ଗୁଜରାଟରେ ଆପ୍‌ର ସ୍ଥିତି ନାହିଁ, କଂଗ୍ରେସର ବିଜୟ ନିଶ୍ଚିତ : ରାହୁଲ

ହାଇଦରାବାଦ୍‌  : ଆଗାମୀ ଦିନରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏଥିରେ କଂଗ୍ରେସ ଦଳ ବିଜୟୀ ହୋଇ କ୍ଷମତା ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଭାରତ ଯୋଡ଼ୋ ଯାତ୍ରାରେ ବାହାରିଥିବା ରାହୁଲ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଗୁଜରାଟରେ ଶାସକ ବିଜେପି ବିରୋଧରେ ଜନଅସନ୍ତୋଷ ରହିଛି। ତେଣୁ ଏହି ଦଳ ଆଗାମୀ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ନିଶ୍ଚିତ। ସେହିପରି ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଗୁଜରାଟରେ ହଟଚମଟ ସୃଷ୍ଟି କରୁଥିବା ବେଳେ ଏହି ଦଳର ସେଠାରେ କୌଣସି ସ୍ଥିତି ନାହିଁ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ କ୍ଷମତା ଦଖଲ କରିବ। ବର୍ତ୍ତମାନ ସମୟରେ ଦୁଇଟି ଚିନ୍ତାଧାରାକୁ ନେଇ ଦେଶରେ ଲଢ଼େଇ ଚାଲିଛି। ଗୋଟିଏ ଚିନ୍ତାଧାରା ଦେଶକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ବେଳେ ଆଉ ଗୋଟିଏ ଚିନ୍ତାଧାରା ଦେଶକୁ ଯୋଡ଼ିବାକୁ ଚାହୁଁଛି। ଆରଏସଏସ ଓ ବିଜେପିର ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ରୋକିବାକୁ ସମସ୍ତ ବିରୋଧୀ ଦଳ ମିଳିମିଶି କାମ କରିବା ଆବଶ୍ୟକ।
ଯେତେବେଳେ କଂଗ୍ରେସର ଚିନ୍ତାଧାରା ବିସ୍ତାର ହେବ ଏହାକୁ ଦେଶବାସୀ ବୁଝିପାରିବେ ସେତେବେଳେ ବିଜେପିର ପତନ ଆରମ୍ଭ ହେବ ବୋଲି ରାହୁଲ କହିଛନ୍ତି। ଦେଶର ଧର୍ମନିରପେକ୍ଷତା, ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଥିବା ସଦ୍‌ଭାବକୁ ନଷ୍ଟ କରିବାକୁ କେତେକ ଗୋଷ୍ଠୀ ଚକ୍ରାନ୍ତ କରୁଛନ୍ତି ତେବେ ସେମାନଙ୍କ ଚକ୍ରାନ୍ତ କେବେ ସଫଳ ହେବ ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ରାହୁଲ ଚେତାବନୀ ଦେଇଛନ୍ତି।

Comments are closed.