ଘାରିଲାଣି ଅର୍ଥଚିନ୍ତା

କୋଭିଡ୍‌ ଆଣିଲା ସଙ୍କଟ

ଭୁବନେଶ୍ବର(ପ୍ରସନ୍ନ ପତି): ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ ପ୍ରସ୍ତୁତ ହେଲା, ହେଲେ ଖର୍ଚ୍ଚ ବାଟ ବନ୍ଦ। ରାଜସ୍ବ ସଂଗ୍ରହ ବାଧାପ୍ରାପ୍ତ। ରାଜସ୍ବ ଉତ୍ସ ଶୁଖି ଶୁଖି ଯାଉଛି। ଟିକସ ସଂଗ୍ରହ କ୍ରମାଗତ ଭାବେ ଦୁଇ ମାସ ଧରି କମିଚାଲିଛି। ଗତ ଡିସେମ୍ବରଠାରୁ ରାଜ୍ୟକୁ ଜିଏସଟି କ୍ଷତିଭରଣା ମିଳିନି। ସେପଟେ ଖର୍ଚ୍ଚ ଭାର ବଢ଼ିଚାଲିଛି। କୋଭିଡ଼ କେବଳ ରାଜ୍ୟକୁ ସଂକ୍ରମଣ ଭିତରକୁ ଠେଲିନି, ଓଡ଼ିଶା ଅର୍ଥନୀତି ଏବେ ଭୟଙ୍କର ବିପଦ ଆଡ଼କୁ ମୁହଁାଇଛି।
ରାଜ୍ୟରେ ପୁଞ୍ଜି ନିବେଶ, ସମ୍ପତ୍ତି ସୃଷ୍ଟି ଓ ଭିତ୍ତିଭୂମି ବିକାଶ ତ ଦୂରର କଥା, ଆଗକୁ ରାଜ୍ୟରେ ସର୍ବନିମ୍ନ ଆର୍ଥିକ କାର୍ଯ୍ୟକ୍ରମ ଜାରି ରଖିବା ବି ମୁସ୍କିଲ ହୋଇପଡ଼ିବ। ଏବେଠାରୁ ଘାରିଲାଣି ଅର୍ଥଚିନ୍ତା। କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଯତପରୋନାସ୍ତି ଉଦ୍ୟମ ଚଳାଇଛନ୍ତି। ହେଲେ ଗତ ଅଢ଼େଇ ମାସର ଲକଡାଉନ ଓ ସଟଡାଉନ କଟକଣା ଭିତରେ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହେଲାଣି। ଉଭୟ ଜୀବନ ଓ ଜୀବିକା ଏବେ ପ୍ରବଳ ଚାପର ସମ୍ମୁଖୀନ ହୋଇଛି। ଅର୍ଥନୈତିକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି। ଗତ ମାର୍ଚ୍ଚ ୩୧ରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ
୧ଲକ୍ଷ ୫୫ହଜାର କୋଟି ଟଙ୍କାର ବଜେଟ ଗୃହୀତ ହୋଇଥିଲା। ଅର୍ଥ ବିନିଯୋଗ ପାଇଁ ସରକାରଙ୍କୁ ଚାବିକାଠି ଧରାଇ ଦିଆଯାଇଥିଲା। ଇତିମଧ୍ୟରେ ଆର୍ଥିକ ବର୍ଷର ଦୁଇ ମାସ ବିତିଗଲାଣି। ଯାହା ଜଣାପଡ଼ୁଛି ଆର୍ଥିକ ବର୍ଷର ପ୍ରଥମ ତିନି ମାସ ଲକଡାଉନ ଭିତରେ ହିଁ ବିତିଯିବ। ଆର୍ଥିକ ବର୍ଷର ୪ଟି କ୍ବାର୍ଟର(ତ୍ରୖମାସ) ଭିତରୁ ବାକି ତିନିଟିରେ ଦେଢ଼ ଲକ୍ଷ କୋଟିର ବଜେଟ କିଭଳି ବିନିଯୋଗ ହେବ ଏବଂ କେଉଁଠୁ ଅର୍ଥ ଆସିବ ସେ ନେଇ ସରକାରଙ୍କ ଚିନ୍ତା ବଢ଼ିଗଲାଣି।
ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମିନା ବଜେଟ ଅର୍ଥ କିପରି ବିନିଯୋଗ କରାଯିବ ସେ ଦିଗରେ ପ୍ରସ୍ତୁତି ତ୍ବରାନ୍ବିତ କରିବାକୁ ଆର୍ଥିକ ବର୍ଷ ପୂର୍ବରୁ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖିଥିଲେ। ବିଶେଷ କରି ପ୍ରଥମ ତ୍ରୈମାସିକରେ ବଜେଟ ଅର୍ଥ ବିନିଯୋଗ ହାର ବଢ଼ାଇବା ସହିତ ଅନାବଶ୍ୟକ ଖର୍ଚ୍ଚ ଉପରେ କଟକଣା ଜାରି କରିବାକୁ କହିଥିଲେ ା ପୁଞ୍ଜି ସମ୍ପତ୍ତି ସୃଷ୍ଟି, ନିର୍ମାଣାଧୀନ ପ୍ରକଳ୍ପ ଶେଷ କରିବା, ପ୍ରତିଷ୍ଠାନ/ରକ୍ଷଣାବେକ୍ଷଣ ଖର୍ଚ୍ଚ କମାଇବାକୁ ପ୍ରାଥମିକତା ଦେବାକୁ କହିଥିଲେ। ହେଲେ ଯେଉଁ ଦିନ (ମାର୍ଚ୍ଚ ୨୩ରେ) ସେ ଚିଠି ଲେଖିଲେ ସେହି ତାରିଖରୁ ହିଁ ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଗଲା। ଅର୍ଥନୈତିକ କାର୍ଯ୍ୟକ୍ରମ ପୂରାପୂରି ଧିମେଇଗଲା। ଜୁନ ପହିଲାରୁ ଲକଡାଉନକୁ କୋହଳ କରାଯାଇଥିଲେ ବି ମାସର ୮ଦିନ ସଟଡାଉନ ଭିତରେ ବିତିବ। ରାଜ୍ୟ ପାଇଁ ଏବେ ସବୁଠୁ ବଡ଼ ବିପଦ ହେଲା ସରକାର ‌େ‌ଯଉଁ ବଜେଟ କରିଥିଲେ ଏଥିପାଇଁ ବିନିଯୋଗର ବାଟ ଖୋଲିପାରୁନି।
ବଜେଟ ପାଇଁ ଅର୍ଥ ଆସିବାର ଦୁଇଟି ବାଟ ରହିଛି। ଗୋଟିଏ ହେଲା ରାଜସ୍ବ ସଂଗ୍ରହ। ଅନ୍ୟଟି ହେଲା ଋଣ ଓ ଅନ୍ୟାନ୍ୟ ସୂତ୍ର। ସରକାର ଏ ବର୍ଷ ରାଜସ୍ବ ବାବଦରେ ପ୍ରାୟ ୧ଲକ୍ଷ ୨୫ ହଜାର କୋଟି ଏବଂ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ବାକି ୨୫ହଜାର କୋଟି ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ମୋଟ ରାଜସ୍ବ ସଂଗ୍ରହ ଭିତରୁ ଟିକସ ଆକାରରେ ୫୫ପ୍ରତିଶତ କେନ୍ଦ୍ରୀୟ ଅନୁଦାନରୁ ଏବଂ ନିଜସ୍ବ ଟିକସ ଓ ଅଣଟିକସ କ୍ଷେତ୍ରରୁ ବାକି ୪୫ପ୍ରତିଶତ ରାଜ୍ୟ ସରକାର ନିଜେ ସଂଗ୍ରହ କରିବାର ଲକ୍ଷ୍ୟ ରଖିଥିଲେ। ରାଜ୍ୟ ସରକାରଙ୍କ ଟିକସ ସଂଗ୍ରହର ପ୍ରମୁଖ ଉତ୍ସଗୁଡ଼ିକ ଭିତରେ ରହିଛି ଅବକାରୀ, ମୋଟରଯାନ, ପେଟ୍ରୋଲିୟମ ସାମଗ୍ରୀ, ଭାଟ, ଷ୍ଟାମ୍ପ ଡ୍ୟୁଟି ଇତ୍ୟାଦି। ରାଜ୍ୟ ସରକାରଙ୍କ ସବୁଠୁ ବଡ଼ ଭରସା ହେଉଛି ଖଣି। ହେଲେ ବିଡ଼ମ୍ବନାର କଥା ହେଉଛି ଉପରୋକ୍ତ ଉତ୍ସଗୁଡ଼ିକ ଭିତରୁ କୌଣସି ଗୋଟିଏ ହେଲେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ନାହାନ୍ତି। ଅନ୍ୟ କିଛି ବାଟ ନପାଇ ସରକାର ଶେଷରେ ଅବକାରୀ କ୍ଷେତ୍ରଟିକୁ ଖୋଲିଦେଇ କିଛି ରାଜସ୍ବ ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି। ଏହାଛଡ଼ା ପେଟ୍ରୋଲ ଓ ଡ଼ିଜେଲ ଉପରେ ଭାଟ ଲାଗୁ କରିଛନ୍ତି।
ଏ ବର୍ଷ ଲକ୍ଷ୍ୟ ଥିଲା ଟିକସ ସଂଗ୍ରହ କ୍ଷେତ୍ରକୁ ମଜଭୁତ କରାଯିବା ସହ ଅଧିକ ରାଜସ୍ବ ସଂଗ୍ରହ ପାଇଁ ନୂଆ ଉତ୍ସ ସବୁ ଚିହ୍ନଟ ହେବ। ହେଲେ କରୋନା ସବୁ ବିଗାଡ଼ି ଦେଲା। ଗତ ଦଶନ୍ଧି ଭିତରେ ରାଜସ୍ବ ବଳକା ଥିବା ଓଡ଼ିଶାରେ ଆର୍ଥିକ ସ୍ଥିତି ସେତେଟା ମଜଭୁତ ନୁହେଁ। ଏଠି ବେକାରୀ ହାର କୋଭିଡ଼ ପୂର୍ବରୁ ୧୦ ପ୍ରତିଶତ ଥିଲା। ଏବେ ୫ଲକ୍ଷ ପ୍ରବାସୀ ଆସିଲେଣି। ବେକାରୀ ଆହୁରି ଦୁଇ ଗୁଣ ବଢ଼ିଲାଣି। ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ସରକାରଙ୍କ ପାଇଁ ବଡ଼ ଆହ୍ବାନ। ସରକାର ଏବେ ମନରେଗା ଉପରେ ଅଧିକ ଭରସା ରଖିଛନ୍ତି। ମନରେଗା ସହିତ ଏମଏସଏମଇ ଏବଂ କୃଷି କ୍ଷେତ୍ରକୁ ବି ପ୍ରାଧାନ୍ୟ ଦିଆଯିବାର ଲକ୍ଷ୍ୟ ରହିଛି। ହେଲେ ବାହାରୁ ଆସିଥିବା ଶ୍ରମିକଙ୍କର ଏ ପର୍ଯ୍ୟନ୍ତ ସ୍କିଲ ମ୍ୟାପିଂ ହୋଇନାହିଁ। ତେଣୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ଆଗକୁ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି।
ଏ ବର୍ଷ ସରକାର ରାଜ୍ୟର ଅଭିବୃଦ୍ଧି ହାର ୬.୧୬ପ୍ରତିଶତକୁ ଖସିବ ବୋଲି ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟରେ ଅାକଳନ କରାଯାଇଥିଲା। ଅଭିବୃଦ୍ଧି ଜାତୀୟ ହାର(୫ପ୍ରତିଶତ)ରୁ ଅଧିକ ରହିବ ବୋଲି କୁହାଯାଇଥିଲା। ହେଲେ କରୋନା ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ଅଭିବୃଦ୍ଧି ହାର ମାତ୍ରାଧିକ ହ୍ରାସ ପାଇବାର ସମ୍ଭାବନା ରହିଛି।
ଏବେ ମୁଖ୍ୟ କଥା ହେଉଛି ଅର୍ଥ ଆସିବ କେଉଁଠୁ? ରାଜସ୍ବ ସଂଗ୍ରହର ଉତ୍ସ କେଉଁଠି ଅଛି? ଲକ୍ଷ୍ୟ ପୂରଣ ତ ଦୂରର କଥା ଗତ ଏପ୍ରିଲରେ ରାଜ୍ୟରେ ଟିକସ ସଂଗ୍ରହ ୬୦ପ୍ରତିଶତକୁ କମିଥିବାବେଳେ ମେ’ରେ ୪୮ପ୍ରତିଶତ ହ୍ରାସ ପାଇଛି। ଏହା ରାଜ୍ୟ ଅର୍ଥନୀତି ପାଇଁ ଉଦବେଗର ବିଷୟ। ଏବେ ଆର୍ଥିକ ସଙ୍କଟକୁ ମୁକାବିଲା ପାଇଁ ଋଣ ଛଡ଼ା ଅନ୍ୟ ଗତି ନାହିଁ। କିନ୍ତୁ ବିତ୍ତୀୟ ଶୃଙ୍ଖଳା ଭିତରେ ହିଁ ଋଣ କରିବାକୁ ପଡ଼ିବ । ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ ପରିଚାଳନା ଆଇନ(ଏଫଆରବିଏମ) ସର୍ତ୍ତ ଅନୁସାରେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ(ଜିଏସଡ଼ିପି)ର ୩.୫ପ୍ରତିଶତ ଏବଂ ଋଣ ଭାର ମୋଟ ଘରୋଇ ଉତ୍ପାଦର ୨୫ ପ୍ରତିଶତ ଭିତରେ ସୀମିତ ରଖିବାକୁ ପଡ଼ିବ। ରାଜ୍ୟର ଋଣ ପରିମାଣ ୨୦୧୯ ଡ଼ିସମ୍ବେର ସୁଦ୍ଧା ୮୦ହଜାର କୋଟିରେ ପହଞ୍ଚିଥିଲେ ହେଁ ଏହା ମୋଟ ଘରୋଇ ଉତ୍ପାଦର ୨୦ପ୍ରତିଶତ ଭିତରେ ସୀମିତ ରହିଛି। ହେଲେ ବର୍ତ୍ତମାନର ଦୁଃସ୍ଥିତିକୁ ଦେଖି କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ ସେମାନଙ୍କ ଆର୍ଥିକ କାର୍ଯ୍ୟକ୍ରମକୁ ଗତିଶୀଳ କରାଇବା ଲକ୍ଷ୍ୟରେ ଋଣ ପରିମାଣ ଜିଏସଡ଼ିପିର ଅତିରିକ୍ତ ୨ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଋଣ ସୀମା ବଢ଼ାଇବାକୁ ହେଲେ ଏଫଆରବିଏମ ଆଇନରେ ସଂଶୋଧନ ସହିତ ରାଜ୍ୟର ଆର୍ଥିକ କ୍ଷେତ୍ରରେ ନିର୍ଦିଷ୍ଟ ଭାବେ କେତେକ ସଂସ୍କାର ଆଣିବାକୁ ସର୍ତ୍ତ ରଖିଛନ୍ତି। କେନ୍ଦ୍ର ସର୍ତ୍ତାବଳିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ଋଣ ଆଣିବା ଲକ୍ଷ୍ୟରେ ଆର୍ଥିକ ସଂସ୍କାର ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ୫ଟି କ୍ଷେତ୍ର ଯଥା ଗୋଟିଏ ଦେଶ, ଗୋଟିଏ ରେସନ କାର୍ଡ଼, ଇଜ ଅଫ ଡ଼ୁଇଙ୍ଗ ବିଜନେସ, ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥା ଏବଂ ଶକ୍ତି କ୍ଷେତ୍ରରେ ସଂସ୍କାର ପାଇଁ ପ୍ରୟାସ ଚାଲିଛି। ସରକାର ଯେତିକି ପରିମାଣର ଋଣ ଆଣିବାକୁ ମନ ବଳାଇବେ ସେହି ଅନୁପାତରେ ଅର୍ଥନୀତିକୁ ଉତ୍ପାଦନ ଅଭିମୁଖୀ କରାଇବାକୁ ପଡ଼ିବ। ସେ ଦିଗରେ ଏବେ ଅର୍ଥ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ କସରତ ଚଳାଇଛନ୍ତି।

kalyan agarbati

Comments are closed.