଏଭଳି ଅପ୍ରୀତିକର ପରିସ୍ଥିତି ଯେଭଳି ସୃଷ୍ଟି ନହେବ ଏବଂ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତି ଶୃଙ୍ଖଳାର ସହ ପ୍ରଶାସନକି କାର୍ଯ୍ୟ କରିପାରିବେ ସେଦିଗରେ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରାଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଇନ୍ଦ୍ରମଣି ତ୍ରିପାଠୀ, ପ୍ରକାଶ ମହାନ୍ତି ଓ ପ୍ରଦୀପ କୁମାର ରାଉତ ପ୍ରମୁଖ ସାମିଲ ଥିଲେ।
ସେହିପରି ଓଏଫ୍ଏସ୍ ସଂଘ ପକ୍ଷରୁ ସଭାପତି ନିହାର ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆକ୍ଷେପକୁ ନିନ୍ଦା କରିବା ସହ ଏହି ଘଟଣାର କିଭଳି ପୁନରାବୃତ୍ତି ନହେବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ଓଏଫ୍ଏସ୍ ସହଦେବ ସାହୁ, ସଞ୍ଜୟ କୁମାର ପ୍ରମାଣିକ,ବେବର୍ତ୍ତା ପଟ୍ଟନାୟକ, ତରଙ୍ଗିଣୀ ମିଶ୍ର ପ୍ରମୁଖ ସାମିଲ ଥିଲେ।
ଅପାରଗତା ଲୁଚାଇବାକୁ ଶାସକ ବିଜେଡି ହୀନ ଚକ୍ରାନ୍ତ କରୁଛି: ବିଜେପି
ଭୁବନେଶ୍ୱର:ବିଜେଡି ସରକାର ନିଜର ଅପାରଗତାକୁ ଲୁଚାଇବାକୁ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରି ଭେଦଭାବ କରିବା ଭଳି ହୀନ କାର୍ଯ୍ୟ ଆପଣାଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି। ମଙ୍ଗଳବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ତଥା ଦେଶର ବିକାଶ ପାଇଁ ବୈଷୟିକ ଉପଯୋଗିତା ‘ପ୍ରଗତି’ ମାଧ୍ୟମରେ ବକେୟା ପଡି ରହିଥିବା ବିଭିନ୍ନ ପ୍ରକଳ୍ପଗୁଡିକର ତ୍ୱରିତ କରିବା, ବିଭିନ୍ନ ଜନ ଓ ଗରିବକଲ୍ୟାଣ ଯୋଜନା ପାଇଁ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ ନହୋଇ ଫେରିଯିବା, ରାଜ୍ୟର ପଛୁଆ ଜିଲାଗୁଡିକ ପାଇଁ ପ୍ରଭାରୀ ଅଫିସର ନିଯୁକ୍ତ ଆଦି ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗତକାଲି ଭାଷଣରେ କହିଥିଲେ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରର ମିଳିତ ସହଯୋଗିତାରେ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ କହିଥିଲେ। କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ଇଲେକଟ୍ରୋନିକ୍ସ ଶିଳ୍ପ ବିପ୍ଳବ ପାଇଁ ହାତ ବଢାଇବାକୁ ଅନୁରୋଧ କରିବା କ’ଣ ଭୁଲ ଥିଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଓ ସହଯୋଗରେ ରାଜ୍ୟରେ ଇଲେକଟ୍ରୋନିକ୍ସ କ୍ଲଷ୍ଟର ନିର୍ମାଣ ପାଇଁ ୯୩ କୋଟି ଟଙ୍କାର ଅନୁଦାନ ଦେଇସାରିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ଏହି ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହାକୁ ମନେ ପକାଇବା ସହ ରାଜ୍ୟ ସରକାରଙ୍କୁ କାର୍ଯ୍ୟକାରୀ କରାଇବାକୁ ମନେ ପକାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ’ଣ ଭୁଲ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ବୃଦ୍ଧି ପାଇଥିବା ବ୍ୟାପକ ଭ୍ରଷ୍ଟାଚାର ଓ ପିସି କାରବାର, କେନ୍ଦ୍ରୀୟ ଅନୁଦାନ ବିନିଯୋଗ ହୋଇନପାରି ଫେରିଯିବା, ରାଜ୍ୟର ମାଁ ଓ ଭଉଣୀଙ୍କ ସୁରକ୍ଷା, ଶିଳ୍ପାୟନ, ନିଯୁକ୍ତି, ଦାଦନ, ବେକାରୀ ଆଦି ପ୍ରସଙ୍ଗରେ ପ୍ରଶ୍ନ ପଚାରିଲେ ଶାସକ ବିଜେଡିକୁ ବହୁ ବାଧୁଛି। ଏଭଳି ସମୟରେ ଶାସକ ବିଜେଡି ଅନ୍ୟ କୈାଣସି ଉପାୟ ନପାଇ କେନ୍ଦ୍ରମନ୍ତ୍ରୀଙ୍କୁ ଅପନିନ୍ଦା କରିବାର ଅପପ୍ରୟାସ କରୁଛି। ଏପରିକି ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ପ୍ରୟୋଗ କରି ଷଡଯନ୍ତ୍ର କରୁଛି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି। ଏଭଳି ହୀନ ଏବଂ ନୀନ୍ଦନୀୟ କାର୍ଯ୍ୟରୁ ଶାସକ ବିଜେଡି ଓହରି ଯିବାକୁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି। ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏବଂ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ମନ୍ତ୍ରୀଙ୍କ ଅାକ୍ଷେପ ଦୁର୍ଭାଗ୍ୟଜନକ:ବିଜେଡି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଏଭଳି ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ସେ କହିଛନ୍ତି ଯେ ଯିଏ ଯେତେବଡ ପଦରେ ରହୁ ନା କାହିଁକି ନିଜର ଆଚରଣ ଓ ଉଚ୍ଚାରଣରେ ସଂଜମତା ରହିବା ଆବଶ୍ୟକ। କେନ୍ଦ୍ରରେ ୨ଜଣ ମନ୍ତ୍ରୀ ଥିବାବେଳେ ଶ୍ରୀ ପ୍ରଧାନଙ୍କ କ୍ଷେତ୍ରରେ ଏହିପ୍ରକାର ଆଚରଣ ବାରମ୍ବାର ପରିଲକ୍ଷିତ ହେଉଛି। ଧମକ ଚମକ ଦେଇ ପ୍ରଶାସନିକ ଅଧିକାରୀଙ୍କୁ କରାୟତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର କହିଛନ୍ତି।
ସମନ୍ୱୟରେ ହିଁ ସୁଫଳ:କଂଗ୍ରେସ
ସଂଘୀୟ ବ୍ୟବସ୍ଥାରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକ ହେଲେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ସ୍ୱରୁପ। ଉଭୟଙ୍କ ମଧ୍ୟରେ ସମନ୍ୱୟ ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ରହିଲେ ଯୋଜନାର ଉପକାରିତା ସାଧାରଣ ଲୋକେ ପାଇପାରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶାସନିକ ଅଧିକାରୀଙ୍କୁ ଯଦି ଏଭଳି କିଛି ଆକ୍ଷେପ କରିଛନ୍ତି ତେବେ ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ କହିଛନ୍ତି।