ଭୁବନେଶ୍ବର : ଗଭୀର ଅବପାତରେ ପରିଣତ ହେଲା ସାମୁଦ୍ରିକ ଝଡ଼ ‘ମନ୍ଥା’। ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ସମ୍ଭାବନା ରହିଛି। ବର୍ତ୍ତମାନ ଗଭୀର ଅବପାତଟି ଗୋପାଳପୁରଠାରୁ ୯୫୦ କିଲୋମିଟର ଏବଂ କାକିନଡାଠାରୁ ୮୪-୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି। ସ୍ଥଳଭାଗକୁ ଆସିବା ପୂର୍ବରୁ ଏହା ଭୀଷଣ ରୂପ ଧାରଣ କରିବ। ଆସନ୍ତା ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି। ବାତ୍ୟା ‘ମନ୍ଥା’ ସ୍ଥଳଭାଗ ଛୁଇଁବା ସମୟରେ ଆନ୍ଧ୍ରରେ ଘଣ୍ଟାପ୍ରତି ୯୦ରୁ ୧୦୦କି.ମି ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦କି.ମି. ଛୁଇଁପାରେ। ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳରେ ମାଡ଼ ହେଲେ ବି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବ। ଦକ୍ଷିଣ ଓଡ଼ିଶା ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦କି.ମି. ପର୍ଯ୍ୟନ୍ତ ରହିପାରେ ବୋଲି ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମୁଦ୍ର ଅଶାନ୍ତ କାରଣରୁ ମତ୍ସ୍ୟଜୀବୀ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ବନ୍ଦରଗୁଡ଼ିକୁ ୩ନମ୍ବର ବିପଦ ସଙ୍କେତ ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିବାକୁ ଥିବାବେଳେ ଓଡ଼ିଶାକୁ ଅତି ପ୍ରବଳ ବର୍ଷା ଭୟ ରହିଛି। ଶନିବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଅଧିକ ଘନୀଭୂତ ହୋଇ ରବିବାର ଗଭୀର ଅବପାତ ଏବଂ ୨୭ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପରେ ‘ମନ୍ଥା’ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ତା’ପରେ ଗତିପଥ ସାମାନ୍ୟ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ୨୮ତାରିଖ ସକାଳେ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ପରବର୍ତ୍ତୀ କାଳରେ ସେହି ଗତିପଥ ବଜାୟ ରଖି ୨୮ତାରିଖ ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଅତିକ୍ରମ କରିବ। ଅବପାତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ପୋର୍ଟେବ୍ଲୟାରଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମରେ ୪୬୦କି.ମି. ଦୂରରେ କେନ୍ଦ୍ରୀଭୂତ ହେଉଥିବା ବେଳେ ତାମିଲନାଡୁର ଚେନ୍ନଇଠାରୁ ପୂର୍ବ-ଦକ୍ଷିଣ-ପୂର୍ବରେ ୯୫୦କି.ମି., ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବରେ ୯୬୦କି.ମି., ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ ଦକ୍ଷିଣ-ପୂର୍ବରେ ୯୭୦କି.ମି. ଏବଂ ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବରେ ୧୦୩୦ କି.ମି. ଦୂରରେ ରହିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବ ଦକ୍ଷିଣ, ଆଭ୍ୟନ୍ତରୀଣ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପଡ଼ିବ। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବାତ୍ୟା ତା’ର କୋପ ଦେଖାଇବ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୁଲେଟିନ୍ ସୂଚନାନୁଯାୟୀ, ୨୭ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହିତ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଉପରୋକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାରେ ପ୍ରବଳ ବର୍ଷା ହେବ। ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୭ରୁ ୧୧ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଅଛି। ଏହି ଦିନ ଉପରୋକ୍ତ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି. ଏବଂ ସ୍ଥଳବିଶେଷରେ ଘଣ୍ଟାପ୍ରତି ୫୦କି.ମି. ବେଗରେ ପବନ ବହିପାରେ। ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲାକୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ସେଣ୍ଟିମିଟରରୁ ଅଧିକ ବର୍ଷାର ସମ୍ଭାବନା ଅଛି। ଏହି ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୭୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦କି.ମି. ପର୍ଯ୍ୟନ୍ତ ଛୁଇଁପାରେ। ଅନ୍ୟପଟେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲାଗୁଡ଼ିକରେ ୭ରୁ ୨୦ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହିସବୁ ଜିଲାରେ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୭୦କି.ମି. ପର୍ଯ୍ୟନ୍ତ ବହିବା ଆଶଙ୍କା ରହିଛି। ସେହିପରି ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଞ୍ଜକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲାରେ ଘଣ୍ଟା ପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ବହିପାରେ। ଝାରସୁଗୁଡ଼ା, ବରଗଡ଼ ଏବଂ ସମ୍ବଲପୁର ଜିଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ୨୯ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ରାୟଗଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଦିଆଯାଇଛି। ଉକ୍ତ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୭୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୮୦କି.ମି. ଛୁଇଁପାରେ। ସେହିପରି ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୫୦ରୁ ୬୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦କି.ମି. ଛୁଇଁପାରେ। ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପରୋକ୍ତ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ଏବଂ ସ୍ଥଳବିଶେଷରେ ଝଟକା ପବନର ବେଗ ୬୦କି.ମି. ବହିବାର ଆଶଙ୍କା ରହିଛି।
ସୃଷ୍ଟି ହେଲା ଗଭୀର ଅବପାତ
Popular Categories



