ଆରବ ରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା ; ଭାରତୀୟ ଉତ୍ପାଦକୁ ବର୍ଜନ
ନୈଶ ଭୋଜି ବାତିଲ, ଭାରତର ନିନ୍ଦା
ନୂଆଦିଲ୍ଲୀ/ଆବୁଧାବି : ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମା ଓ ବହିଷ୍କୃତ ନେତା ନବୀନ କୁମାର ଜିନ୍ଦଲ ଏକ ଟିଭି ବିତର୍କରେ ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଆରବ ରାଷ୍ଟ୍ର ଗୁଡିକରେ ଭାରତ ବିରୋଧୀ ପ୍ରତିକ୍ରିୟା ତୀବ୍ର ହୋଇଛି । ଜୁନ୍ ୩ ତାରିଖରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଏକ ଟେଲିଭିଜନ ବିତର୍କରେ ଓ ନବୀନ ଜିନ୍ଦଲ ସୋସିଆଲ ମିଡିଆରେ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଭାରତର ଶାସକ ଦଳର ଦୁଇ ନେତାଙ୍କ ମନ୍ତବ୍ୟ ଯୋଗୁଁ ଆରବ ରାଷ୍ଟ୍ରଗୁଡିକ ସହିତ ଭାରତର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହେବାରେ ଲାଗିଛି। ସାଉଦି ଆରବ, କାତାର, କୁଏତ, ବାହାରିନ, ଇରାକ, ଓମାନ, ଇରାନ, ଜୋର୍ଡାନ, ୟୁଏଇ, ପାକିସ୍ତାନ, ଇଣ୍ଡୋନେସିଆରେ ଭାରତ ବିରୋଧୀ ପ୍ରତିକ୍ରିୟା ପ୍ରକାଶ ପାଇଛି।
ରବିବାର ଇରାନ, କୁଏତ, କାତାର ସରକାର ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଥିବାବେଳେ ସୋମବାର ସାଉଦି ଆରବ ଓ ବାହାରିନ ସରକାର ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛନ୍ତି। ଏହି ସବୁ ସରକାର ବିଜେପି ନେତାଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ନୂପୁର ଓ ନବୀନଙ୍କ ମନ୍ତବ୍ୟ ପାଇଁ କାତାର ସରକାର ରବିବାର ଭାରତ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଥିଲା। ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ପରେ ନୂପୁରଙ୍କୁ ଦଳରୁ ନିଲମ୍ବନ କରାଯିବା ନିଷ୍ପତ୍ତିକୁ ଏହିସବୁ ରାଷ୍ଟ୍ର ସ୍ବାଗତ କରିଛନ୍ତି। ନୂପୁରଙ୍କ ମନ୍ତବ୍ୟକୁ ନେଇ ଆରବ ରାଷ୍ଟ୍ର ଗୁଡିକର ସୃଷ୍ଟ ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇଛି । କୁଏତ ଓ କାତାରସ୍ଥିତ ଭାରତୀୟ ଦୂତାବାସ କହିଛି ଯେ ନୂପୁର ଓ ନବୀନଙ୍କ ମନ୍ତବ୍ୟ ଭାରତ ସରକାରଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ। କାହାର ବ୍ୟକ୍ତିଗତ ମନ୍ତବ୍ୟ ସହିତ ଭାରତ ସରକାରଙ୍କୁ ଜଡିତ କରାଯିବାର ଯଥାର୍ଥତା ନାହିଁ। ଭାରତର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ କହିଛି ଯେ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ କୌଣସି ପ୍ରକାରେ ଭାରତ ସରକାରଙ୍କ ମନୋଭାବକୁ ପ୍ରତିଫଳନ କରୁନାହିଁ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ, ଶାସକ ଦଳ ନେତାଙ୍କ ମନ୍ତବ୍ୟ ଉପରେ ଆରବ ରାଷ୍ଟ୍ରସମୂହରେ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଇଛି ତାହା ଅନାବଶ୍ୟକ। ବିଶେଷକରି ଇସଲାମିକ୍ ସହଯୋଗ ସଂଗଠନ (ଓଆଇସି) ପକ୍ଷରୁ ଯେଉଁ ପ୍ରତିକ୍ରିୟା ପ୍ରକାଶ କରାଯାଇଛି ତାହା ଗ୍ରହଣୀୟ ନୁହେଁ। ଭାରତ ସରକାର ସମସ୍ତ ଧର୍ମ ପ୍ରତି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଥାନ୍ତି। ପାକିସ୍ତାନ ଓଆଇସିର ସଦସ୍ୟ ରାଷ୍ଟ୍ର ହୋଇଥିବାରୁ ଏହାର ପ୍ରରୋଚନାରେ ଏହା ଭାରତ ବିରୋଧୀ ପ୍ରକ୍ରିୟା ପ୍ରକାଶ କରିଆସୁଛି।
ଅନ୍ୟପକ୍ଷରେ ସାଉଦି ଆରବ, କୁଏତ ଓ ବାହାରିନ ରାଷ୍ଟ୍ର ନିଜ ବଜାରରୁ ଭାରତୀୟ ଉତ୍ପାଦଗୁଡିକ ହଟାଇ ଦେଇଛନ୍ତି। ଭାରତୀୟ ଉତ୍ପାଦଗୁଡିକ ଏହିସବୁ ରାଷ୍ଟ୍ରରେ ବିକ୍ରି କରିବାକୁ ବାରଣ କରାଯାଇଛି। ଯାହାକି ଆରବ ରାଷ୍ଟ୍ରଗୁଡିକ ଭାରତ ସହିତ ଏକପ୍ରକାର ବାଣିଜ୍ୟିକ ସମ୍ପର୍କ ଚ୍ଛିନ୍ନ କରିଛନ୍ତି। କୁଏତସ୍ଥିତ ଅଲ୍ ଆରଡିୟା କୋ-ଅପରେଟିଭ୍ ସୋସାଇଟି ନିଜର ସୁପର ମାର୍କେଟରୁ ଭାରତୀୟ ଚା’, ଲଙ୍କାଗୁଣ୍ଡ, ଚାଉଳ ଓ ଅନ୍ୟାନ୍ୟ ଉତ୍ପାଦ ଗୁଡିକ ହଟାଇ ଦେଇଛି। ସୁପର ମାର୍କେଟର ସିଇଓ ନାସେର ଅଲ୍ ମୁତାଇରି କହିଛନ୍ତି ଯେ, ଜଣେ ମୁସଲମାନ ଭାବେ ମହମ୍ମଦଙ୍କ ପ୍ରତି ଅପମାନକୁ ସହ୍ୟ କରିପାରିବୁ ନାହିଁ। ଗଲ୍ଫ କୋ-ଅପରେସନ କାଉନସିଲ (ଜିସିସି) ରାଷ୍ଟ୍ରଗୁଡିକ ସହିତ ଭାରତର ବାର୍ଷିକ ୯୦୦୦ କୋଟି ଡଲାରର ବାଣିଜ୍ୟ କାରବାର କରିଥାଏ। କାଇରୋସ୍ଥିତ ଅଲ-ଆଝାର ବିଶ୍ବବିଦ୍ୟାଳୟ କହିଛି ଯେ ନୂପୁରଙ୍କ ମନ୍ତବ୍ୟ ବାସ୍ତବରେ ଆତଙ୍କବାଦର କାର୍ଯ୍ୟ। ଏହା ସମଗ୍ର ବିଶ୍ବକୁ ସଙ୍କଟ ଓ ଯୁଦ୍ଧ ମଧ୍ୟକୁ ଟାଣି ନେଇଛି। ଆରବ ରାଷ୍ଟ୍ରଗୁଡିକରେ ଏବେ ପ୍ରାୟ ୮୭ଲକ୍ଷ ଭାରତୀୟ ବସବାସ କରୁଥିବାବେଳେ ସେମାନଙ୍କ ପ୍ରତି ବିେଦ୍ବଷ ଭାବ ସୃଷ୍ଟି ହେବାରେ ଲାଗିଛି।
ଅନ୍ୟପକ୍ଷରେ ଆରବ ରାଷ୍ଟ୍ର ଗୁଡିକରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବେ କାତାର ଗସ୍ତରେ ଅଛନ୍ତି। ବିଭିନ୍ନ ଆରବ ରାଷ୍ଟ୍ର ଗସ୍ତରେ ଥିବା ନାଇଡୁ ସୋମବାର କାତାରରେ ପହଞ୍ଚିଛନ୍ତି। ନାଇଡୁଙ୍କ ଗସ୍ତ ପାଇଁ କାତାରର ଡେପୁଟି ଏମିର ଆୟୋଜନ କରିଥିବା ସ୍ବତନ୍ତ୍ର ନୈଶ୍ୟ ଭୋଜିକୁ ବାତିଲ କରିଦେଇଛନ୍ତି।
ଅପରପକ୍ଷରେ ବିବାଦୀୟ ମନ୍ତବ୍ୟକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଦେଇଥିବା ପ୍ରତିକ୍ରିୟାକୁ ଭାରତ ନିନ୍ଦା କରିଛି। ରବିବାର ସେହବାଜ ସରିଫ କହିଥିଲେ ଯେ, ଭାରତ ନିୟମିତ ଭାବେ ସଂଖ୍ୟାଲଘୁଙ୍କ ଅଧିକାରକୁ ଉଲ୍ଲଙ୍ଘନ କରୁଛି। ସୋମବାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ପାକିସ୍ତାନ ନିୟମିତ ଭାବେ ଭାରତର ସଂଖ୍ୟାଲଘୁଙ୍କ ପ୍ରସଙ୍ଗ ଉଠାଇ ଆସୁଛି। ମାତ୍ର ପାକିସ୍ତାନ ସରକାର ନିଜ ଦେଶରେ ସଂଖ୍ୟାଲଘୁଙ୍କ ଅଧିକାରକୁ କ୍ଷୁଣ୍ଣ କରିଆସୁଛନ୍ତି। ପାକିସ୍ତାନରେ ହିନ୍ଦୁ, ଶିଖ୍, ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି। ମାତ୍ର ଭାରତରେ ସଂଖ୍ୟାଲଘୁଙ୍କ ସଂଖ୍ୟା ବୃଦ୍ଧି ପାଇ ସଂଖ୍ୟାଗରିଷ୍ଠ ହେବାରେ ଲାଗିଛି। ଭାରତରେ ସଂଖ୍ୟାଲଘୁଙ୍କୁ ଯେପରି ସୁବିଧା ସୁଯୋଗ ପ୍ରଦାନ କରାଯାଉଛି, ତାହା ବିଶ୍ବର ଅନ୍ୟ କୌଣସି ରାଷ୍ଟ୍ରରେ ମିଳି ନଥାଏ।
Comments are closed.