ରାସନକାର୍ଡ଼ଧାରୀଙ୍କୁ କରୋନା ସହାୟତା ଟଙ୍କା ପ୍ରଦାନ ପ୍ରସଙ୍ଗ; ପୁଣି ଫେରିବ ୧.୮୯କୋଟି କରୋନା ସହାୟତା ଟଙ୍କା

ବିନିଯୋଗ ପ୍ରମାଣପତ୍ର ନଥିବାରୁ ଫେରିଥିଲା ୨୧ଲକ୍ଷ

ବଡ଼ସାହି : ମୟୂରଭଞ୍ଜ ଜିଲାର ସର୍ବ ବୃହତ୍ତ ବ୍ଲକ ବଡ଼ସାହିରେ ବିନିଯୋଗ ପ୍ରମାଣ ପତ୍ର ଦାଖଲ ହେଉ ନଥିବାରୁ ରାସନ କାର୍ଡ଼ ଥିବା ପରିବାରଙ୍କ ପାଇଁ ଉଦ୍ଧିଷ୍ଟ ୭ଲକ୍ଷ ୮୪ହଜାର ଟଙ୍କା ଫେରିଯିବ ବୋଲି ତାଲିକା ପ୍ରସ୍ତୁତ ହୋଇଛି।
ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ପାଇଁ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଅଦ୍ୟାବଧି ସାଧାରଣ ଜନତାଙ୍କ ଜୀବନ ଯାତ୍ରା ସ୍ୱାଭାବିକ ହୋଇପାରିନି। ଚାଷକାର୍ଯ୍ୟଠାରୁ ଆରମ୍ଭ କରି କଳକାରଖାନା, ଶିଳ୍ପଦ୍ୟୋଗ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଓ ବ୍ୟବସାୟ ସବୁ ପ୍ରଭାବିତ। ଏପରି ସ୍ଥଳରେ ସାଧାରଣ ଗରିବ ଲୋକ ନିଜର ପରିବାର ଗୁଜୁରାଣ ପାଇଁ ସଂଘର୍ଷ କରୁଥିବାବେଳେ ସରକାର ବିଭିନ୍ନ କ୍ଷେତ୍ରରେ ସହାୟତାର ହାତ ବଢ଼ାଇଛନ୍ତି। ରାଜ୍ୟର ଅନ୍ୟାନ୍ୟ ବ୍ଲକ ପରି ବଡ଼ସାହି ବ୍ଲକରେ ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ରାସନକାର୍ଡ଼ଧାରୀ ୩୩ହଜାର ୯୮୯ପରିବାର ପାଇଁ ବିନାମୂଲ୍ୟରେ ଅତିରିକ୍ତ ୨ମାସର ଚାଉଳ/ଗହମ ଓ ମାସକ ପାଇଁ ଡ଼ାଲି ବଣ୍ଟନ କରାଯାଇଛି। ସେହି ପରିବାରମାନଙ୍କ ପାଇଁ ୧୦୦୦ଟଙ୍କା ଲେଖାଏଁ ସହାୟତା ରାଶି ବାବଦକୁ ମୋଟ ୩କୋଟି ୩୯ଲକ୍ଷ ୮୯ହଜାର ଟଙ୍କା ଆସିଥିଲା। ସେଥିମଧ୍ୟରୁ ୩୩ହଜାର ୨୦୫ ପରିବାର ୩କୋଟି ୨୦ଲକ୍ଷ ୫ହଜାର ଟଙ୍କା ପାଇଛନ୍ତି। ବାକି ୭୮୪ ପରିବାର ଟଙ୍କା ନେଇ ନାହାନ୍ତି। ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ। ଏହି ପରିବାର ଚାଉଳ, ଗହମ ନେଉଥିବାବେଳେ ଟଙ୍କା ନନେବା ପଛରେ ବିଭିନ୍ନ ଆଲୋଚନା ହେଉଛି। ଯାହାକି ତଦନ୍ତ ସାପେକ୍ଷ। ବାସ୍ତବ କ୍ଷେତ୍ରରେ ସେ ପରିବାରର ସଦସ୍ୟ ଥିଲେ ସହାୟତା ଟଙ୍କା ନିଶ୍ଚିତ ଭାବେ ଗ୍ରହଣ କରିଥାନ୍ତେ। ପରନ୍ତୁ ସେହି ପରିବାର ପାଇଁ ଉଦ୍ଧିଷ୍ଟ ଟଙ୍କା ବିନିଯୋଗ ହୋଇପାରି ନଥିବାରୁ ବର୍ତ୍ତମାନ ଫେରିଯିବାକୁ ବସିଛି।
ଏହା କେବଳ ବଡ଼ସାହି ବ୍ଲକର ସମସ୍ୟା ନୁହଁ। ହାଣ୍ଡିରୁ ଭାତର ମାନ ଜାଣିବା ପାଇଁ ଗୋଟିଏ ଚାଉଳ ଚିପିବା ଭଳି ସମଗ୍ର ମୟୂରଭଞ୍ଜ ଜିଲାରେ ଏହି ସମସ୍ୟା। ଜିଲାର ୨୬ଟି ବ୍ଲକ, ବାରିପଦା ଓ ରାଇରଙ୍ଗପୁର ମୁନସିପାଲଟି ଏବଂ ଉଦଳା ଓ କରଞ୍ଜିଆ ଏନଏନସିରେ ବସବାସ କରୁଥିବା ୬ଲକ୍ଷ ୬୯ହଜାର ୩୩୯ଜଣ ରାସନକାର୍ଡ଼ ହିତାଧିକାରୀଙ୍କ ପାଇଁ ମୋଟ ୬୦କୋଟି ୬୯ଲକ୍ଷ ୩୩ହଜାର ୯୧୩ଟଙ୍କା ସହାୟତା ରାଶି ସରକାର ଯୋଗାଇଥିଲେ। ସେଥିମଧ୍ୟରୁ ୫୮କୋଟି ୫୯ଲକ୍ଷ ୯୧୩ଟଙ୍କା ଦାବିଦାର ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ବିନିଯୋଗ ପ୍ରମାଣ ପତ୍ର ଦାଖଲ ହୋଇ ନଥିବାରୁ ଜୁଲାଇ ମାସରେ ୨୦ଲକ୍ଷ ୯୩ହଜାର ଟଙ୍କା ଫେରିଯାଇଥିଲା। ଏହି ମାସରେ ବାଙ୍ଗିରିପୋଷି ବ୍ଲକରୁ ୧ଲକ୍ଷ ୧୩ହଜାର ଟଙ୍କା ଫେରିଯାଇଥିବା ବେଳେ ବାରିପଦା ବ୍ଲକରୁ ୨ଲକ୍ଷ ୮୪ହଜାର, ଶାମାଖୁଣ୍ଟା ବ୍ଲକରୁ ୨ଲକ୍ଷ ୯ହଜାର, ଶୁଳିଆପଦା ବ୍ଲକରୁ ୪୫ହଜାର, କରଞ୍ଜିଆ ବ୍ଲକରୁ ୧ଲକ୍ଷ ୫୪ହଜାର, ଠାକୁରମୁଣ୍ଡା ବ୍ଲକରୁ ୧ଲକ୍ଷ ୫୯ହଜାର, ବହଳଦା ବ୍ଲକରୁ ୨ଲକ୍ଷ ୩୭ହଜାର, ବିଜାତଳା ବ୍ଲକରୁ ୧ଲକ୍ଷ ୫୮ହଜାର, ବିଶୋଇ ବ୍ଲକରୁ ୩ଲକ୍ଷ ୬୬ହଜାର, ଜାମଦା ବ୍ଲକରୁ ୧ଲକ୍ଷ ୨୫ହଜାର, କୁସୁମୀ ବ୍ଲକରୁ ୧ଲକ୍ଷ ୧୭ହଜାର, ରାଇରଙ୍ଗପୁର ବ୍ଲକରୁ ୨୦ହଜାର, ତିରିଂ ବ୍ଲକରୁ ୯୭ହଜାର ରାଇରଙ୍ଗପୁର ମୁନିସିପାଲଟିରୁ ୯ହଜାର ଟଙ୍କା ଫେରିଯାଇଥିଲା। ସେହିପରି ବର୍ତ୍ତମାନ ପୁଣି ୧କୋଟି ୮୯ଲକ୍ଷ ୪୦ହଜାର ଟଙ୍କା ଫେରିବାକୁ ତାଲିକା ପ୍ରସ୍ତୁତ ହୋଇସାରିଛି। ବଡ଼ସାହି ବ୍ଲକର ୭ଲକ୍ଷ ୮୪ହଜାର ଟଙ୍କା ଫେରିବାକୁ ଥିବା ବେଳେ ବେତନଟୀ ବ୍ଲକର ୩ଲକ୍ଷ ୧୩ହଜାର, ମୋରଡ଼ା ବ୍ଲକର ୩ଲକ୍ଷ ୯୮ହଜାର, ରାସଗୋବିନ୍ଦପୁର ବ୍ଲକର ୪ଲକ୍ଷ ୫୨ହଜାର, ସାରଷକୋଣା ବ୍ଲକର ୧ଲକ୍ଷ ୮୫ହଜାର, ଗୋପବନ୍ଧୁନଗର ବ୍ଲକର ୧ଲକ୍ଷ ୭୫ହଜାର, ଖୁଣ୍ଟା ବ୍ଲକର ୨ଲକ୍ଷ ୬୬ହଜାର, ଉଦଳା ବ୍ଲକର ୩ଲକ୍ଷ ୧ହଜାର, ଯଶୀପୁର ବ୍ଲକର ୫୮ଲକ୍ଷ ୨ଜାର କରଞ୍ଜିଆ ବ୍ଲକର ୨୨ଲକ୍ଷ ୬ହଜାର, ରରୁଆଁ ବ୍ଲକର ୩୯ଲକ୍ଷ ୭୩ହଜାର, ଶୁକୃଳି ବ୍ଲକର ୩୬ଲକ୍ଷ ୩୮ହଜାର, ଠାକୁରମୁଣ୍ଡା ବ୍ଲକର ୨୮ଲକ୍ଷ ୧ହଜାର, ଉଦଳା ଏନଏସିର ୧୨ହଜାର ଓ କରଞ୍ଜିଆ ଏନଏସିର ୧ଲକ୍ଷ ୫୪ହଜାର ଟଙ୍କା ଫେରିଯିବ। ସମ୍ପୃକ୍ତ ବ୍ଲକର ବିଡ଼ିଓ ଏବଂ ମୁନିସିପାଲଟି ଓ ଏନଏସିର ନିର୍ବାହ ଅଧିକାରୀ ଉପରୋକ୍ତ ଟଙ୍କାର ବିନିଯୋଗ ପ୍ରମାଣପତ୍ର(ୟୂସି) ପ୍ରଦାନ କରି ନଥିବାରୁ ଉଦ୍ଦିଷ୍ଟ ଟଙ୍କା ଫେରିଯିବ। ପ୍ରଶ୍ନ ଉଠୁଛି ଯଦି ରାସନକାର୍ଡ଼ ହିତାଧିକାରୀ ଚାଉଳ ଗହମ ନେଇଛନ୍ତି, ତେବେ ୧୦୦୦ଟଙ୍କା ଲେଖାଏଁ ସହାୟତା ରାଶି କାହିିଁକି ନେଇ ନାହାନ୍ତି। ତେବେ ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢ଼ୀଙ୍କୁ ପଚାରିବାରୁ ‘ୟୂସି ଆସି ନଥିବା ବ୍ଲକ, ଏନଏସି ଓ ମୁନସିପାଲଟି ସମ୍ପର୍କରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଜିଲାପାଳଙ୍କ ନିର୍ଦେଶ କ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ’ ବୋଲି କହିଛନ୍ତି।

kalyan agarbati

Comments are closed.