ସାଇବର ଅପରାଧ : ୬ ବର୍ଷରେ ୧୪୭୫ ମାମଲା: ଲୁଟିଲେଣି ୧୯ କୋଟି; ୫୮ ଲକ୍ଷ ଜବତ

ଭୁବନେଶ୍ବର: ସାଇବର ଅପରାଧ ରୋକିବା ପୁଲିସ ପାଇଁ ଆହ୍ବାନ ହୋଇଛି। ସାଇବର ଠକଙ୍କୁ ଧରିବା ଓ ସେମାନଙ୍କ ନିକଟରୁ ଲୁଟ୍‌ ସମ୍ପତ୍ତି ଉଦ୍ଧାର କରିବାରେ ପୁଲିସ ବିଫଳ ହୋଇଛି। ସାଇବର ଅପରାଧ କେବଳ ରାଜ୍ୟ ନୁହେଁ, ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଗତ ୬ ବର୍ଷ ମଧ୍ୟରେ ସାଇବର ଲୁଟିଆ ବିଭିନ୍ନ ଉପାୟରେ ୧୯ କୋଟି ୪ ଲକ୍ଷ ୩୫ ହଜାର ୬୨୬ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ୧୮୮୫ଟି ମାମଲା ରୁଜୁ କରି ତଦନ୍ତ କରିଥିଲା। ଲୁଟ୍‌ ଟଙ୍କା ମଧ୍ୟରେ ପୁଲିସ ୫୮ ଲକ୍ଷ ୪୧ ହଜାର ୧୯୮ ଟଙ୍କା ଜବତ କରିବାରେ ସକ୍ଷମ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଖିଥିବା ଉତ୍ତର ଅନୁସାରେ, ୨୦୧୯ରୁ ୨୦୨୪ ନଭେମ୍ବର ୩୦ ସୁଦ୍ଧା ୧୪୭୫ଟି ଅନ୍‌ଲାଇନ୍‌ ଠକେଇ ମାମଲା ହୋଇଛି। ଏହାମଧ୍ୟରୁ କେବଳ ଭୁବନେଶ୍ବରରେ ୧୨୪ ମାମଲା ରୁଜୁ ହୋଇଛି। ସମୁଦାୟ ୧୬ କୋଟି ୧୮ ଲକ୍ଷ ୯୫ ହଜାର ୭୧୦ ଟଙ୍କା ସାଇବର ଠକ ଲୁଟି ନେଇଛନ୍ତି। ପୁଲିସ ୩୮ ଲକ୍ଷ ୪୪ ହଜାର ୬୬୭ ଟଙ୍କା ଜବତ କରିଛି। ‌ସେହିପରି ୭୩ଟି ବ୍ୟାଙ୍କ ଠକେଇ ମାମଲା ରୁଜୁ ହୋଇଛି। ଏଥିରେ ଅପରାଧୀ ୭୪ ଲକ୍ଷ ୮୩ ହଜାର ୬୫୬ ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ମାମଲାର ତଦନ୍ତ କରିବା ପରେ ୧୫ ଲକ୍ଷ ୨୮ ହଜାର ୨୦୦ ଟଙ୍କା ପୁଲିସ ଜବତ କରିଛି। ଏଟିଏମ୍‌ ଠକେଇ ନେଇ ରାଜ୍ୟରେ ୩୩୭ଟି ମାମଲା ରୁଜୁ ହୋଇଥିବା ବେଳେ ଲୁଟିଆ ୨ କୋଟି ୧୦ ଲକ୍ଷ ୫୬ ହଜାର ୨୬୦ ଟଙ୍କା ଲୁଟି ନେଇଛନ୍ତି। ମାମଲାର ତଦନ୍ତ କରିବା ପରେ ପୁଲିସ ଲୁଟ୍‌ ଟଙ୍କାରୁ ମାତ୍ର ୪ ଲକ୍ଷ ୬୮ ହଜାର ୩୧୧ ଟଙ୍କା ଜବତ କରିଛି।
ତଥ୍ୟ ଅନୁସାରେ ସାଇବର ଅପରାଧରେ କମିସନରେଟ ପୁଲିସ ସର୍ବାଗ୍ରେ ରହିଛି। ଅନ୍‌ଲାଇନ୍‌ ଠକେଇକୁ ନେଇ ଭୁବନେଶ୍ବର ୟୁପିଡ଼ିରେ ୧୨୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୮ଟି ମାମଲା ତଦନ୍ତ ପରିସରଭୁକ୍ତ ରହିଛି। ୬ଟି ମାମଲାର ତଦନ୍ତ ଶେଷ ହୋଇଛି। ସାଇବର ଅପରାଧୀ ୪୪ ଲକ୍ଷ ୨୩ ହଜାର ୮୬୪ ଟଙ୍କା ଲୁଟି ନେଇଛନ୍ତି। ପୁଲିସ ୩ ଳକ୍ଷ ୨୦ ହଜାର ଜବତ କରିଛି। କଟକ ୟୁପିଡ଼ିରେ ୬୫ଟି ମାମଲା ହୋଇଥିବା ବେଳେ ଦୁର୍ବୃତ୍ତ ୬୨ ଲକ୍ଷ ୭୯ ହଜାର ୮୮୬ ଟଙ୍କା ଲୁଟି ନେଇଛନ୍ତି। ଅଭିଯୋଗ ପରେ ପୁଲିସ ୧ ଟଙ୍କା ବି ଜବତ କରିବାରେ ସକ୍ଷମ ହୋଇନାହିଁ। ସେହିପରି ଏଟିଏମ୍‌ ଠକେଇ ନେଇ ଭୁବନେଶ୍ବର ୟୁପିଡ଼ିରେ ୮ଟି ମାମଲା ରୁଜୁ ହୋଇଥିବା ବେଳେ ୩ ଲକ୍ଷ ୪୫ ହଜାର ୫୫୩ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ବ୍ୟାଙ୍କ ଠକେଇ ନେଇ ୮ଟି ମାମଲା ରୁଜୁ ହୋଇଥିବା ବେଳେ ୪ ଲକ୍ଷ ୧୯ ହଜାର ୨୮୯ ଟଙ୍କା ସାଇବର ଅପରାଧୀ ଲୁଟି ନେଇଛନ୍ତି। ବ୍ୟାଙ୍କ ଓ ଏଟିଏମ ଠକେଇରେ ପୁଲିସ ଲୁଟ ଟଙ୍କା ଜବତ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଟିଏମ୍‌ ଠକେଇ ନେଇ କଟକ ୟୁପିଡ଼ିରେ ୫ଟି ମାମଲା ହୋଇଥିବା ବେଳେ ୯୮ ହଜାର ୬୦୨ ଟଙ୍କା ଲୁଟ ହୋଇଛି। ବ୍ୟାଙ୍କ ଠକେଇ ନେଇ ୭ଟି ମାମଲା ହୋଇଥିବା ବେଳେ ୬ ଲକ୍ଷ ୬୧ ହଜାର ୯୭୮ ଟଙ୍କ‌ା ସାଇବର ଅପରାଧୀ ଲୁଟି ନେଇଛନ୍ତି। ମାମଲାର ପୁଲିସ ତଦନ୍ତ ଜାରି ରଖିଛି। ହେଲେ ଲୁଟ୍‌ ଟଙ୍କା ଜବତ କରିବାରେ କଟକ ୟୁପିଡ଼ି ସମ୍ପୂର୍ଣ୍ଣ ବିଫଳ ହୋଇଛି।

Comments are closed.