ବେଜିଂ: ଚୀନରେ କରୋନା ଭୂତାଣୁର ଆତଙ୍କ ଜାରି ରହିଛି। ପ୍ରତିଦିନ ୨ରୁ ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ବି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳ ସୁଦ୍ଧା ଚୀନରେ କରୋନା ଯୋଗୁ ମୃତକଙ୍କ ସଂଖ୍ୟା ୧୦୧୬ରେ ପହଞ୍ଚିଛି। ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୦୦ରେ ପହଞ୍ଚିଛି।
ଗତ ରବିବାର ଦିନ ଚୀନରେ ୯୭ ଜଣ ପ୍ରାଣ ହରାଇଥିଲେ। ବିଗତ ଦିନ ମଧ୍ୟରେ କୌଣସି ଏକ ଦିନରେ ଏହା ସର୍ବାଧିକ ମୃତ୍ୟୁ ସଂଖ୍ୟା। ଅନ୍ୟପଟେ ୨୯୬ ଆକ୍ରାନ୍ତଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ୩୨୮୧ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ବିଶ୍ଵର ୨୭ ଦେଶକୁ ଏହି ଭୂତାଣୁ ବ୍ୟାପିଛି। ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ୍ ମାସ୍କ ପିନ୍ଧି ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।



