ଦଣ୍ଡାଦେଶ ଶୁଣି ଅଦାଲତରୁ ଦୌଡ଼ି ପଳାଇଲା ଅଭିଯୁକ୍ତ

0

ରାତଲାମ : ମଧ୍ୟପ୍ରଦେଶ ରାତଲାମରେ ଏକ ଅଜବ ଘଟଣା ପଦାକୁ ଆସିଛି। ଏଠାରେ ଏକ ଅଦାଲତରେ ବିଚାରପତିଙ୍କ ରାୟ ଶୁଣିବା ପରେ ଜଣେ ଅଭିଯୁକ୍ତ ଦୌଡ଼ି ସେଠାରୁ ଫେରାର ହୋଇଯାଇଛି। ଜଣେ ନାବାଳିକାକୁ ଯୌନ ଶୋଷଣ ମାମଲାରେ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ରାୟ ଶୁଣିବା ପରେ ଅଭିଯୁକ୍ତ କୋର୍ଟର ସୁରକ୍ଷାକର୍ମୀ ଏବଂ କର୍ମଚାରୀଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲେ।
ଘଟଣା ଅନୁସାରେ ଶାନ୍ତିଲାଲ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ୧୨ ବର୍ଷର ନାବାଳିକାକୁ ଯୌନ ଶୋଷଣ କରିଥିବା ନେଇ ମାନକ ଥାନାରେ ୨୦୧୭ ଅକ୍ଟୋବର ୨୨ରେ ମାମଲା ରୁଜୁ ହୋଇଥିଲା। ପୁଲିସ୍‍ ଶାନ୍ତିଲାଲକୁ ୨୦୧୭ ନଭେମ୍ବର ୮ରେ ପୁଲିସ୍‍ ଗିରଫ କରିଥିଲା। ଏହାପରେ ସେ ଜାମିନ ପାଇ ବାହାରେ ଥିଲେ। ତେବେ କୋର୍ଟରେ ମାମଲାର ଶୁଣାଣି ଜାରି ରହିଥିଲା। ସମସ୍ତ ସାକ୍ଷ୍ୟଙ୍କ ବୟାନ ଶୁଣିବା ପରେ ଗୁରୁବାର ଚୂଡ଼ାନ୍ତ ଶୁଣାଣିରେ ସ୍ୱତନ୍ତ୍ର କୋର୍ଟ ବିଚାରପତି ସବିର ଅହମ୍ମଦ ଖାନ ଅଭିଯୁକ୍ତ ଶାନ୍ତିଲାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ରାୟ ଦେଇଥିଲେ। ଏହାସହ ଅଭିଯୁକ୍ତ ଉପରେ ୫,୦୦୦ ଟଙ୍କା ଜୋରିମାନା ଲଗାଇଥିଲେ। ବିଚାରପତିଙ୍କ ରାୟ ଶୁଣିବା ପରେ ଅଭିଯୁକ୍ତ ଶାନ୍ତିଲାଲ ନିଜ କଡ଼ରେ ଠିଆ ହୋଇଥିବା ଅଦାଲତ କର୍ମଚାରୀ ଗୋପାଳ ଶୁକ୍ଳାଙ୍କୁ ଧକ୍କା ମାରି କୋର୍ଟ ଘରୁ ଦୌଡ଼ି ବାହାରକୁ ପଳାଇଥିଲା। ବାହାରେ ଥିବା ସୁରକ୍ଷା କର୍ମୀମାନେ ମଧ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଥିଲେ। ଅଭିଯୁକ୍ତ ଦୌଡ଼ି ପଳାଉଥିବାବେଳେ ବିଚାରପତି ଧର ଧର ବୋଲି ଚିତ୍କାର କରିଥିଲେ। ହେଲେ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଷ୍ଟେସନ୍‍ ରୋଡ଼ ଥାନା ଅଧିକାରୀ ରାଜେନ୍ଦ୍ର ବର୍ମା ପ୍ରକାଶ କରିଛନ୍ତି।

Leave A Reply