‘ସଫଳ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କୁ ମିଳିବ ସହଜ ଋଣ

ଭୁବ‌େ‌ନଶ୍ବର : ଚାଷୀଙ୍କୁ ସହଜରେ ଋଣ ଯୋଗାଇଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକକ ଋଣ ପୋର୍ଟାଲ ‘ସଫଳ’ର ଶୁଭାରମ୍ଭ କରିଛନ୍ତି। କୃଷି ଋଣ ପାଇଁ ଏହା ହେଉଛି ଏକ ସରଳୀକୃତ ଆପ୍ଲିକେସନ । ଚାଷୀ ଏବଂ କୃଷି ଉଦ୍ୟୋଗୀଙ୍କ ଋଣ ବ୍ୟବସ୍ଥାରେ ଏହା କ୍ରାନ୍ତିକାରୀ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଭାସି ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଶୁଭାରମ୍ଭକୁ ନେଇ ଖୁସି ପ୍ରକଟ କରିଥିଲେ। ସେ କହିଥିଲେ, ସରକାରୀ ଏବଂ ଘରୋଇ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କରୁ ଋଣ ପାଇଁ ଚାଷୀ ଏବଂ କୃଷି ଉଦ୍ୟୋଗୀଙ୍କୁ ଏହି ଆପ୍ଲିକେସନ ୱାନ-ଷ୍ଟପ୍-ସଲ୍ୟୁସନ ଯୋଗାଇବ। ୪୦ରୁ ଅଧିକ ବ୍ୟାଙ୍କ ଦ୍ବାରା ଦିଆଯାଉଥିବା ୩୦ରୁ ଊର୍ଦ୍ଧ୍ବ ରକମର କୃଷିଋଣ ସେମାନେ ପାଇପାରିବେ। ୭୦ରୁ ଅଧିକ ମଡେଲ ପ୍ରକଳ୍ପ ରିପୋର୍ଟ ସହ ଏହାକୁ ‘କୃଷକ ଓଡ଼ିଶା’ ସହିତ ସମନ୍ବିତ କରାଯାଇଛି। ଚାଷୀ ଏବଂ ବ୍ୟାଙ୍କର ଫାଇଦା ପାଇଁ ଏହା ଋଣ ଆବେଦନ ପ୍ରକ୍ରିୟାକୁ ସହଜ କରିବ। ଏହି ପୋର୍ଟାଲ କୃଷକଙ୍କୁ ସେମାନଙ୍କ ଋଣ ଆବେଦନର ପ୍ରତିଟି ସ୍ଥିତିର ରିଅଲ ଟାଇମ୍
ନୋଟିଫିକେସନ ପଠାଇବ। ରାଜ୍ୟଗୁଡ଼ିକର ଋଣ ଚାହିଦା ଏବଂ ବଣ୍ଟନର ସମ୍ପୂର୍ଣ୍ଣ ସ୍ଥିତି ସରକାରଙ୍କୁ ‘ସଫଳ’ ପ୍ରଦାନ କରିବ। ରାଜ୍ୟର କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଏବଂ କୃଷକଙ୍କ ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବାରେ ‘ସଫଳ’ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।
ଆମ ଅର୍ଥନୀତିର ମେରୁଦଣ୍ଡ ହେଉଛନ୍ତି ଚାଷୀ। ଆମ ଲୋକଙ୍କ ସାମାଜିକ-ଅର୍ଥନୈତିକ ବିକାଶର ଚାବିକାଠି ହେଉଛି କୃଷିକ୍ଷେତ୍ର। ରାଜ୍ୟରେ ସବୁଠୁ ବଡ଼ ନିଯୁକ୍ତିଦାତା ହେଉଛି କୃଷି। ତେଣୁ ରାଜ୍ୟ ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର ଧ୍ୟାନ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅର୍ଥନୈତିକ ପ୍ରକ୍ରିୟାରେ ଚାଷୀଙ୍କ ଅନ୍ତର୍ଭୁକ୍ତୀକରଣକୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଥିଲେ। କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚାଷୀଙ୍କ କଲ୍ୟାଣ ଏବଂ ଅର୍ଥନୈତିକ ବିକାଶ ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। କୃଷି ଉତ୍ପାଦନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୀବ ଚୋପ୍ରା କୃଷିକ୍ଷେତ୍ରରେ ଓଡ଼ିଶାର ସଫଳତା ସମ୍ପର୍କରେ କହିଥିଲେ। ଆରବିଆଇ ଇନୋଭେସନ ହବର ସିଇଓ ଏବଂ ୟୁକୋ ବ୍ୟାଙ୍କ ସିଏମଡି ଏହି ଅବସରରେ ବକ୍ତବ୍ୟ‌ ରଖିଥିଲେ। ଚାଷୀଙ୍କୁ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେମାନେ ଆଶ୍ବାସନା ଦେଇଥିଲେ। କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବାବେଳେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ଧନ୍ୟବାଦ ଦେଇଥିଲେ।

kalyan agarbati

Comments are closed.