ବିଶ୍ବକପ୍‌ ଜିତିବାକୁ ଆମେ ପ୍ରତିବଦ୍ଧ : ରୋହିତ

ନୂଆଦିଲ୍ଲୀ : ଏକ ଦଶନ୍ଧି ହେଲା ଭାରତ କୌଣସି ଆଇସିସି ଟ୍ରଫି ଜିତିନାହିଁ। ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବ। ଏହି ବିଶ୍ବକପ୍‌ ଜିତିବାକୁ ଭାରତୀୟ ଖେଳାଳି ବ୍ୟଗ୍ର ଓ ପ୍ରତିବଦ୍ଧ । ବିଶ୍ବକପ୍‌ ପାଇଁ ଦଳର ​‌ଖେଳାଳିଙ୍କ ଅାତ୍ମବିଶ୍ବାସ ଶିଖରରେ ରହିଛି ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା। ତାଙ୍କ ଭାଷାରେ, ମୁଁ ଖେଳିବା ସମୟରେ ଦିନିକିଆ ବିଶ୍ବକପ୍‌ ଜିତିନାହିଁ। ମୋର ସ୍ବପ୍ନ ବିଶ୍ବକପ୍‌ ଜିତିବା ଏବଂ ଏଥିପାଇଁ ସଂଘର୍ଷ କରିବାକୁ ଆମେ ପ୍ରସ୍ତୁତ। ଏହାଠାରୁ ଆମକୁ ଆଉ କିଛି ଏତେ ଖୁସି ଦେବନାହିଁ। ବିଶ୍ବକପ୍‌ ଜିତିବା ସହଜ ନୁହେଁ। ଏଥିପାଇଁ ତୁମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଗତ ବେଶ୍‌ କିଛିବର୍ଷ ହେଲା ଆମେ ଏହା ହିଁ କରୁଛୁ। ଦଳର ସମସ୍ତ ଖେଳାଳି ପଡ଼ିଆକୁ ଓହ୍ଲାଇ ଦେଶକୁ ବିଶ୍ବକପ୍‌ ଜିତାଇବା ଲାଗି ପ୍ରତିବଦ୍ଧ ଅଛନ୍ତି। ଆମେ ଜାଣିଛୁ ବିଶ୍ବକପ୍‌ ଚମ୍ପିଆନ୍ ହେବା ପରି ଦଳ ଆମର ରହିଛି। ଆମେ ସମସ୍ତେ ଭଲ ଖେଳାଳି। ଭଲ ଖେଳି ବିଶ୍ବକପ୍‌ ଜିତିବାର ଆତ୍ମବିଶ୍ବାସ ସମସ୍ତଙ୍କ ପାଖରେ ରହିଛି। ଆମେ ଘରୋଇମାଟିରେ ବିଶ୍ବକପ୍‌କୁ ହାଲୁକା ଭାବେ ନେଉନାହୁଁ।। ୨୦୨୨ ଟି୨୦ ବିଶ୍ବକପ୍‌ରେ ପରାଜୟ ପରେ ଆମେ ୨୦୨୩ ଦିନିକିଆ ବିଶ୍ବକପ୍‌ ଜିତିବାର ପଣ କରିଥିଲୁ। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଜିତିବା ପାଇଁ ମଧ୍ୟ ଆମେ ପ୍ରୟାସ କରିବୁ। ମୁଁ ବ୍ୟାଟ୍‌ସମ୍ୟାନ ଭାବେ ଦଳକୁ ଜିତାଇବା ପାଇଁ ଚାହିଁବି। ନେତୃତ୍ବ ମୋ ପାଇଁ ପ୍ରାଥମିକତା ନୁହେଁ। ଅଧିନାୟକ ଭାବେ ମୁଁ ବଡ଼ ସ୍କୋର୍ କଲେ ଦଳ ଜିତିପାରିବ।

Comments are closed.