୧୫.୫ଲକ୍ଷ ଟଙ୍କା ସହ ପୋଷ୍ଟ ମାଷ୍ଟର ଫେରାର; ନିଖୋଜ ଏତଲା ଦେଲେ ପତ୍ନୀ

ଧାମରା: ଧାମରା ପୋଷ୍ଟ ଅଫିସରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ୨ଦିନ ହେବ ଗାଏବ ଅଛନ୍ତି ବୋଲି ତାଙ୍କ ପତ୍ନୀ ଧାମରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ଖବରରୁ ଜଣାଯାଇଛି, ସତ୍ୟମ ସୁନ୍ଦରମ ମଙ୍ଗଳମ ଦାସ ଦୀର୍ଘ ଦିନ ହେବ ଧାମରା ସବ ପୋଷ୍ଟ ଅଫିସରେ କାର୍ଯ୍ୟରତ। ଗତ ଶନିବାର ଏବଂ ସୋମବାର ଦିନ ସେ ଏହି ପୋଷ୍ଟ ଅଫିସରେ ଥିବା ୧୫.୫ଲକ୍ଷ ଟଙ୍କା(ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ) ଜମା ରାଶିକୁ ନେଇ ଭଦ୍ରକ ମୁଖ୍ୟ ପୋଷ୍ଟଅଫିସକୁ ଜମା କରିବାକୁ ଯାଇଥିଲେ। ସନ୍ଧ୍ୟା ୫ଟା ସମୟରେ ସେ ଧାମରାରୁ ନିଜ ସ୍କୁଟି ଯୋଗେ ବାହାରିଥିବା ବେଳେ ଭଦ୍ରକ ମୁଖ୍ୟ ପୋଷ୍ଟମାଷ୍ଟର, ଧାମରା ସବ୍ ପୋଷ୍ଟମାଷ୍ଟରଙ୍କ ମୋବାଇଲକୁ ଟ୍ରାକ୍‌ କରି ଚାଲିଥିଲେ। ଭଦ୍ରକ(ମାର୍କୋଣା) ପର୍ଯ୍ୟନ୍ତ ସଂପୃକ୍ତ ସବ ପୋଷ୍ଟମାଷ୍ଟରଙ୍କ ମୋବାଇଲ ଟ୍ରାକ୍‌ ହେଉଥିବା ବେଳେ ମାର୍କୋଣାଠାରୁ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ପରେ ଏନେଇ ଭଦ୍ରକ ମୁଖ୍ୟ ପୋଷ୍ଟ ମାଷ୍ଟର ଭଦ୍ରକ/ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଅନୂରୂପ ଭାବେ ଧାମରା ସବପୋଷ୍ଟ ମାଷ୍ଟରଙ୍କ ଧର୍ମପତ୍ନୀ ନିଜର ସ୍ୱାମୀ ନିଖୋଜ ଅଛନ୍ତି ବୋଲି ଧାମରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଧାମରା ଥାନାରେ ୪/୨୩ରେ ଏକ ନିଖୋଜ ମାମଲା ରୁଜୁ ହୋଇଛି। ଏନେଇ ଧାମରା ଥାନାଧିକାରୀ ଧାମରା ସବପୋଷ୍ଟ ଅଫିସ ଆସି ତଦନ୍ତ କରି ଫେରିଯାଇଥିବା ବେଳେ ଆଗାମୀ ଦିନରେ ବିଭାଗୀୟ ଅଧିକାରୀ ଏନେଇ କଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 

Comments are closed.