ଦେଓଗାଁ: ପଞ୍ଚାୟତର ବିକାଶ ପାଇଁ ନିର୍ବାଚନରେ ସରପଞ୍ଚ ଭାବେ ବିଜୟୀ ହୋଇଥିବା ସରପଞ୍ଚ ବାବୁ ଲୋକଙ୍କ ସେବା ବଦଳରେ ଠିକାଦାର ସାଜି କାମ କରୁଛନ୍ତି ଦେଓଗାଁ ବ୍ଲକରେ। କିନ୍ତୁ କାମଗୁଡ଼ିକ ନିମ୍ନ ମାନର ହେଉଥିଲେ ବି ସରପଞ୍ଚ ନିଜେ କାମ କରୁଥିବାରୁ ଲୋକେ ଇଓ କି ବିଡିଓଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ କରୁଛନ୍ତି।ଦେଓଗାଁ ବ୍ଳକ ଅନ୍ତର୍ଗତ ରାମଚନ୍ଦ୍ର ପୁର ପଂଚାୟତର ରାମଚନ୍ଦ୍ରପୁର-ଭଇଶା ରାସ୍ତା ଉପରେ ନିର୍ମାଣ ଚାଲିଥିବା ଦୋକାନ ଗୃହ ଓ ଗ୍ରାମ୍ୟକୃଷି କର୍ମୀ ଅଫିସ ନିର୍ମାଣ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ଏହି କାମ କରିବା ପାଇଁ କେଉଁ ଯୋଜନାରୁ କେତେ ଅନୁଦାନ ଆସିଛି କାମ କରିବା ପୂର୍ବରୁ ସୂଚନା ଫଳକ ଲଗାଇବାର ନିୟମ ଥିଲେ ମଧ୍ୟ ପଞ୍ଚାୟତ କତ୍ତୃପକ୍ଷ ଏହାକୁ ଅଣଦେଖା କରୁଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ମେଟାଲିଂ କାମ ହେବା ବଦଳରେ ବିନା ଯନ୍ତ୍ରୀରେ ଠିକା କାମ କରୁଥିବା ସରପଞ୍ଚ କାମ କରୁଥିବା ଅଭିଯୋଗ ହେଉଛି। ଏପରି କି ଏହି କାମରେ ୬ଟି ବାଲିରେ ଅଧା ଗମଲା ସିମେଣ୍ଟ ଦେଇ କାମ କରୁଥିବା ଶ୍ରମିକମାନେ ପ୍ରକାଶ କରିବାରୁ କାମ କେମିତି ହେଉଛି ତାହା ବାରି ହେଉଛି।
କାମ ବିଷୟରେ ରାମଚନ୍ଦ୍ର ପୁର ସରପଞ୍ଚ ଗୌଡ଼ ଚନ୍ଦନଙ୍କୁ ପଚାରିବାରୁ କାମକୁ ମୁଁ ତଦାରଖ କରୁଛି, ଦୋକାନ ଗୃହ ୨ ଲକ୍ଷ ଓ ଗ୍ରାମ୍ୟ କୃଷି କର୍ମଚାରୀ ଅଫିସ ସାଢ଼େ ୬ ଲକ୍ଷ ଟଙ୍କା ବୋଲି କହିଛନ୍ତି। ଜଣେ ନିର୍ବାଚିତ ଲୋକ ପ୍ରତିନିଧି ତଦାରଖ କରୁଥିବା କାମ ଯଦି ନିମ୍ନ ମାନର ହେଉଛି ତାହେଲେ ସାଧାରଣ ଲୋକ କରୁଥିବା କାମ କେମିତି ହେଉଥିବା ତାକୁ ନେଇ ଆଲୋଚନା ଜାରି ରହିଛି।
ସୂଚନାଯୋଗ୍ୟ ଯେ ଦେଓଗାଁ ବ୍ଲକରେ ଲୋକ ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିବା ଅନେକ ସରପଞ୍ଚ ଓ ସମିତି ସଭ୍ୟ ଠିକା କାମ ପାଇଁ ନିଜ ଭିତରେ କ୍ଷମତା ଲଢେଇ କରୁଛନ୍ତି। କିନ୍ତୁ ଉଭୟଙ୍କୁ ଚକମା ଦେଇ ବ୍ଳକ ଅଧ୍ୟକ୍ଷ କାମକୁ ଅନ୍ୟ ଠିକାଦାର ହାତରେ ଟେକି ଦେଉଥିବା ଦେଖାଦେଇଛି। ଯାହା ଫଳରେ କାମ ଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀଙ୍କ ନାମରେ ଥିଲେ ବି ପିସି ପାଇଁ ହାଟ ଟେକି ଦେଉଛନ୍ତି ଅଧିକାରୀ ମାନେ। ଏଣୁ ଦେଓଗାଁ ବ୍ଲକରେ ହେଉଥିବ ଉନ୍ନୟନ କାମ ଉପରେ ଜିଲ୍ଲା ପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।



