www.samajalive.in
Sunday, December 7, 2025
23.1 C
Bhubaneswar

କୋଇଲା ଖଣିରେ ଠିକା ନିଯୁକ୍ତି: ବିସ୍ଥାପିତଙ୍କୁ ପ୍ରାଧାନ୍ୟ, ପୁଲିସ ଯାଞ୍ଚ କଡ଼ାକଡ଼ି

ବ୍ରଜରାଜନଗର: ବିଗତ ଦିନରେ କୋଇଲା ବଟି ଓ ପତିଆରାର ଲଢେଇକୁ ନେଇ ବ୍ରଜରାଜନଗର ଅଂଚଳରେ ଅନେକ ମୁଣ୍ଡ ଗଡ଼ି ସାରିଛି। ହେଲେ ଏହା ପଛର ମୂଳ କାରଣ ହେଉଛି କୋଇଲା ଖଣିରୁ ମିଳୁଥିବା ମୋଟା ଆକାରର ବଟି ଏବଂ କମିସନ୍‍। ଅପରାଧିକ ପୃଷ୍ଠଭୂମି ସହିତ ଜଡ଼ିତ ଥିବା ଅନେକ ଗୋଷ୍ଠୀ କୋଇଲା ଖଣିରେ ନିୟୋଜିତ ଥିବା ଠିକା ସଂସ୍ଥା ଗୁଡ଼ିକୁ ଧମକାଇ ଚମକାଇ ତଥା ବାହୁବଳ ଦେଖାଇ ହାତ ବାରିସୀ ଭାବେ ବ୍ୟବହାର କରି ଆସିଛନ୍ତି। ଏହି କ୍ଷେତ୍ରରେ ନିଯୁକ୍ତି ପ୍ରଦାନ ବେଳେ ବି ଏହି ଅସାମାଜିକ ଗୋଷ୍ଠିଙ୍କ ଇଛା ଚରିତାର୍ଥ ହୋଇ ଆସୁଛି। ହେଲେ ଏସବୁ ବେଆଇନ କାମ ଉପରେ ଲାଗମ ଲଗାଇବାକୁ ପ୍ରଶାସନ ଅଂଟା ଭିଡ଼ିଛି। ଏଣିକି ନିଯୁକ୍ତିରେ କୌଣସି ସୁପାରିଶ କାମ ଦେବ ନାହିଁ। ଏବେ କେବଳ ନିଯୁକ୍ତି କ୍ଷେତ୍ରରେ ବିସ୍ଥାପିତ ତଥା ଜମି ହରାଙ୍କୁ ପ୍ରଧାନ୍ୟ ଦିଆଯିବ। ସେହି ପରି ନିଯୁକ୍ତି ପୂର୍ବରୁ ଆବେଦନକାରୀଙ୍କ ଅପରାଧିକ ରେକର୍ଡ ଯାଂଚକୁ ବାଧ୍ୟତାମୂଳକ କରାଯାଇଛି।
କୋଇଲା ଖଣି ଗୁଡ଼ିକର ଓଭରବର୍ଡନ ଓ କୋଇଲା ଖନନ ପାଇଁ ଠିକା ସଂସ୍ଥାକୁ ନିୟୋଜିତ କରାଯାଇଥାଏ। ବ୍ରଜରାଜନଗର ଅଂଚଳରେ ଏହି ଠିକା ସଂସ୍ଥା ଗୁଡ଼ିକ ବିଗତ କିଛି ବର୍ଷ ଧରି ଅସାମାଜିକ ତଥା ରାଜନୈତିକ ପତିଆରା ଥିବା ବ୍ୟକ୍ତି ବିଶେଷଙ୍କର ଇଙ୍ଗିତରେ ପରିଚାଳିତ ହୋଇ ଆସିଛନ୍ତି। ଠିକା ସଂସ୍ଥା ଗୁଡ଼ିକରୁ ମୋଟା ଅଙ୍କର ବଟି ଓ କମିସନ ନେଇ ସ୍ଥାନୀୟ ଅଂଚଳର ରାଜନେତା ଓ ଅପରାଧିକ ଗୋଷ୍ଠୀ ମାଲେମାଲ ହୋଇ ଆସିଛନ୍ତି। ଏହି ଠିକା ସଂସ୍ଥା ଗୁଡ଼ିକର ସମସ୍ତ ପ୍ରଶାସନିକ କାମରୁ ଆରମ୍ଭ କରି ନିଯୁକ୍ତି ଯାଏଁ ରାଜନେତା ଓ ଅପରାଧୀ ଗୋଷ୍ଠୀ ହସ୍ତକ୍ଷେପ କରି ଆସିଛନ୍ତି। ଯାହା ଫଳରେ ଅତୀତରେ ଏହାକୁ ନେଇ ଅନେକ ଗ୍ୟାଙ୍ଗୱାର ହେବା ସହ ଗୁଣ୍ଡ ଗଡ଼ି ଆସିଛି। ତେବେ ଏହି ପ୍ରକ୍ରିଆରେ ରୋକ ଲଗାଇବାକୁ ପ୍ରଶାସନ ଖସଡ଼ା ପ୍ରସ୍ତୁତ କରି ସାରିଛି। ପୂର୍ବରୁ ବିସ୍ଥାପିତ ତଥା ଜମି ହରାମାନେ ସାମାନ୍ୟ ନିଯୁକ୍ତି ପାଇଁ ନିଜ ହକ ଥିବା ସତ୍ୱେ ବର୍ଷ ବର୍ଷ ଧରି ପ୍ରଶାସନର ଦ୍ୱାରସ୍ଥ ହୋଇ ଆସୁଥିଲେ। ତଥାପି ସେମାନଙ୍କୁ ନିରାଶ ହେବାକୁ ପଡ଼ୁଥିଲା। ଏମାନଙ୍କର ଜମି ଯାଉଥିଲେ ହେଁ ଅପରାଧିକ ଗୋଷ୍ଠିଙ୍କ ସୁପାରିସରେ ଅଣ ଓଡ଼ିଶା ତଥା ବାହାର ରାଜ୍ୟର ବାସିନ୍ଦା ଚାକିରି ହାତେଇ ନେଉଥିଲେ। ହେଲେ ଏବେ ଏହି ପ୍ରକ୍ରିଆରେ ବିରାମ ପଡ଼ିବାକୁ ଯାଉଛି।
ଏନେଇ ସେପଟେମ୍ବର ୭ ତାରିଖ ଅନୁଷ୍ଠିତ ପୁଲିସ ଏବଂ ପ୍ରଶାସନର ଏକ ମିଳିତ ବୈଠକରେ ପ୍ରଥମେ ବିସ୍ଥାପିତ ଏବଂ ଜମିହରା ବେକାରଙ୍କୁ କୋଇଲା ଖଣିର ଠିକା ସଂସ୍ଥାରେ ଅଗ୍ରାଧିକାର ଭିତ୍‍ତିରେ ନିଯୁକ୍ତି ଦିଆଯିବ। ପରେ ସ୍ଥାନୀୟ ଯୁବକ ଯୁବତୀକୁ ନିଯୁକ୍ତି ଏବଂ ପଦବୀ ଖାଲି ରହିଲେ ପରବର୍ତି ସମୟରେ ରାଜ୍ୟ ତଥା ରାଜ୍ୟ ବାହାର ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ସ୍ଥିର ହୋଇଥିବା ଉପ ଜିଲ୍ଲାପାଳ ଶିବ ଶଙ୍କର ଟପ୍ପୋ ସୂଚନା ପ୍ରଦାନ କରିଛନ୍ତି। ସେହି ପରି ଠିକା ସଂସ୍ଥା ଗୁଡ଼ିକରୁ ସୁରକ୍ଷା ଦୃଷ୍ଟିରୁ ସିସି ଟିଭି ଲଗାଇବା, କର୍ମଚାରୀଙ୍କ ସାଲେରୀ ସ୍ଲିପରେ ସିଏମପିଏଫ୍‍ ନମ୍ବର ଉଲ୍ଲେଖ କରିବା, ବାହାର ରାଜ୍ୟର କର୍ମଚାରୀଙ୍କ ପୋଲିସ ଭିରିଫିକେସନ ରିପୋର୍ଟ ଜମା କରିବାକୁ କୁହାଯାଇଥିବା ଶ୍ରୀ ଟପ୍ପୋ ସୂଚନା ପ୍ରଦାନ କରିଛନ୍ତି।
ଅନ୍ୟପଟେ କୋଇଲା ଖଣିରେ କାମ କରୁଥିବା ଠିକା ସଂସ୍ଥା ଗୁଡ଼ିକ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକୁ ପାଳନ କରିବା ଆରମ୍ଭ କରିଛନ୍ତି। ଲଜୁକରା କୋଇଲା ଖଣିରେ ଓଭର ବର୍ଡନ କାର୍ଯ୍ୟରେ ନିୟୋଜିତ ଅହମଦାବାଦର ନୀଳକଣ୍ଠ କମ୍ପାନୀ ପକ୍ଷରୁ ବିସ୍ଥାପିତ ଓ ଜମି ହରାଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ପ୍ରଦାନ କରାଯାଉଥିବା ବିଭାଗୀୟ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। ଏହି କ୍ରମରେ କମ୍ପାନୀ ୪୦ ପ୍ରତିଶତ କର୍ମଚାରୀ ସାଙ୍ଗରେ ଆଣିଥିବା ବେଳେ ୬୦ ପ୍ରତିଶତ ନିଯୁକ୍ତିରେ ବିସ୍ଥାପିତ ଓ ଜମି ହରାଙ୍କୁ ପ୍ରଥମେ ପ୍ରାଧାନ୍ୟ ପ୍ରଦାନ କରାଯିବ ବୋଲି କମ୍ପାନୀ କତୃପକ୍ଷ କହିଛନ୍ତି। ସେହି ପରି ସୁରକ୍ଷା ଦୃଷ୍ଟିରୁ ସିସି ଟିଭି ଲଗାଯାଇଥିବା କୁହାଯାଇଛି। ଲଖନପୁର ଖଣି ଅଂଚଳରେ କାମ କରୁଥିବା ବିଜିଆର କମ୍ପାନୀ ମଧ୍ୟ ସ୍ଥାନୀୟ ଜମି ହରା, ବିସ୍ଥାପିତ ଓ କୋଇଲା ଖଣି ପ୍ରଭାବିତଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ପ୍ରଦାନ କରୁଥିବା ସୂଚନା ପ୍ରଦାନ କରିଛି। ସେହି ପରି କମ୍ପାନୀ ଗୁଡ଼ିକରେ କାର୍ଯ୍ୟରତ ବାହାର ରାଜ୍ୟ କର୍ମଚାରୀଙ୍କ ପୋଲିସ ଯାଂଚ ରିପୋର୍ଟ ସ୍ଥାନୀୟ ଥାନାରେ ଜମା କରାଯାଇଥିବା କମ୍ପାନୀ କତୃପକ୍ଷ ସ୍ପଷ୍ଟ କରିଛନ୍ତି।
ଅପରପକ୍ଷେ ସ୍ଥାନୀୟ ଅଂଚଳରେ ଅପରାଧ ଉପେର ରୋକ ଲଗାଇବା ସହିତ ପେଶାଦାର ଅପରାଧୀର ଗତିବିଧି ଉପରେ କଡ଼ା ନଜର ରଖିବା ଏବଂ ସ୍ଥାନୀୟ ଅଂଚଳବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରି ଏଭଳି ପଦକ୍ଷେପ ନିଆଯାଇଥିବା ବ୍ରଜରାଜନଗର ଏସଡ଼ିପିଓ ଦିଲୀପ ଦାସ ସୂଚନା ପ୍ରଦାନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories