କେନ୍ଦୁଝରଗଡ଼଼ : କେନ୍ଦୁଝର ସଦର ତହସିଲ ଅଧିନ ଟିକରପଡା ଓ କାଦଗଡ଼ ଗ୍ରାମରେ ମେସର୍ସ ଏସାର ମୀନମେଟ ଲିମିଟେଡ ପକ୍ଷରୁ ବାର୍ଷିକ ୧୪.୩ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଲୁହାପଥର ବିଶୋଧନକରଣ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ପରିବେଶୀୟ ମଞ୍ଜୁରୀ ନିମନ୍ତେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ମହାଦେଇଯୋଡା ଠାରେ ଶନିବାର ପ୍ରଭାବିତ ହେବାକୁ ଥିବା ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଦ୍ୱିତୀୟଥର ପାଇଁ ଜନଶୁଣାଣୀର ଆୟୋଜନ କରାଯାଇଥିଲା।
ପୂର୍ବରୁ ଗତ ଅକ୍ଟୋବର ୨୮ ତାରିଖରେ ଧାର୍ଯ୍ୟ ଜନଶୁଣାଣୀକୁ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ ଯୋଗୁଁଁ ସ୍ଥଗିତ ରଖାଯାଇଥିବା ବେଳେ ଶନିବାର ଅନୁଷ୍ଠିତ ହେବାକୁଥିବା ଜନଶୁଣାଣୀ କିଭଳି ସଫଳ ହେବ ସେ ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଶନିବାର ପୂର୍ବାହ୍ନ ୧୧ଟାରୁ ଏହି ଜନଶୁଣାଣୀ ଆରମ୍ଭ ହେବାକୁ ଥିବାବେଳେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପ ସପକ୍ଷରେ ମତସାବ୍ୟସ୍ତ କରିବାକୁ ଥିବା ବ୍ୟକ୍ତିଙ୍କୁ କଡା ସୁରକ୍ଷା ବ୍ୟବସ୍ଥାରେ ସଭାସ୍ଥଳରେ ପ୍ରବେଶ ଅନୁମତି ପ୍ରଦାନ କରାଯାଇଥିବା ବେଳେ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ କରିବାକୁ ଥିବା ଟିକରପଡା ଓ କାଦଗଡ଼ ଗ୍ରାମର ମହିଳା ଓ ପୁରୁଷଙ୍କୁ ସଭାସ୍ଥଳ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯାଇନଥିଲା।
ଧାର୍ଯ୍ୟ ସମୟ ମଧ୍ୟରେ ଅତିରିକ୍ତ ଜିଲାପାଳ ଆଲୋକ କୁମାର ପ୍ରଧାନ ଓ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କେନ୍ଦୁଝରର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କୁମାର କର ସଭାସ୍ଥଳରେ ପହଞ୍ଚି ଜନଶୁଣାଣୀ ପାଇଁ ମତାମତ ଲୋଡିଥିଲେ। ପୂର୍ବରୁ ସଭାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୪୪ଜଣ ପ୍ରକଳ୍ପ ସପକ୍ଷରେ ସେମାନଙ୍କ ମତ ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରସ୍ତାବିତ ସ୍ଥାନରେ ଆଜକୁ ୧୦ବର୍ଷ ତଳେ ଷ୍ଟେରଲାଇଟ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ପକ୍ଷରୁ ଏକ ବୃହତ୍ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ ଜନଶୁଣାଣୀ ସହ ଜମି ଅଧିକଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଥିଲେ ହେଁ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ ଆଗରେ ମୁଣ୍ଡ ନୁଆଁଇ ଶେଷରେ ଷ୍ଟେରଲାଇଟ୍ କମ୍ପାନୀ ପ୍ରକଳ୍ପରୁ ଓହରିଯିବାକୁ ବାଧ୍ୟ ହୋଇଥିଲା।
ତେବେ ଶନିବାର ପୁଲିସ ଛାଉଣୀରେ ଅନୁଷ୍ଠିତ ଜନଶୁଣାଣୀକୁ ଏସାର ମୀନମେଟ୍ କମ୍ପାନୀ ନିଜ ସପକ୍ଷରେ କରିବାକୁ ସକ୍ଷମ ହୋଇଥିବା ବେଳେ ଜମି ଅଧିଗ୍ରହଣ ହୋଇ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁଛି କି ନାହିଁ ତାହା ସମୟ କହିବ ବୋଲି ଅନେକ ପ୍ରକାଶ କରିଛନ୍ତି।



