ଶୃଙ୍ଖଳା ହିଁ ସ୍ଥିତିକୁ ନିୟନ୍ତ୍ରଣ କରିଛି: ଶାଳିନୀ
ଭୁବନେଶ୍ୱର: ଜାତୀୟସ୍ତରରେ ୫ପ୍ରତିଶତ କରୋନା ହାର ରହିଥିବାବେଳେ ଓଡ଼ିଶାରେ ମାତ୍ର ୧.୦୮ ପ୍ରତିଶତ ରହିଛି। ମାତ୍ର ଦିଲ୍ଲୀରେ କରୋନା ହାର ୧୧ପ୍ରତିଶତ ରହିଥିବାବେଳେ ତାମିଲନାଡୁରେ ୯ ଏବଂ ମଧ୍ୟପ୍ରଦେଶରେ ୭ ପ୍ରତିଶତ ରହିଛି। ତେବେ ଦେଶର ସର୍ବାଧିକ ହାର ଦିଲ୍ଲୀ ତୁଳନାରେ ଓଡ଼ିଶାରେ ୯.୯୨ ପ୍ରତିଶତ କମ୍ କରୋନା ହାର ରହିଛି। ରାଜ୍ୟବାସୀ ସରକାରଙ୍କ ନିର୍ଦେଶକୁ ପାଳନ କରୁଥିବାରୁ ଓ ଶୃଙ୍ଖଳିତ କାରଣରୁ ଓଡ଼ିଶା ଆଜି ଏହି ନିୟନ୍ତ୍ରିତ ସ୍ଥିତିରେ ରହିପାରିଛି ବୋଲି ଏନଏଚଏମ ନିର୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।
ଗୀତଗୋବିନ୍ଦ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଓଡ଼ିଶାରେ ନମୁନା ପରୀକ୍ଷା କମ୍ କରାଯାଉଛି ବୋଲି ଯେଉଁ କୁହାଯାଉଛି ତାହା ଠିକ୍ ନୁହେଁ। ରାଜ୍ୟରେ ଇତିମଧ୍ୟରେ ୫୫୩୭ଟି ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୬୦ଟି ନମୁନା ସଂକ୍ରମିତ ଥିବା ଜଣାଯାଇଛି। ଯାହାକି ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ବହୁ କମ୍ ହାର ରହିଛି। ତେବେ ମାଲକାନାଗିରି ଓ କଳାହାଣ୍ଡିରେ ୨୦୦ ଲେଖାଏଁ ନମୁନା ପରୀକ୍ଷା କରାଯାଇଥିବାବେଳେ ବଲାଙ୍ଗିରରେ ୩୦୦ ନମୁନା ପରୀକ୍ଷା କରାଯାଇଛି। ତେବେ ଏକଥା ସତ୍ୟ ଯେ ରାଜ୍ୟରେ ବିଲକ୍ଷଣ (ଆସିମଟମାଟିକ୍)ଙ୍କ ନମୁନା ପରୀକ୍ଷା ହାର କମ୍ ରହିଛି।
ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଆଗାମୀ ଦିନରେ ସଂକ୍ରମଣକୁ କିଭଳି ମୂଳପୋଛ କରାଯାଇ ପାରିବ ତାହା ହିଁ ସରକାରଙ୍କ ଲକ୍ଷ୍ୟ। ତେବେ କେତେକ ସମୟରେ ଟିକିଏ ଅସାବଧାନତା ଯୋଗୁଁ ଭୂତାଣୁ ସଂକ୍ରମିତ ହେଉଛି। ଯାହାକି କଳାହାଣ୍ଡିର ସଂକ୍ରମିତଙ୍କ କଂଟାକ୍ଟରୁ ଜଣାଯାଇଛି। ତେଣୁ ନମୁନା ପରୀକ୍ଷାକୁ ନ ଡ଼ରି ସରକାରଙ୍କ ଉପଦେଶ ମାନିବା ସହିତ ସହଯୋଗ କରିପାରିଲେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି।
ଏହି ଅବସରରେ କରୋନା ରାଜ୍ୟ ମୁଖ୍ୟମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ସଂପ୍ରତି ୧୯ଟି ଜିଲାରେ ୨୧ଟି କୋଭିଡ-୧୯ ସେଣ୍ଟର ଖୋଲା ଯାଇଛି। ଏଥିରେ ୩୬୨୦ଟି ଶଯ୍ୟା ରହିଛି। ଆଜି ରାଉରକେଲା ଆଇଜିଏଚରେ କୋଭିଡ-୧୯ ନମୁନା ପରୀକ୍ଷା କାର୍ୟ୍ୟ ଆରମ୍ଭ ହୋଇଛି। ଇତିମଧ୍ୟରେ ବିଶ୍ୱରେ ୨୦ଲକ୍ଷ ୮ହଜାର ୧୬୪ଜଣ ଆକ୍ରାନ୍ତ ହୋଥିବାବେଳେ ୧ଲକ୍ଷ ୨୭ହଜାର ୧୪୧ ମୃତ୍ୟୁବରଣ କରିଛନ୍ତି। ଭାରତରେ ୧୧ହଜାର ୪୩୯ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୭୭ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ଏବେ ସୁଦ୍ଧା ୬୦ଜଣ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୧୮ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି। ୪୧ଜଣଙ୍କ ମଧ୍ୟରୁ ମାତ୍ର ୨ଜଣ ବିଭିନ୍ନ ରୋଗରେ ଜଡ଼ିତ ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି। ଅବଶିଷ୍ଟ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ଯେଉଁ ଭ୍ରାନ୍ତିରେ ପଡୁଛନ୍ତି ତାକୁ ନେଇ ଶ୍ରୀବାଗଚୀ ୧୨ଟି ପରାମର୍ଶ ଦେଇଛନ୍ତି। ସେଥିମଧ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବାବେଳେ ନାକରେ ଲୁଣପାଣି, ଗରମ ପାଣିରେ ଗାଧୋଇବା, ନିଶା ସେବନ ଦ୍ୱାରା କରୋନା ସଂକ୍ରମିତ ହେବନାହିଁ ବୋଲି ଯେଉଁମାନେ
ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଏହାବାଦ୍ ମନଇଚ୍ଛା ଆଂଟି ବାୟୋଟିକ୍ ନଖାଇବା, କ୍ଲୋରିନ ପାଣିରେ କୁଳି ନକରିବାକୁ କହିଥିବାବେଳେ ବିଲେଇ ଓ କୁକୁରଙ୍କଠାହଭ କରୋନା ବ୍ୟାପିବାର ସମ୍ଭାବନା ନାହିିଁ। ଏହି ଅବସରରେ ଶ୍ରୀ ବାଗଚୀ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଥିଲେ ଯେ କରୋନା ସନ୍ତର୍ପଣରେ ଆସେ ବିସ୍ଫୋରଣ ସ୍ଥିତି ନିଏ, ତେଣୁ ଶତ୍ରୁକୁ ଆମେ ହେୟ ମନେ କରିବା ଉଚିତ୍ ନୁହେଁ।
Comments are closed.