ଅସମାନତା ବନାମ ସମାବେଶୀ ବିକାଶ

 

ଶକ୍ତି ପ୍ରସାଦ ଦାସ

ଗତ ଦୁଇ ଦଶନ୍ଧିଧରି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ହାରାହାରି ୬.୮୦ ପ୍ରତିଶତ ହିସାବରେ ବୃଦ୍ଧି ପାଇଥିଲେ ମଧ୍ୟ ଏହା ସମାବେଶୀ ବିକାଶ ଆଣିପାରି ନାହିଁ। ସମ୍ପ୍ରତି, କୋଭିଡ ମହାମାରୀରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଦୟନୀୟ ସ୍ଥିତି ଏହା ହିଁ ବୟାନ କରୁଛି । ଅଚାନକ ଲକଡାଉନ୍ ଘୋଷଣା ଏହାର ଏକମାତ୍ର କାରଣ ନୁହେଁ। କାରଣ ଖୋଜିବାକୁ ଆମକୁ ସମସ୍ୟାର ମୂଳ ପର୍ୟ୍ୟନ୍ତ ପହଞ୍ଚିବାକୁ ହେବ। ସମସ୍ୟାର ବାହାରକୁ ଯାଇ ଚିନ୍ତା କରିବାକୁ ହେବ ।

‘ଅକ୍ସଫାମ’ ସଂସ୍ଥାର ସର୍ବେକ୍ଷଣ ଅନୁଯାୟୀ ୨୦୧୭ ସୁଦ୍ଧା ଭାରତର ଶୀର୍ଷ ୧୦ ପ୍ରତିଶତ ଜନସଂଖ୍ୟା ନିକଟରେ ୭୩ପ୍ରତିଶତ ସମ୍ପତ୍ତି ରହିଥିବାବେଳେ, ଅବଶିଷ୍ଟ ୯୦ ପ୍ରତିଶତ ଲୋକ ୨୭ପ୍ରତିଶତ ସମ୍ପତ୍ତି ପାଇଁ ଅହର୍ନିଶ ଲଢୁଛନ୍ତି । ନ୍ୟୁୟର୍କର ‘ଗ୍ଲୋବାଲ ଫାଇନାନ୍ସ’ ପତ୍ରିକାର “ୱାର୍ଲ୍ଡ ଇନଇକ୍ୱାଲିଟି ରିପୋର୍ଟ-୨୦୧୮” ଅନୁଯାୟୀ ଭାରତର ୱେଲ୍‌ଥ ଜିନି ଇଂଡେକ୍ସ ୮୩ ପ୍ରତିଶତ ରହିଛି। ଅର୍ଥାତ୍‍, ୮୩ ପ୍ରତିଶତ ଲୋକଙ୍କ ନିକଟରେ ସମ୍ପତ୍ତି ଆହରଣ ଦୃଷ୍ଟିରୁ ଅସମାନତା ପରିଦୃଷ୍ଟ ହୁଏ।

prayash

ଦେଶର ଅର୍ଥନୈତିକ ବ୍ୟବସ୍ଥା ସମାଜର ଶ୍ରମିକ ଓ ପୁଞ୍ଜିପତିଙ୍କୁ ସନ୍ତୁଳିତ ଓ ସମାନ ଢଙ୍ଗରେ ବ୍ୟବହାର କରିବାରେ ବିଫଳ ହେଲେ ସାମାଜର ସଂଖ୍ୟାଗରିଷ୍ଠ ଲୋକ ରାଷ୍ଟ୍ରର ଜିଡିପିରୁ ନ୍ୟାଯ୍ୟ ସୁବିଧାସୁଯୋଗ ହାସଲ କରିବାରେ ଅକ୍ଷମ ହୁଅନ୍ତି। ଅହେତୁକ ଅସାମଞ୍ଜସ୍ୟତାକୁ ଦେଖି ଦେଶର ଅର୍ଥନୀତି ପ୍ରତି ଆସ୍ଥା ତୁଟାଇ ଦିଅନ୍ତି। ଦାରିଦ୍ର୍ୟ, କ୍ଷୁଧା, ଅପରାଧ ଓ ସାମାଜିକ-ଅର୍ଥନୈତିକ ବ୍ୟଭିଚାର ବୃଦ୍ଧି ପାଏ। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ମୁକ୍ତ ଅର୍ଥନୀତି ଆପଣାଇବା ପରେ ଦେଶର ଗ୍ରାମାଞ୍ଚାଳ ଓ ସହରାଞ୍ଚଳ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଅସମାନତା ବୃଦ୍ଧି ପାଇବାରେ ଲାଗିଛି।

୨୦୦୮ର ବୈଶ୍ବିକ ସଙ୍କଟ ପରଠାରୁ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଗଭୀର ଅସମାନତା ଧନୀ ଓ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ବଢାଇଦେଇଛି। ଭାରତୀୟ ବିଲିୟନେୟାରଙ୍କର ସମ୍ପତ୍ତି ୨୦୦୪ରେ ୪୯ ବିଲିୟନ ଡ଼ଲାରରୁ ବୃଦ୍ଧି ପାଇ ୨୦୧୭ରେ ୪୭୯ ବିଲିୟନରେ ପହଞ୍ଚିଥିବାର ଯଣାଯାଏ। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ଖାଦ୍ୟ ଓ ଅନ୍ୟାନ୍ୟ ମୌଳିକ ଦ୍ରବ୍ୟ ଓ ସେବାର ଉପଲବ୍ଧତାରେ ସକ୍ଷମ ଓ ବଞ୍ଚିତଙ୍କ ମଧ୍ୟରେ ଅସମାନତା ସ୍ପଷ୍ଟ ବାରି ହୋଇଯାଉଛି। ୨୦୧୭-୧୮ରେ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ଇତ୍ୟାଦି ରାଜ୍ୟ(୨୭% ଜନସଂଖ୍ୟା)ର ଜିଡିପିରେ ୪୦% ଯୋଗଦାନ ଥିବାବେଳେ ବିହାର, ଉତ୍ତରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗ ଇତ୍ୟାଦି ରାଜ୍ୟ(୩୬% ଜନସଂଖ୍ୟା)ଜିଡିପିରେ ମାତ୍ର ୨୦% ଯୋଗ କରିଛନ୍ତି। ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ମୂଳରେ ଏହି ଅସମାନତା ହିଁ ପ୍ରମୁଖ କାରଣ। ଶ୍ରମିକମାନଙ୍କ ମୌଳିକ ଅର୍ଥନୈତିକ ଅଧିକାରକୁ ଦିର୍ଘକାଳ ଧରି ଢାଞ୍ଚାଗତ ଭାବରେ ଅସ୍ୱୀକାର କରାଯିବା ସହିତ ସାମାଜିକ ତଥା ନୈତିକ ଉଦାସୀନତାର ପରିପ୍ରକାଶ ଘଟିଛି ଏହି ମହାମାରୀରେ । ଉଭୟ ରାଷ୍ଟ୍ର ଓ ସମାଜ ନଥିଲାବାଲାଙ୍କୁ ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ବହିଷ୍କାର କରିଛି ।

ଏମାନଙ୍କ ପ୍ରତି ଭେଦଭାବପୂର୍ଣ୍ଣ ସାମାଜିକ ଆଚରଣ ଓ ମନୋଭାବରେ ପରିବର୍ତ୍ତନ ଆଣି ସ୍ୱୀକାରମୂଳକ ନୀତିମାନ ପ୍ରବର୍ତ୍ତନ କରିବାର ଅଛି। ସମାନତାକୁ ଏକ ଆଦର୍ଶ ବିକାଶ ପ୍ରଣାଳୀର ତୃତୀୟ ସ୍ତମ୍ବ ହିସାବରେ ଗ୍ରହଣ କରିବାକୁ ହେବ। ମୁକ୍ତ ଅର୍ଥନୈତିକ ବ୍ୟବସ୍ଥାର ସଂରଚନାଗତ ଦୁର୍ବଳତାକୁ ମୁକାବିଲା କରିବାପାଇଁ ଦେଶକୁ ଅଧିକ ଜନକଲ୍ୟାଣକାରୀ ରାଷ୍ଟ୍ର ହିସାବରେ କାର୍ଯ୍ୟ କରିବାର ଅଛି। ରାଷ୍ଟ୍ର ନିୟନ୍ତ୍ରଣରେ ଥିବା ସାର୍ବଜନୀନ ସମ୍ପତ୍ତିର ତର୍କସଂଗତ ବଣ୍ଟନ ଉପରେ ଧ୍ୟାନଦେବାର ଅଛି।

୨୦୧୮-୧୯ ରେ ଭାରତର ମୋଟ ଟିକସ-ଜିଡିପି ଅନୁପାତ ୧୦.୯ ପ୍ରତିଶତ ରହିଛି। ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଭଳି ବ୍ରିକ୍ସ୍‍ ଦେଶଗୁଡିକରେ ଏହି ହାର ଯଥାକ୍ରମେ ୨୬.୯୦ ଓ ୩୪.୪୦ ପ୍ରତିଶତ ରହିଛି। ନିମ୍ନ ଟିକସ-ଜିଡିପି ଅନୁପାତ ସରକାରଙ୍କୁ ଭିତ୍ତିଭୂମି ବାବଦରେ ଖର୍ଚ୍ଚକାଟ କରିବାକୁ ବାଧ୍ୟ କରୁଛି। ‘ଡାଇରେକ୍ଟ ଟ୍ୟାକ୍ସ-କୋଡ’ର ପ୍ରବର୍ତ୍ତନ ଏହି ଟିକସ ସଂଗ୍ରହ ଅନୁପାଳନରେ ସାହାଯ୍ୟ କରିବ ବୋଲି ଆଶା କରାଯାଏ। ଜିଏସ୍‌ଟିର ସଂରଚନାକୁ ତର୍କସଂଗତ ଭାବରେ ଦୁଇଟି ହାର ଯୁକ୍ତ କରାଗଲେ ଏହା ଟିକସ ଫାଙ୍କି ରୋକିବାରେ ସଫଳ ହେବ। ଅତି-ଧନୀ ଟିକସଦାତାଙ୍କଠାରୁ ଉତ୍ତରାଧିକାର ଟ୍ୟାକ୍ସର ପୁନଃ ପ୍ରବର୍ତ୍ତନ କଥା ବିଚାର କରାଯାଇ ପାରେ। ସମ୍ପତ୍ତିକର ହାର ବୃଦ୍ଧି କରାଯାଇ ପାରେ। ଚାହିଦା ମାନ୍ଦା ଥିବାବେଳେ, କର୍ପୋରେଟ୍ ଟିକସ ରିଆତିକୁ ନିରୁତ୍ସାହିତ କରିବାର ଅଛି ।
ସମାଜର ନିମ୍ନ ୪୦ପ୍ରତିଶତ ଜନସଂଖ୍ୟାର ଆୟ ଶୀର୍ଷ ୧୦ପ୍ରତିଶତଙ୍କ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି କରିବା ପାଇଁ ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବାର ଅଛି । ଚାଲୁ ରହିଥିବା ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକୁ ଫଳପ୍ରଦ ଭାବରେ କାର୍ଯ୍ୟକାରୀ କରିବାର ଅଛି। ୨୦୧୯-୨୦ ବଜେଟ ଅଟକଳରେ ଜିଡିପିର ମାତ୍ର ୩.୧% ଶିକ୍ଷା ଓ ୧.୬% ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରାବଧାନ ରହିଥିବାବେଳେ, ଦକ୍ଷିଣ-ଆଫ୍ରିକାରେ ଶିକ୍ଷା (୬.୧ପ୍ରତିଶତ) ଓ ସ୍ୱାସ୍ଥ୍ୟ (୩.୭ ପ୍ରତିଶତ) ପାଇଁ ଦୁଇଗୁଣରୁ ଅଧିକ ଖର୍ଚ୍ଚ କରାଯାଏ। ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସାର୍ବଜନୀନ ଖର୍ଚ୍ଚ ବୃଦ୍ଧି କରାଯାଇ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବାର ଉଦ୍ୟମ ଆରମ୍ଭ କରିବାର ଅଛି।
ପୁଞ୍ଜିପତି ନିକଟରେ ନିବେଶ ପାଇଁ ପୁଞ୍ଜି ଅଭାବରେ ରାଷ୍ଟ୍ରର ଅଭିବୃଦ୍ଧି କମିବାର ସମ୍ଭାବନା ରହୁଛି । ତେଣୁ, ବୈଜ୍ଞାନିକ ଯୁକ୍ତିସମ୍ପନ୍ନ ଉପାୟରେ ଅର୍ଥନୈତିକ ଅଭିବୃଦ୍ଧି ଓ ଗଣତନ୍ତ୍ରର ସ୍ୱାସ୍ଥ୍ୟ ସହିତ ରାଜନୈତିକ ଅସ୍ଥିରତା ଓ ଅସମାନତା ମଧ୍ୟରେ ଉପଯୁକ୍ତ ସନ୍ତୁଳନ ଆବଶ୍ୟକ। ଅର୍ଥନୈତିକ ଅସମାନତାରୁ ମୁଖ୍ୟ ସ୍ରୋତରୁ କୋଣଠେସା ହୋଇ ରହିଯାଇଥିବା ସିଂହଭାଗ ଜନସଂଖ୍ୟାକୁ ପୁଣି ମୁଖ୍ୟସ୍ରୋତକୁ ଫେରାଇ ଆଣିବାରେ ଆମର ଇଚ୍ଛାଶକ୍ତି, କର୍ପୋରେଟ୍ ଶକ୍ତିଙ୍କ ଆଧିପତ୍ୟର ମୁକାବିଲା କରିବାରେ ଆମର ସାମର୍ଥ୍ୟ ତଥା ସମାଜକୁ ବାନ୍ଧି ରଖିବାରେ ଆମର ସଫଳତା ଦେଶର ଭବିଷ୍ୟତ ଅର୍ଥନୀତିର ଗତି ସ୍ଥିର କରିବ।

kalyan agarbati

Comments are closed.