ଦୁଇ ସପ୍ତାହ ମଧ୍ୟରେ ଦିଲ୍ଲୀ ଓ ମହାରାଷ୍ଟ୍ରରେ ବଡ଼ କମ୍ପନ

ସୁପ୍ରିୟା ସୁଲେଙ୍କ ଭବିଷ୍ୟବାଣୀ

ଅଜିତ ପୱାରଙ୍କୁ ନେଇ କଳ୍ପନାଜଳ୍ପନା ଜାରି, ବିଜେପି ସହ ଅଜିତ ମିଶିଲେ ସରକାରରୁ ଶିବସେନା ଓହରିବ

prayash

ମୁମ୍ବଇ : ଏନ୍‌ସିପି ନେତା ଅଜିତ ପୱାରଙ୍କୁ ନେଇ ମହାରାଷ୍ଟ୍ର ରାଜନୀତି ଦୋଦୁଲ୍ୟମାନ ସ୍ଥିତିରେ ଥିବାବେଳେ ତାଙ୍କର ପରବର୍ତ୍ତୀ ପଦକ୍ଷେପକୁ ସବୁ ମହଲ ଅପେକ୍ଷା କରିଛନ୍ତି। ଏହାର ଜବାବରେ ସେ ବଞ୍ଚିଥିବା ଯାଏ ଏନ୍‌ସିପିରେ ରହିବେ, ତାଙ୍କର ବ୍ୟକ୍ତିଗତ ପଦକ୍ଷେପ ନୁହେଁ; ଦଳୀୟ ନିଷ୍ପତ୍ତି ହିଁ ମହତ୍ତ୍ବପୂର୍ଣ୍ଣ। ସେ ବିଧାୟକଙ୍କର କୌଣସି ବୈଠକ ଡାକିନାହାନ୍ତି କିମ୍ବା କାହାରି ଦସ୍ତଖତ ନେଇନାହାନ୍ତି ବୋଲି ଅଜିତ କହିଥିବାବେଳେ ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ ବିସ୍ଫୋରକ ବୟାନ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଉଭୟ ମହାରାଷ୍ଟ୍ର ଓ ରାଜଧାନୀ ଦିଲ୍ଲୀରେ ଦୁଇଟି ବଡ଼ ଧରଣର ରାଜନୈତିକ କମ୍ପନ ସୃଷ୍ଟି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏ ସମ୍ପର୍କରେ ସେ ବିସ୍ତୃତ ଭାବେ କିଛି କହିନଥିବାରୁ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଶିବସେନା ବିଭାଜନ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଅ‌େପକ୍ଷା କରିଥିବା କୁହାଯାଉଛି।
ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଶିବସେନା ମୁଖପାତ୍ର ସଞ୍ଜୟ ସିର୍ସତ୍‌ଙ୍କ କହିବାନୁସାରେ ଅଜିତ ଯଦି ଏନ୍‌ସିପି ଛାଡ଼ି ବିଜେପି କିମ୍ବା ଶିବସେନାରେ ଯୋଗଦିଅନ୍ତି; ତେବେ ଏହା ସ୍ବାଗତଯୋଗ୍ୟ। କିନ୍ତୁ ଏନ୍‌ସିପିର ଗୋଟିଏ ଗୋଷ୍ଠୀକୁ ନେଇ ବିଜେପି ସହ ମିଶିଲେ ତାଙ୍କ ଦଳ ସରକାରରୁ ଓହରିଯିବ। ଏହା ନିଶ୍ଚିତ ଯେ ଶରଦ ପୱାରଙ୍କ ଏନ୍‌ସିପି କୌଣସି ପରିସ୍ଥିତିରେ ବିଜେପି ସହ ହାତ ମିଳାଇବ ନାହିଁ। ପୁଅ ପାର୍ଥ ପୱାର ଗତ ନିର୍ବାଚନରେ ହାରିଯାଇଥିବାରୁ ଅଜିତ ଚିନ୍ତାରେ ଅଛନ୍ତି। ଏଥିସହିତ ୧୬ ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାରେ​ ସୁପ୍ରିମକୋର୍ଟ ରାୟର କୌଣସି ସମ୍ପର୍କ ନାହିଁ। ଏହା ବ୍ୟତୀତ ମହାବିକାଶ ଅଘାଡ଼ି ସରକାର ଅମଳରେ ଉପମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଅଜିତ ଖୋଲା ହାତରେ କାମ କରିପାରୁନଥିଲେ। ସେଥିପାଇଁ ସେ ଅସନ୍ତୁଷ୍ଟ ଥିଲେ ବୋଲି ସିର୍ସତ୍‌ କହିଛନ୍ତି। ଅଜିତ ଜଣେ ଅତ୍ୟନ୍ତ ଦକ୍ଷ ନେତା। ସେ ତରବରିଆ ଭାବେ କୌଣସି ପଦକ୍ଷେପ ନେବେନାହିଁ। ନିକଟରେ ନାଗପୁରରେ ଅନୁଷ୍ଠିତ ମହାବିକାଶ ଅଘାଡ଼ି ମେଣ୍ଟର ଏକ ସଭାରେ ଅଜିତ ବକ୍ତବ୍ୟ ରଖିବାର ସୁଯୋଗ ପାଇନଥିଲେ। ତାଙ୍କ ଦଳର ବିଧାୟକ ସଂଖ୍ୟା ୫୪ ଥିଲାବେଳେ ମାତ୍ର ୧୫ ବିଧାୟକ ଥିବା ଉଦ୍ଧବ ଗୋଷ୍ଠୀକୁ ବୈଠକରେ ଅଧିକ ଗୁରୁତ୍ବ ଦିଆଯାଇଥିଲା। ଏଥିରେ ଅଜିତ ଅପମାନ ବୋଧ କରିଥିଲେ। ସମ୍ପ୍ରତି ମେଣ୍ଟ ପକ୍ଷରୁ ଚାଲିଥିବା ରାଜ୍ୟବ୍ୟାପୀ ଶୋଭାଯାତ୍ରାରେ ଅଜିତଙ୍କ ଭୂମିକାକୁ ଅପେକ୍ଷା କରାଯାଇଛି।
ଅପରପକ୍ଷରେ ବିଜେପି ଅଜିତଙ୍କ ଏନ୍‌ସିପି ଛାଡ଼ିବା ଚର୍ଚ୍ଚାକୁ ଉସ୍‌କାଉଥିବା ବୁଧବାର ଏନ୍‌ସିପି ପକ୍ଷରୁ ଅଭିଯୋଗ କରାଯାଇଛି। ଅଜିତ ତାଙ୍କ ସ୍ଥିତି ସ୍ପଷ୍ଟ କରିସାରିଥିଲେ ମଧ୍ୟ ବିଜେପି କାହିଁକି ଏଭଳି ପ୍ରଚାର କରୁଛି ବୋଲି ପ୍ରଶ୍ନ କରିଛନ୍ତି ଏନ୍‌ସିପି ମୁଖପାତ୍ର କ୍ଳାଇଡ କ୍ରା​‌େ​‌ଷ୍ଟା। ଏପରି ପ୍ରଚାର ଦ୍ବାରା ବିଜେପି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ଚାପ ପକାଉଛି ଏବଂ ଏକନାଥ ଏ ସମ୍ପର୍କରେ ବିଜେପିକୁ ପ୍ରଶ୍ନ କରିବା ଉଚିତ ବୋଲି କ୍ରାଷ୍ଟୋ କହିଛନ୍ତି।

Comments are closed.