ଡେସ୍କ: ମାତ୍ର ସାତ ମାସ ମଧ୍ୟରେ ରାଜ୍ୟ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ଚାରିକୋଟି ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରାଯାଉଛି।
ସେ କହିଛନ୍ତି, ୨୦୩୬ ସୁଦ୍ଧା ଓଡିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଏକ ପ୍ରମୁଖ ବିକାଶ ଇଂଜିନ୍ ଭାବରେ ଗଢି ତୋଳିବା ହେଉଛି ଲକ୍ଷ୍ୟ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ସରକାର, ସିଙ୍ଗାପୁର ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି ଓ ଏହା କାର୍ଯ୍ୟକାରୀ ହେବା ପରେ ସମ୍ପୃକ୍ତ କ୍ଷେତ୍ର ଗୁଡିକରେ ଆମ ରାଜ୍ୟ ଓଡିଶା ବିଶ୍ୱର ଅଗ୍ରଣୀ ଦେଶ ମାନଙ୍କ ସହିତ ସମକକ୍ଷ ହୋଇପାରିବ।
ବୁଝାମଣା ପତ୍ର ଅନୁଯାୟୀ, ଓଡିଶାରେ ବିଶ୍ୱସ୍ତରୀୟ ବହୁମୁଖୀ ଶିଳ୍ପ ପାର୍କ ପ୍ରତିଷ୍ଠା, ପାରାଦୀପରେ ଏକ ଗ୍ରୀନ ସିପିଙ୍ଗ୍ କରିଡର୍ ଓ ଏକ ଗ୍ରୀନ ହାଇଡ୍ରୋଜେନ୍ ପ୍ଲାଣ୍ଟ ସ୍ଥାପନ, ପାରାଦୀପ ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟର ପ୍ଲାନ, ଭୁବନେଶ୍ୱର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ , ଗ୍ରୀନ ହାଇଡ୍ରୋଜେନ୍ ଓ ସୋଲାର୍ ଏନର୍ଜି ପରି ବିଭିନ୍ନ ବିକଳ୍ପ ସମାଧାନ ଓ ଫାଇନାନ୍ସିଆଲ୍ ଟେକ୍ନୋଲୋଜି ଇକୋସିଷ୍ଟମ ବିକାଶ କରିବା ଭଳି ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।



