ବିଶ୍ୱାସ-ସମର୍ପଣ ଭାବରେ ମିଳେ ଈଶ୍ୱରଙ୍କ ସାନ୍ନିଧ୍ୟ

0

ଭୁବନେଶ୍ୱର : ଈଶ୍ୱରଙ୍କ ସାରତତ୍ତ୍ୱ ବ୍ରହ୍ମକୁ କେବଳ ଶବ୍ଦରେ ହିଁ ପରିକଳ୍ପନା କରାଯାଇ ପାରେ। ବିଶ୍ୱାସ ଓ ସମର୍ପଣ ଭାବରେ ଇହଜଗତରେ ଈଶ୍ୱରଙ୍କ ସାନ୍ନିଧ୍ୟ ମିଳିପାରିବ ବୋଲି ବିଶିଷ୍ଟ ଲେଖିକା, ଜ୍ଞାନପୀଠ ପୁରସ୍କାର ବିଜୟିନୀ ପଦ୍ମଶ୍ରୀ ଡଃ ପ୍ରତିଭା ରାୟ କହିଛନ୍ତି।
ଇଡକଲ ଅଡିଟୋରିୟମ୍‍ରେ ଗୁରୁବାର ଅପରାହ୍ଣରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଡା. ଦାଶ ଫାଉଣ୍ଡେସନ୍‍ (ଆମେରିକା)ର ମିଳିତ ଆନୁକୂଲ୍ୟରେ ସ୍କନ୍ଦ ପୁରାଣର ଇଂରାଜୀ ସଂସ୍କରଣ ‘ଦ ଗ୍ଲୋରି ଅଫ୍‍ ପୁରୁଷୋତ୍ତମ କ୍ଷେତ୍ର’, ଶ୍ରୀଜଗନ୍ନାଥ ମନ୍ଦିରର ସବିଶେଷ ବିବରଣୀକୁ ନେଇ ରଚିତ ‘ଗ୍ଲୋବାଲ୍‍ ଡାଇରେକ୍ଟୋରୀ ଅଫ୍‍ ଶ୍ରୀ ଜଗନ୍ନାଥ ଟେମ୍ପଲ୍ସ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡଃ ରାୟ କହିଥିଲେ ଆମ ଶାସ୍ତ୍ରରେ ଜୀବନର ସମସ୍ତ ତତ୍ତ୍ୱ ବର୍ଣ୍ଣିତ ହୋଇଛି। ଚାରିଟି ବେଦ ପରେ ପଞ୍ଚମ ବେଦ କୁହାଯାଉଥିବା ପୁରାଣରେ ଆଧ୍ୟାତ୍ମିକତାକୁ ନେଇ ଅନେକ ଉପାଦେୟ ସୂଚନା ରହିଛି। ଆଧ୍ୟାତ୍ମିକତାରୁ ଧର୍ମ ଭାବନାର ଜନ୍ମ। ଯଦି ଆମେ ଏହାକୁ ପାଳନ କରିବା ତେବେ ଆମ ସମାଜରେ ଅନେକ ପରିବର୍ତ୍ତନ ଆସି ପାରିବ। ଭକ୍ତିଭାବ ଓ ସମର୍ପଣ ଧର୍ମର ପରିଭାଷାଠାରୁ ଊର୍ଦ୍ଧ୍ବରେ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ, ସାମ୍ପ୍ରତିକ ସ୍ଥିତିରେ ଈଶ୍ୱରଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବିବଦମାନ ସ୍ଥିତି ସୃଷ୍ଟି ହେଉଛି। ସମାଜରେ ଭଲ କଥା କହୁଥିବା ଲୋକଙ୍କ ଅପେକ୍ଷା କୁତ୍ସାରଟନା କରୁଥିବା ଲୋକଙ୍କ କଥାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି। ଏହା ସତ ଯେ ମିଥ୍ୟା ଉପରେ ସର୍ବଦା ସତ୍ୟର ବିଜୟ ହୋଇଥାଏ। ଏଥିପାଇଁ ଆମେ ସମସ୍ତେ ମିଳିତ ଭାବେ ସ୍ୱର ଉତ୍ତୋଳନ କରିବାକୁ ହେବ। ଆମ ଧର୍ମ, ସଂସ୍କୃତି, ପରମ୍ପରା, ଭାଷାର ସୁରକ୍ଷା କରିବାକୁ ହେବ। ଯୁଗେ ଯୁଗେ ଶ୍ରୀକ୍ଷେତ୍ର ପୁରୀ ମହାତ୍ମା, ସାଧୁସନ୍ଥଙ୍କୁ ଆକର୍ଷିତ କରି ଆସିଛି। ଏହା ହିଁ ଆମ ସଂସ୍କୃତିର ମହାନତା। ଏହା ସବୁଦିନ ପାଇଁ ରୁଦ୍ଧିମନ୍ତ ହେଉଥିବ। ସମ୍ମାନିତ ଅତିଥି ଭାବେ ଏମ୍‍ସର ପୂର୍ବତନ ନିର୍ଦେଶକ ଡା. ଅଶୋକ ମହାପାତ୍ର କହିଥିଲେ, ଏକଦା ଆମେ ଆମ ପରମ୍ପରାରେ ଲୁକ୍କାୟିତ ଆଧ୍ୟାତ୍ମିକତାକୁ ନେଇ ଗର୍ବ ଅନୁଭବ କରୁଥିଲୁ। ଏବେ ଆଧୁନିକତା ଭିତରେ ଆଧ୍ୟାତ୍ମିକତା ହଜି ଯାଉଛି। ଆମ ଭାଷା ଓ ଲିପିର ଅସ୍ତିତ୍ୱ ପ୍ରତି ବିପଦ ଦେଖା ଦେଇଛି। ଗତ ୬୦ବର୍ଷ ମଧ୍ୟରେ ବିଶ୍ୱରୁ ୧୨୦୦ ଭାଷା ଏବଂ ୨୧ ପ୍ରକାର ଲିପି ନିଜର ଅସ୍ତିତ୍ୱ ହରାଇଛନ୍ତି। ଆମକୁ ଏହା ଭୁଲିଯିବା ଉଚିତ୍‍ ନୁହେଁ ଯେ ଆମର ପ୍ରତିଟି ଗତିରେ ଈଶ୍ୱରଙ୍କ ସ୍ୱୀକୃତି ରହିଛି। ମାନବ ଜୀବନର ସଂରଚନା ହେଉ ଅବା ଜଟିଳ ଅସ୍ତ୍ରୋପଚାର, ସବୁଠିଁ ଭଗବାନଙ୍କ ଆଶୀର୍ବାଦ ରହିଛି।
ସ୍ୱାଗତ ଭାଷଣ ଦେଇ ପରିଷଦର ସଭାପତି ଗୋପୀନାଥ ମହାନ୍ତି କହିଥିଲେ, ସ୍କନ୍ଦ ପୁରାଣର ଇଂରାଜୀ ସଂସ୍କରଣ ତଥା ଗ୍ଲୋବାଲ୍‍ ଡାଇରେକ୍ଟୋରୀ ପୁସ୍ତକ ରଚନା ପାଇଁ ଆମକୁ ୫ବର୍ଷ ସମୟ ଲାଗିଥିଲା। ସ୍କନ୍ଦ ପୁରାଣର ଉତ୍କଳଖଣ୍ଡ ଏବେ ଇଂରାଜୀରେ ପ୍ରକାଶ ପାଇବା ଅନେକ ଭକ୍ତଙ୍କ ପାଇଁ ଉପାଦେୟ ହେବ। ଡା. ଦାଶ ଫାଉଣ୍ଡେସନ୍‍ (ଆମେରିକା)ର ଅଧ୍ୟକ୍ଷ ଡଃ ଶୀତକଣ୍ଠ ଦାଶ କହିଥିଲେ, ଅନେକ ଲୋକ ଓଡ଼ିଆ ପଢ଼ି ପାରୁ ନ ଥିଲେ ସୁଦ୍ଧା ପୁରାଣ ଶାସ୍ତ୍ରକୁ ନେଇ ସେମାନଙ୍କର ଅନେକ ଆଗ୍ରହ ରହିଛି। ତେଣୁ ଆମେ ଏହାର ଇଂରାଜୀ ସଂସ୍କରଣ ପ୍ରକାଶ କରିଛୁ। ଏହାଦ୍ୱାରା ଇଂରାଜୀ ମାଧ୍ୟମ ପିଲାମାନେ ବିଶେଷଭାବେ ଉପକୃତ ହେବେ। ଆମ ରାଜ୍ୟର ଗର୍ବ ଗୌରବ ବଜାୟ ରଖିବା ପାଇଁ ଆମକୁ ସମ୍ମିଳିତ ଉଦ୍ୟମ କରିବାକୁ ପଡ଼ିବ। ପରିଷଦର ପରାମର୍ଶଦାତା ତଥା ପୂର୍ବତନ ମୁଖ୍ୟ ସଚିବ ଡଃ ସୁବାସ ପାଣି କହିଥିଲେ, ସମୟର ଆବଶ୍ୟକତାକୁ ଦେଖି ଆମକୁ ଆଧୁନିକତା ଗ୍ରହଣ କରିବାକୁ ପଡ଼ିବ। ଆମେ ଯଦି ଆମର ମୂଳ ତତ୍ତ୍ୱ ଆଧ୍ୟାତ୍ମିକତାଠାରୁ ଦୂରେଇଯିବା ତେବେ ତାହା ସମାଜରେ ବିଭିନ୍ନପ୍ରକାର ଅସ୍ଥିରତାକୁ ଜନ୍ମ ଦେବ। ପୀତବାସ ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ସମ୍ପାଦକ ଦେବେନ୍ଦ୍ର କୁମାର ଦାସ, ଦାଶରଥି ସାମନ୍ତରାୟ, ଶ୍ରୀମନ୍ତ କୁମାର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଫକିରମୋହନ ଭବନରେ ସକାଳ ଅଧିବେଶନରେ ଓଡ଼ିଶାର ବିଭିନ୍ନ ମନ୍ଦିରର ପ୍ରତିନିଧି, ଜିଲାସ୍ତରୀୟ ଚେତନା ସେବା ସମିତିର ପ୍ରତିନିଧି ତଥା ଚେତନା କେନ୍ଦ୍ର ପ୍ରତିନିଧିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

Leave A Reply