bjd gruha runa

ଲଘୁଚାପ ଜନିତ ମାତ୍ରାଧିକ ବୃଷ୍ଟିପାତ ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ ପରାମର୍ଶ

BJD Bijuli 480×75 Mob

ସାଂପ୍ରତିକ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଅଛି। ଏହି ପରିସ୍ଥିତିରେ ଫସଲ ସୁପରିଚାଳନା ପାଇଁ ଚାଷୀଭାଇମାନଙ୍କୁ ନିମ୍ନୋକ୍ତ କୃଷି ପରାମର୍ଶ ପ୍ରଦାନ କରାଯାଉଛି।
ଧାନ :
• ଧାନ ଜମିରୁ ପାଣି ନିଷ୍କାସନ କରିବାର ବ୍ୟବସ୍ଥା କରନ୍ତୁ।
• ତଳି ରୁଆ ନଯାଇ ତଳିଘରାରେ ରହିଯାଇଥିଲେ ତଳିଘରାରୁ ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ।
• ବୁଣା ହୋଇଥିବା ଜମିରେ ଶତକଡ଼ା ୫୦ ଭାଗରୁ ଅଧିକ ଗଛ ସଂଖ୍ୟା ଥିଲେ ବେଉଷଣ ନ କରି ଏକର ପ୍ରତି ୮୦ ଗ୍ରାମ୍ ବିସ୍ପାଇରିବ୍ୟାକ୍ ସୋଡ଼ିୟମ୍ ତୃଣକମାରୀ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ କିମ୍ବା ହାତରେ ଘାସ ବାଛି ଦିଅନ୍ତୁ। ଜମିରେ ଖେଳୁଆ କରି ଆବଶ୍ୟକ ଗଛ ସଂଖ୍ୟା ରଖନ୍ତୁ ଓ ୨୫% ଅତିରିକ୍ତ ପଟାସ ସାର ପ୍ରୟୋଗ କରନ୍ତୁ। ଏହାର ୧୫ ଦିନ ପରେ ଅନୁମୋଦିତ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ।
• ବୁଣାଧାନ ଜମିରେ ୫୦% ରୁ ଅଧିକ ଗଛ ନଷ୍ଟ ହୋଇଥିଲେ, ଜଳ ନିଷ୍କାସନ କରି ଅପେକ୍ଷାକୃତ କମ୍ ଅବଧିର କିସମକୁ ଗାଲି ଗଜା କରି ୮ ଧାଡ଼ିଆ ଡ୍ରମ୍ ସିଡର ସାହାଯ୍ୟରେ ୨୦ ସେ.ମି. ବ୍ୟବଧାନରେ ବୁଣନ୍ତୁ। ମୂଳସାର ହିସାବରେ ସମ୍ପୂର୍ଣ୍ଣ ଫସ୍ଫରସ୍ ଓ ୫୦% ପଟାସ୍ ସାର ପ୍ରୟୋଗ କରନ୍ତୁ ଓ ବୁଣିବାର ୧୫ ଦିନ ପରେ ୫୦% ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ।
• ରୁଆ ହୋଇଥିବା ଜମିରେ ବନ୍ୟା ଦ୍ୱାରା ଧାନ ଫସଲ କ୍ଷତିଗ୍ରସ୍ତ ହୋଇ ଆବଶ୍ୟକୀୟ ଗଛ ସଂଖ୍ୟା ନଥିଲେ, ପାଣି କମିଗଲା ପରେ ଜମିର ଅନ୍ୟ ଭାଗରେ ଥିବା ଧାନଗଛ ବୁଦାକୁ ଚିରି ପିଲ ଆଣି ଶୂନ୍ୟସ୍ଥାନ ପୂରଣ କରନ୍ତୁ ଏବଂ ୨୫% ଅତିରିକ୍ତ ପଟାସ୍ ସାର ପ୍ରୟୋଗ କରନ୍ତୁ କିମ୍ବା ତଳି ପଟାଳିରେ ତଳି ଉପଲବ୍ଧ ଥିଲେ ବନ୍ୟା ଜଳ ନିଷ୍କାସନ ପରେ ୪୦-୫୦ ଦିନିଆ ବୟସ୍କ ତଳିକୁ କମ୍ ଦୂରତାରେ (୧୫ ଙ୍ଘ ୧୦ ସେ.ମି.) ବୁଦା ପ୍ରତି ଅଧିକ ତଳି (୪ ରୁ ୫ ଟି) ରୁଅନ୍ତୁ। ମୂଳସାର ହିସାବରେ ୫୦% ଯବକ୍ଷାରଜାନ, ସମସ୍ତ ଫସ୍ଫରସ୍ ଓ ୫୦% ପଟାସ ସାର ପ୍ରୟୋଗ କରନ୍ତୁ। ରୋଇବା ପୂର୍ବରୁ ତଳି ଉପରେ ପଟୁ ମାଡ଼ି ଯାଇଥିଲେ ଭଲଭାବରେ ପାଣି ସିଂଚନ କରି ଧୋଇ ଦିଅନ୍ତୁ।
• ଧାନ ରୋଇବାର ୪ ଦିନ ଭିତରେ ଏକର ପ୍ରତି ୮୦ ଗ୍ରାମ୍ ପାଇରାଜୋସଲ୍ଫ୍ୟୁରନ୍ ଇଥାଇଲ୍ କିମ୍ବା ୪ କି.ଗ୍ରା. (ବେନ୍ସଲ୍ଫ୍ୟୁରନ୍ ମିଥାଇଲ୍ + ପ୍ରେଟିଲାକ୍ଲୋର) ଘାସମରା ବିଷ ପ୍ରୟୋଗ କରନ୍ତୁ ନଚେତ୍ ରୋଇବା ବା ବୁଣିବାର ୨୧ ଦିନ ବେଳକୁ ଏକର ପ୍ରତି ୮୦ ଗ୍ରାମ୍ ବିସ୍ପାଇରିବ୍ୟାକ୍ ସୋଡ଼ିୟମ୍ କିମ୍ବା ୩୭ ଗ୍ରାମ୍ ପେନେକୁଲାମ୍ ୨୦୦ ଲିଟର ପାଣିରେ ମିଶାଇ ଫ୍ଲଡଜେଟ୍ କିମ୍ବା ଫ୍ଲାଟ୍ ଫ୍ରାନ୍ ନୋଜେଲ ଦ୍ୱାରା ସିଂଚନ କରନ୍ତୁ।
• ବନ୍ୟାଜଳ ନିଷ୍କାସିତ ହେବା ପରେ ଏକର ପ୍ରତି ୮ କି.ଗ୍ରା. ଯବକ୍ଷାରଜାନ ସାର ତୁରନ୍ତ ପ୍ରୟୋଗ କରନ୍ତୁ।
• ବନ୍ୟା ପରେ ପରେ ରୁଆ ବା ବୁଣା ହୋଇଥିବା ଜମିରେ ପାଣି ଜମି ରହି ଲୌହ ବିଷାକ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାଦ୍ୱାରା ଗଛ ପିଲ ମାରେ ନାହିଁ ଓ ଚେର ଗୁଡ଼ିକ ନଷ୍ଟ ହୋଇ ଗଛ ହଳଦିଆ ପଡ଼ି ଗଛ ବୃଦ୍ଧି ହୁଏ ନାହିଁ। ଏପରି ସ୍ଥଳେ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ ଓ ଏକର ପ୍ରତି ୧୦ କି.ଗ୍ରା. ପଟାସ୍ ସାର ସହିତ ୧୦ କି.ଗ୍ରା. ଜିଙ୍କ୍ ସଲ୍ଫେଟ୍ ଅଣୁସାର ପ୍ରୟୋଗ କରି କିଆରୀରେ ଭଲ ଭାବେ ଚାଲି ଯାଆନ୍ତୁ।

• ମାତ୍ରାଧିକ ବର୍ଷା ତଥା ବନ୍ୟା ପରେ ନାଳ, ନଦୀ ଓ କେନାଲ ନିକଟବର୍ତୀ ତଳିଘେରା ଓ ମୁଖ୍ୟ ଧାନ ଫସଲରେ ଲେଡ଼ା ପୋକର ପ୍ରାଦୁର୍ଭାବ ଦେଖାଦେଇ ପାରେ। ଏଥିପାଇଁ ଉପରବେଳା (୪ ରୁ ୬ ଘଟିକା ମଧ୍ୟରେ) ଏକର ପ୍ରତି ୪୦୦ ମି.ଲି (କ୍ଲୋରୋପାଇରିଫସ୍ + ସାଇପରମେଥ୍ରୀନ୍) କିମ୍ବା (ପ୍ରୋଫେନୋଫସ୍ + ସାଇପରମେଥ୍ରୀନ୍) କିମ୍ବା (କୁଇନାଲ୍ଫସ୍ + ସାଇପରମେଥ୍ରୀନ୍) ଅଥବା ୩୦୦ ମି.ଲି. ଲାମ୍ବଡ଼ା ସାଇହାଲୋଥ୍ରୀନ୍ ୨୦୦ଲିଟର ପାଣିରେ ମିଶାଇ ଫସଲ ଓ ଜମି ହୁଡ଼ାରେ ସିଂଚନ କରନ୍ତୁ। ଲେଡ଼ାପୋକର ଶୂକମାନେ ଗୋଟିଏ କ୍ଷେତରୁ ଅନ୍ୟ କ୍ଷେତକୁ ମାଡ଼ିଯିବାର ସମ୍ଭାବନା ଥିବାରୁ କୀଟନାଶକ ସିଂଚନ ପରେ ଆକ୍ରାନ୍ତ କ୍ଷେତର ଚାରିପଟ ହିଡ଼ରେ ବହଳ ଭାବରେ କ୍ଲୋରୋପାଇରିଫସ୍ ୧.୫% ଗୁଣ୍ଡ ସିଂଚନ କରନ୍ତୁ। ଧାନ କିଆରୀ ନିକଟରେ ଆଲୋକ ଯନ୍ତା ବସାଇ ପୂର୍ଣ୍ଣାଙ୍ଗ ପୋକକୁ ଧରି ନଷ୍ଟ କରି ଦିଅନ୍ତୁ।
• ଅଧିକ ବର୍ଷା ହେତୁ ସହଳ ରୁଆଧାନରେ ପତ୍ରମୋଡ଼ା ପୋକର ପ୍ରାଦୁର୍ଭାବ ଅଧିକ ହୋଇପାରେ। ଏହି ସ୍ଥାନରେ ଅନୁମୋଦିତ ପରିମାଣରୁ ଅଧିକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ ଓ ଜମିରେ କାର୍ବୋଫ୍ୟୁରାନ୍ ଜାତୀୟ ଦାନାଦାର ବ୍ୟବହାର କରନ୍ତୁ ନାହିଁ। ପ୍ରତି ଲିଟର ପାଣିରେ ୨ ମି.ଲି. ଫିପ୍ରୋନିଲ୍ କିମ୍ବା ୨ ଗ୍ରାମ୍ ହିସାବରେ କାର୍ଟାପ୍ ହାଇଡ୍ରୋକ୍ଲୋରାଇଡ଼୍ କୀଟନାଶକ ବିଷ ମିଶାଇ ସିଂଚନ କରନ୍ତୁ।
• ବର୍ତମାନ ପରିସ୍ଥିତିରେ ଅଧିକ ବର୍ଷା ହେତୁ ଧାନ ଫସଲରେ ପତ୍ର ଆଚ୍ଛାଦ ପଚା ରୋଗ ଅଧିକ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ମି.ଲି. ହେକ୍ସାକୋନାଜୋଲ୍ କିମ୍ବା ଭାଲିଡାମାଇସିନ୍ ମିଶାଇ ସିଂଚନ କରନ୍ତୁ। ରୋଗ ସଂକ୍ରମଣର ତୀବ୍ରତା ଅଧିକ ଦୃଷ୍ଟିଗୋଚର ହେଲେ ଏକର ପ୍ରତି ୮୦ ଗ୍ରାମ୍ (ଟେବୁକୋନାଜୋଲ୍ + ଟ୍ରାଇଫ୍ଲୋକ୍ସାଷ୍ଟ୍ରୋବିନ୍) ୭୫ ଡବ୍ଲୁ.ଜି. ଔଷଧ ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ। ଏହି କ୍ଷେତ୍ରରେ ଯବକ୍ଷାରଜାନ ସାର ପ୍ରୟୋଗ ନିୟନ୍ତ୍ରଣ କରନ୍ତୁ।
ମକା :
• ଅତ୍ୟଧିକ ବର୍ଷା ମାଡ଼ ଖାଇ ମକା ଗଛ ଢଳି ପଡ଼ିଥିଲେ ମୂଳକୁ ମାଟି ଦେଇ ଉଠାଇ ଦିଅନ୍ତୁ।
• ମକା ଗଛ ୮ ପତ୍ର ହୋଇଥିଲେ କୋଡ଼ାଖୁସା କରି ଏକର ପ୍ରତି ୧୫ କି.ଗ୍ରା. ଯବକ୍ଷାରଜାନ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ।
• ପତ୍ର ଆଚ୍ଛାଦ ପୋଡ଼ା ରୋଗ ଦେଖାଦେଲେ ଏକର ପ୍ରତି ୫୦୦ ମି.ଲି. ଭାଲିଡ଼ାମାଇସିନ୍ ୩% ଏଲ୍ କିମ୍ବା ୨୦୦ ମି.ଲି. ପ୍ରୋପିକୋନାଜୋଲ୍ ୨୫% ଇ.ସି. ୨୦୦ ଲିଟର ପାଣିରେ ମିଶାଇ ମୂଳକୁ ସିଂଚନ କରନ୍ତୁ।
ଡାଲିଜାତୀୟ ଫସଲ :
• ଅଧିକ ବର୍ଷା ତଥା ବାୟୁମଣ୍ଡଳର ଆପେକ୍ଷିକ ଆର୍ଦ୍ରତା ଅଧିକ ହେତୁ ମୁଗ, ବିରି ଆଦି ଫସଲରେ ସର୍କୋସ୍ପୋରା ପତ୍ରଚିତା ରୋଗ ବୃଦ୍ଧି ପାଇବ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଲିଟର ପାଣିରେ ୧ ଗ୍ରାମ୍ (କାର୍ବେଣ୍ଡାଜିମ୍ + ମାଙ୍କୋଜେବ୍) ଓ ଡାଇଫେନୋକୋନାଜୋଲ୍ କବକ ନାଶକ ମିଶାଇ ୮ ରୁ ୧୦ ଦିନ ଅନ୍ତରରେ ଅଦଳ ବଦଳ କରି ଦୁଇଥର ସିଂଚନ କରନ୍ତୁ।
• ଡାଲିଜାତୀୟ ଫସଲ ଯଥା: ମୁଗ, ବିରି, ଝୁଡ଼ଙ୍ଗ, ଡଙ୍ଗରରାଣୀରେ କାଳିମୁଣ୍ଡି ପୋକ ଲାଗିବାର ସମ୍ଭାବନା ରହିଛି। ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି ୪୦୦ ମି.ଲି. କ୍ଲୋରୋପାଇରିଫସ୍ ୨୦% ଇ.ସି. କିମ୍ବା ୪୦୦ ମି.ଲି. କ୍ଲୋରୋପାଇରିଫସ୍ ୫୦% + ସାଇପରମେଥ୍ରିନ୍ ୫% ଇ.ସି. ୨୦୦ ଲିଟର ପାଣିରେ ମିଶାଇ ଅପରାହ୍ନରେ ସିଂଚନ କରନ୍ତୁ।
• ମୂଳସଢ଼ା ରୋଗ ଲାଗୁଥିଲେ ଏକର ପ୍ରତି ୪୦୦ ଗ୍ରାମ୍ କାର୍ବେଣ୍ଡାଜିମ୍ ୫୦% ଡବ୍ଲୁ.ପି. କିମ୍ବା ୪୦୦ ମି.ଲି. ଭାଲିଡା ମାଇସିନ୍ ୩% ଏଲ୍ ୨୦୦ ଲିଟର ପାଣିରେ ମିଶାଇ ମୂଳକୁ ସିଂଚନ କରନ୍ତୁ।
ଚିନାବାଦାମ :
• ବର୍ଷା ପରେ ଚିନାବାଦାମ ଫସଲରେ ମୂଳ ଓ କାଣ୍ଡ ପଚା ଓ ଟୀକା ରୋଗ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ ହିସାବରେ (ମେଟାଲାକ୍ସିଲ୍ + ମାଙ୍କୋଜେବ୍) କିମ୍ବା କ୍ଲୋରୋଥାଲୋନିଲ୍ ମିଶାଇ ସିଂଚନ କରନ୍ତୁ।
କପା :
• ଅତ୍ୟଧିକ ବର୍ଷା ଯୋଗୁ କପା ଗଛ ପଡ଼ିଯାଇଥିଲେ ଏହାକୁ ସିଧା କରି ମୂଳକୁ ମାଟି ଦେଇ ଟାଣ କରନ୍ତୁ।
• ଅଧିକ ବର୍ଷା ଯୋଗୁଁ ବକରା ଆସିବାରେ ବିଳମ୍ବ ହୋଇପାରେ। ଏଥିପାଇଁ ପ୍ରତି ୪.୫ ଲିଟର ପାଣିରେ ୧ ମି.ଲି. ଆଲ୍ଫା ନାପ୍ଥାଇଲ୍ ଏସିଟିକ୍ ଏସିଡ଼୍ ମିଶାଇ ସିଂଚନ କରନ୍ତୁ।
• ମୂଳସଢ଼ା ରୋଗର ଲକ୍ଷଣ ଦେଖାଦେଲେ ଏକର ପ୍ରତି ୪୦୦ ଗ୍ରାମ୍ ମେଟାଲକ୍ସିଲ୍ ୮% + ମାନ୍କୋଜେବ୍ ୬୪% ଡବ୍ଲୁ.ପି. ୨୦୦ ଲିଟର ପାଣିରେ ମିଶାଇ ଗଛ ମୂଳକୁ ସିଂଚନ କରନ୍ତୁ।
ପନିପରିବା :
• ବର୍ଷା ଯୋଗୁଁ ପୋଟଳ, କାକୁଡ଼ି, କଖାରୁ, ଜହ୍ନି ଆଦି ଲତା ଜାତୀୟ ପନିପରିବା ଆଦି ଫସଲ ପ୍ରଭାବିତ ହୋଇଥିଲେ ଅମଳ ଉପଯୋଗୀ ପନିପରିବାକୁ ତୋଳି ରଞ୍ଜା/ ଟ୍ରେଲି ଓଲଟି ପଡ଼ିଥିଲେ ସଳଖ କରି ଦିଅନ୍ତୁ।
• ବର୍ଷା ପରବର୍ତୀ ଅବସ୍ଥାରେ ପୋଟଳ ଓ କଖାରୁ ଜାତୀୟ ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଓ ଡଙ୍କପଚା ରୋଗ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ ହିସାବରେ (ମେଟାଲାକ୍ସିଲ୍ + ମାଙ୍କୋଜେବ୍) ଓ ୦.୬ ଗ୍ରାମ୍ ଆଜୋକ୍ସିଷ୍ଟ୍ରୋବିନ୍ ଅଦଳବଦଳ କରି ୧୦ ଦିନ ଅନ୍ତରରେ ସିଂଚନ କରନ୍ତୁ।
• ପନିପରିବା ତଳିଘେରାରେ ତଳି ସଢ଼ିଗଲେ ସଢ଼ା ତଳି ଉପାଡ଼ି ଦିଅନ୍ତୁ। ବର୍ଷା କମିଗଲା ପରେ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ (କାର୍ବେଣ୍ଡାଜିମ୍ + ମାଙ୍କୋଜେବ୍୍) କିମ୍ବା (ସାଇମୋକ୍ସାନିଲ୍ + ମାଙ୍କୋଜେବ୍) ମାଟି ଓ ମୂଳରେ ସିଂଚନ କରନ୍ତୁ।
• ବର୍ଷା କମିଗଲା ପରେ ପନିପରିବା ଫସଲରେ ସଢ଼ା ଡାଳ ସବୁ କାଟି ବାହାରେ ପକାଇ ଦିଅନ୍ତୁ ଓ ଗଛ ନଇଁ ଯାଇଥିଲେ ମାଟି ମୂଳକୁ ଟେକି ଦିଅନ୍ତୁ।
• ବର୍ଷା ପରବର୍ତୀ ସମୟରେ ବାଇଗଣ ଫସଲରେ ଝାଉଁଳା ରୋଗ ନିରାକରଣ ପାଇଁ ପ୍ରତି ଏକ ଲିଟର ପାଣିରେ ୧ ମି.ଲି. ଟେବୁକୋନାଜୋଲ କିମ୍ବା ୨ ଗ୍ରାମ୍ (କାର୍ବେଣ୍ଡାଜିମ୍ + ମାଙ୍କୋଜେବ) ସହିତ ୧ ଗ୍ରାମ୍ ହିସାବରେ ପ୍ଲାଂଟୋମାଇସିନ୍ ମିଶାଇ ଫସଲର ମୂଳରେ ସିଂଚନ କରନ୍ତୁ।
• ବର୍ଷା ପରେ ଭେଣ୍ଡି ଫସଲରେ ସରକୋସ୍ପୋରା ପତ୍ର ଦାଗ ରୋଗ ଓ କଲରା ଫସଲରେ ପତ୍ର ଦାଗ ଓ ପତ୍ର ପୋଡ଼ା ରୋଗ ବୃଦ୍ଧି ପାଇବ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ (କାର୍ବେଣ୍ଡାଜିମ୍ + ମାଙ୍କୋଜେବ୍) ମିଶାଇ ପ୍ରୟୋଗ କରନ୍ତୁ।
ଫଳ ବଗିଚା :
• ଫଳ ବଗିଚାରେ ପାଣି ଜମିଥିଲେ ପାଣିକୁ ତୁରନ୍ତ ନିଷ୍କାସନର ବ୍ୟବସ୍ଥା କରନ୍ତୁ।

ବି.ଦ୍ର.: ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଂଚଳିକ ଗବେଷଣା କେନ୍ଦ୍ର ଓ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ।

Comments are closed.