ବିଡିଓଙ୍କ ‘ଦେଖୁଛି’ରେ ଅଟକିଛି ୩୮ଲକ୍ଷର ସ୍ୱାସ୍ଥ୍ୟସେବା

ଦୀର୍ଘ ବର୍ଷେ ହେବ ଶେଷ ହେଲାଣି ମେଡିକାଲ ପ୍ରସୂତୀ ଗୃହ କାର୍ଯ୍ୟ, ହସ୍ତାନ୍ତରିତ ହେବା ନେଇ ପ୍ରଶ୍ନବାଚୀ

ଧାମରା: ଚାନ୍ଦବାଲି ବିଡିଓ ଜ୍ୟୋତି ବିକାଶ ଦାସଙ୍କ ‘ଦେଖୁଛି’ରେ ଅଟକିଛି ସ୍ୱାସ୍ଥ୍ୟସେବା। ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ବ ହେବ ୩୮ଲକ୍ଷ ଟଙ୍କାର ପ୍ରସୂତୀ ଗୃହ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗୃହ ଧାମରା ମେଡିକାଲକୁ ହସ୍ତାନ୍ତର ହୋଇନାହିଁ ଏବଂ କେବେ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଫଳକ ଅନୁଯାୟୀ, ଧାମରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର)ଠାରେ ଏକ ପ୍ରସୂତୀ ଗୃହର ଆବଶ୍ୟକତା ଥିବା ବେଳେ ୨୦୨୦ ମସିହାରେ ପଂଚାୟତ ସମିତି ପକ୍ଷରୁ ଏକ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ସ୍ଥାପନା ଦିନ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ, ସମ୍ମାନୀତ ଅତିଥି ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷା ମାନସୀ ସାହୁ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକୁ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ ପୌରୋହିତ୍ୟ କରିଥିଲେ। ୩୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା କୋଠା ଗୃହ କାର୍ଯ୍ୟରେ ବହୁ ଅନିୟମିତତା ଦେଖାଦେଇଥିଲା। ଏନେଇ ସ୍ଥାନୀୟ ଅଧିବାସୀ ଏବଂ ବୁଦ୍ଧିଜୀବୀ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ଏହି ଅଭିଯୋଗ ପରେ କିଛି କାର୍ଯ୍ୟରେ ଉନ୍ନତି ହୋଇଥିବା ବେଳେ ବହୁ କାର୍ଯ୍ୟରେ ଅତି ନିମ୍ନ ମାନର ଟାଇଲ, ବେସିନ ଲଗାଇ ସଂପୃକ୍ତ ଠିକାଦାର ଏହି ବିଲ କରିନେଲେ ବୋଲି ଅଂଚଳବାସୀ ଅଭିଯୋଗ ଆଣିଥିଲେ। ମାତ୍ର ଏହି ସମସ୍ତ ଅଭିଯୋଗ ପରେ ମଧ୍ୟ ଆଜି ଭଳି ଦିନରେ ଏହି ମେଡିକାଲକୁ ଆସୁଥିବା ପ୍ରସୂତୀଙ୍କ ପାଇଁ ପ୍ରସୂତୀ ଗୃହ ନଥିବା ବେଳେ ସେମାନଙ୍କୁ ବାଧ୍ୟ ହୋଇ ଧାମରାଠାରୁ ୫୦କି.ମି ଦୂର ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ପଡୁଛି। ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରସୂତୀ ଗୃହ ୨୦୨୧ ମସିହାରେ ସଂପୂର୍ଣ୍ଣ ହୋଇଥିଲା। ସଂପୂର୍ଣ୍ଣ ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ୩୮ଲକ୍ଷ ଟଙ୍କାର ପ୍ରସୂତୀ ଗୃହ ଏନଆରଏଚଏମକୁ କାହିଁକି ହସ୍ତାନ୍ତରିତ ହୋଇନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବିଷୟରେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ‘ଦେଖୁଛି’ ବୋଲି କହିଥିଲେ। ଏହି ‘ଦେଖୁଛି’ ବୋଲି କହି କହି ନିର୍ମାଣର ଦୀର୍ଘ ୨ବର୍ଷ ବିତିଯାଇଥିଲେ ମଧ୍ୟ ଏହି ‘ଦେଖୁଛି’ କେବେ ହସ୍ତାନ୍ତରିତ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟ ପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ, ଏହି ଘର ଏନଆରଏଚଏମକୁ ହସ୍ତାନ୍ତରିତ ହୋଇସାରିଛି ବୋଲି ଖବର ମିଳିବାପରେ ଭଦ୍ରକଠାରେ ଅବସ୍ଥାପିତ ଏନଆରଏଚଏମର ଏସଡିଓ ଏହି ଘର ତାଙ୍କ ବିଭାଗକୁ ହସ୍ତାନ୍ତରିତ ହୋଇ ନାହିଁ ବୋଲି କହିଥିଲେ। ୩୮ଲକ୍ଷ ଟଙ୍କାର ପ୍ରସୂତୀ ଗୃହ କଣ ‘ଦେଖୁଛି’ରେ ଅଟକିବ, ଅଥବା ଆଜି ଭଳି ଦିନରେ ରୋଗୀ ପୁନଶ୍ଚ ୫୦କି.ମି ଦୂରରେ ଥିବା ବାସୁଦେବପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ସବୁଦିନ ରେଫର ହେବେ ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

 

Comments are closed.