ଦକ୍ଷିଣ ଆଫ୍ରିକା ପରାସ୍ତ, ଶ୍ରୀଲଙ୍କା ୨-୦ରେ ସିରିଜ୍ ପୋଛିଲା
କଲମ୍ବୋ : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍କୁ ୨-୦ରେ ପୋଛିନେଇଛି ଘରୋଇ ଶ୍ରୀଲଙ୍କା। ସୋମବାର ୪ର୍ଥ ଦିନରେ ସମାପ୍ତ ହୋଇଥିବା ୨ୟ ଟେଷ୍ଟମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୧୯୯ ରନ୍ରେ ଶ୍ରୀଲଙ୍କା ପରାସ୍ତ କରିଛି। ୨ୟ ଇନିଂସରେ କଷ୍ଟସାଧ୍ୟ ୪୯୦ ରନ୍ର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ୪ର୍ଥ ଦିନର ଭୋଜନ ବିରତି ପରେ ୨୯୦ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ଥ୍ୟୁନିସ୍ ଡି ବ୍ରୁଇନ୍ଙ୍କ ଶତକ ଓ ତେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ପରାଜୟରୁ ବଞ୍ଚାଇ ପାରିନାହିଁ। ବିଶ୍ୱର ସଫଳତମ ବାମହାତି ସ୍ପିନର ରଙ୍ଗନା ହେରାଥ୍ ପୁଣି ଚମତ୍କାର ବୋଲିଂକରି ୬ଟି ୱିକେଟ ନେଇ ଦଳକୁ ଜିତାଇଥିଲେ। ଏହି ବିଜୟ ସହ କ୍ରମାଗତ ୨ଟି ଟେଷ୍ଟ ଜିତି ୨ ମ୍ୟାଚ୍ର ଟେଷ୍ଟ ସିରିଜ୍କୁ ଶ୍ରୀଲଙ୍କା ୨-୦ରେ ଜିତିନେଇଛି।
ପ୍ରଥମ ଇନିଂସରେ ୨୧୪ ରନ୍ ଆଗରେ ଥିବା ଶ୍ରୀଲଙ୍କା ୫ ୱିକେଟରେ ୨୭୫ ରନ୍କରି ୨ୟ ଇନିଂସ ଘୋଷଣା କରିଥିଲା। ଫଳରେ ଦକ୍ଷିଣ ଆଫ୍ରିକାକୁ ୨ୟ ଇନିଂସରେ କଷ୍ଟସାଧ୍ୟ ୪୯୦ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ଏହାର ପିଛାକରି ଦକ୍ଷିଣ ଆଫ୍ରିକା ରବିବାର ୩ୟ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ୧୩୯ ରନ୍କରି ୫ଟି ୱିକେଟ ହରାଇଥିଲା। ସୋମବାର ୬ଷ୍ଠ ୱିକେଟ ପାଇଁ ଥ୍ୟୁନିସ୍ ଡି ବ୍ରୁଇନ୍ ଓ ତେମ୍ବା ବାଭୁମା ଲଢ଼ୁଆ ଭାଗିଦାରୀ କରି ୧୨୩ ରନ୍ ଯୋଗ କରିଥିଲେ। ବାଭୁମା ୪ଟି ଚୌକା ସହ ୬୩ ରନ୍ କରିଥିଲେ। ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ଥ୍ୟୁନିସ୍ ଡି ବ୍ରୁଇନ୍ ୧୨ଟି ଚୌକା ସହ ୧୦୧ ରନ୍ କରିଥିଲେ। ଏହି ଦୁଇ ଖେଳାଳି ଆଉଟ ହେବା ସହ ଦକ୍ଷିଣ ଆଫ୍ରିକାର ୨ୟ ଇନିଂସ ସହଳ ଶେଷ ହୋଇଥିଲା। କାଗିସୋ ରାବାଡ଼ା ୧୮ ରନ୍ କରିଥିଲେ। ରଙ୍ଗନା ହେରାଥ୍ ୯୮ ରନ୍ଦେଇ ୬ଟି ୱିକେଟ ନେଇଥିବା ବେଳେ ଦିଲ୍ରୁୱାନ ପରେରା ଓ ଆକିଲା ଧନଞ୍ଜୟ ବାକି ୪ଟି ୱିକେଟକୁ ବାଣ୍ଟି ନେଇଥିଲେ। ଦିମୁଥ୍ କରୁଣାରତ୍ନେ ଉଭୟ ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟର ଅଫ ଦି ସିରିଜ୍ ହୋଇଥିଲେ।