ଛିଣ୍ଡା ହାତ ଯୋଡ଼ି ହେଲା
କଟକ : ଗୋପାଳପୁର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ଯୁବକର ଛିଣ୍ଡା ହାତକୁ ଡାକ୍ତରମାନେ ଯୋଡିବାରେ ସଫଳ ହୋଇଛନ୍ତି। ଅସ୍ତ୍ରୋପଚାର ପରେ ସମ୍ପୃକ୍ତ ଯୁବକଙ୍କ ହାତକୁ ରକ୍ତ ସଂଚାଳନ ହେଉଛି। ଯୁବକଙ୍କ ଛିଣ୍ଡା ହାତ ସ୍ୱାଭାବିକଭାବେ କାର୍ଯ୍ୟ କରିବାକୁ ୬ମାସ ଲାଗିବ ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି।
ଟାଙ୍ଗୀ-ଚୌଦ୍ୱାର ମାଦହପୁର ଅଞ୍ଚଳର ଧନଞ୍ଜୟ ଜେନା(୨୫) ଗତ ୨୯ତାରିଖରେ ଏକ କାରଖାନାରେ କାର୍ଯ୍ୟ କରୁଥିବାବେଳେ ମେସିନରେ ଡାହାଣ ହାତ ପଶି ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିଲା। ଗୁରୁତର ଅବସ୍ଥାରେ ଧନଞ୍ଜୟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଗୋପାଳପୁରସ୍ଥିତ ଏସବିଏମ ପ୍ଲାଷ୍ଟିକସର୍ଜରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛିଣ୍ଡି ଯାଇଥିବା ହାତକୁ ବରଫରେ ସଂରକ୍ଷିତ ରଖି ପରିବାରଲୋକେ ହସ୍ପିଟାଲକୁ ଆଣିଥିଲେ। ଡାକ୍ତର ବିଭୂତି ନାୟକଙ୍କ ନେତୃତ୍ୱରେ ଡାକ୍ତର ନୀଳମଣି ମହାନ୍ତି, ଡାକ୍ତର ସୁଧିର, ଡା. ଆଶିଷ ଏବଂ ନିଶ୍ଚେତକ ଡାକ୍ତର ପ୍ରମୋଦ ପଲେଇ ୮ଘଣ୍ଟା ପରିଶ୍ରମ କରି ଧନଞ୍ଜୟଙ୍କ ଛିଣ୍ଡି ଯାଇଥିବା ହାତକୁ ଯୋଡିବାରେ ସଫଳ ହୋଇଥିଲେ। ଅସ୍ତ୍ରୋପଚାର ପରେ ଧନଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ବର୍ତ୍ତମାନ ଧନଞ୍ଜୟଙ୍କ ଛିଣ୍ଡି ଯାଇଥିବା ହାତରେ ରକ୍ତ ସଂଚାଳନ ସ୍ୱାଭାବିକ ହେଉଛି। ୬ମାସ ମଧ୍ୟରେ ତାଙ୍କ ହାତ ସ୍ୱାଭାବିକଭାବେ କାର୍ଯ୍ୟ କରିବ ବୋଲି ଡାକ୍ତର ନାୟକ ସୂଚନା ଦେଇଛନ୍ତି।