ସ୍ଥଳଭାଗ ଅତିକ୍ରମ କରୁଛି ଦାନା, ଭିତରକନିକାରେ ୧ ମିଟର ଉଚ୍ଚ ଜୁଆର

ଡେସ୍କ: ସାମୁଦ୍ରିକ ଝଡ଼ ‘ଦାନା’ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଜାରି ରଖିଛି। ସାମୁଦ୍ରିକ ଝଡ଼ ଭିତରକନିକା ଓ ଧାମରା ମଧ୍ୟରେ ରାତି ୧୨ଟା ୫ ମିନିଟ୍‌ ସମୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହାର ପ୍ରଭାବରେ ଭିତରକନିକାରେ ସମୁଦ୍ରରେ ୧ ମିଟରରୁ ଅଧିକ ଉଚ୍ଚର ଜୁଆର ଆସୁଥିବା ଜଣାପଡ଼ିଛି। ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଛି। ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି। କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ସାମୁଦ୍ରିକ ଝଡ଼ ‘ଦାନା’ରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ସାମୁଦ୍ରିକ ଝଡ଼ ‘ଦାନା’ର କେନ୍ଦ୍ରଭାଗ ସ୍ଥଳଭାଗ ଛୁଇଁବା ପର୍ଯ୍ୟନ୍ତ ପବନର ବେଗ ୧୦୦ରୁ ୧୧୦ ଏବଂ ସ୍ଥଳ ବିଶେଷରେ ଘଣ୍ଟାପ୍ରତି ୧୨୦ କିଲୋମିଟର ରହିବାର ସମ୍ଭାବନା ରହିଛି। ‘ଦାନା’ର କେନ୍ଦ୍ରଭାଗ ସ୍ଥଳଭାଗରେ ସମ୍ପୂର୍ଣ୍ଣ ପ୍ରବେଶ କଲେ ଧୀରେ ଧୀରେ ଏହା ଭୀଷଣ ବାତ୍ୟାରୁ ବାତ୍ୟାକୁ ବଦଳିବ। ବର୍ଷାର ପରିମାଣ ଓ ପବନର ବେଗ ହ୍ରାସ ପାଇବ। ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହା ଗଭୀର ଅବପାତ ଓ ପରେ ଅବପାତରେ ପରିଣତ ହେବ। ସେ କହିଛନ୍ତି…

ସାମୁଦ୍ରିକ ଝଡ଼ ‘ଦାନା’ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ ଏବଂ କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୭ ସେଣ୍ଟିମିଟରରୁ ୨୦ ସେଣ୍ଟିମିଟର ଏବଂ କେତେକ କ୍ଷେତ୍ରରେ ୨୦ ସେଣ୍ଟିମିଟରରୁ ମଧ୍ୟ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ବାତ୍ୟା ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିିଥିଲେ। ପରେ ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ମଧ୍ୟରାତ୍ରୀ ସୁଦ୍ଧା ୫ ଲକ୍ଷ ୮୪ ହଜାର ୮୮୮ ଜଣଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ୮ ହଜାର ୩୮୨ଟି ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଛି । ବାଲେଶ୍ୱର ଜିଲ୍ଲାର ସର୍ବାଧିକ ୧ ଲକ୍ଷ ୭୨ ହଜାର ୯୧୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୧ଲକ୍ଷ, ଭଦ୍ରକ ଜିଲ୍ଲାରେ ୭୫ ହଜାର, ଯାଜପୁର ଜିଲ୍ଲା ୫୮ ହଜାର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ୪୬ ହାଜରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ୪ ହଜାର ୪୩୧ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ହଜାର ୬୦୦ ଜଣ ମହିଳା ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ସମସ୍ତ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହି ସମୟ ମଧ୍ୟରେ ୧୯ ହଜାର ୪୭୬ଟି ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।

ସାମୁଦ୍ରିକ ଝଡ଼ ‘ଦାନା’ର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅବଗତ ହେବା ପରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସାମୁଦ୍ରିକ ବାତ୍ୟା ‘ଦାନା’ ସ୍ଥଳଭାଗ ସ୍ପର୍ଶ କରିବାପରେ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ- ଏନ୍‌ଡିଆରଏଫ୍‌, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ବାହିନୀ- ଓଡ୍ରାଫ୍‌, ଅଗ୍ନିଶମ ବିଭାଗ ଏବଂ ସମୁଦ୍ରରେ ମୁତୟନ ହୋଇଥିବା ନୌସେନାର ସ୍ୱତନ୍ତ୍ର ବୁଡ଼ାଳି ଓ କାର୍ଯ୍ୟଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ବିଦୁ୍ୟତ, ପାନୀୟଜଳ, ଅନ୍ୟ ବିଭାଗଗୁଡ଼ିକ ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି।

Comments are closed.