www.samajalive.in
Monday, December 15, 2025
24.1 C
Bhubaneswar

ରାଜସ୍ୱ ସେବାକୁ ମଧ୍ୟସ୍ଥ ମୁକ୍ତ, ଦୁର୍ନୀତିମୁକ୍ତ କରାଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ରାଜ୍ୟର ୧୩ ଜିଲ୍ଲାର ୪୪ ତହସିଲରେ ନୂତନ ଉପ-ନିବନ୍ଧନ କାର୍ଯ୍ୟାଳୟକୁ ଆଭାସୀ ଜରିଆରେ ଶନିବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପର୍ଯ୍ୟାୟକ୍ରମେ ରାଜ୍ୟର ସବୁ ତହସିଲରେ ଏହି କାର୍ଯ୍ୟାଳୟ ଖୋଲାଯିବ ବୋଲି ଲୋକ ସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମ ବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ସରକାରୀ ସେବା ସୁବିଧାରେ ପାଇବା ହେଉଛି ଲୋକଙ୍କ ଅଧିକାର। ଲୋକଙ୍କୁ ସମ୍ମାନର ସହିତ ଉତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ରାଜସ୍ୱ ରେଜିଷ୍ଟ୍ରେସନ ଇନସ୍ପେକ୍ଟର ଜେନେରାଲ ପି. ଅନ୍ବେଷା ରେଡ୍ଡୀଙ୍କ ସହିତ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଭାସୀ ଜରିଆରେ ୧୩ଟି ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲଦାର ଓ ସବ୍‌-ରେଜିଷ୍ଟ୍ରାରମାନେ ଯୋଗଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ରାଜ୍ୟର ସମୁଦାୟ ୩୧୭ ତହସିଲ ମଧ୍ୟରୁ ୨୧୭ ତହସିଲରେ ପୂର୍ବରୁ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲାଯାଇଛି। ଅବଶିଷ୍ଟ ୧୦୦ରୁ ଆଜି ୪୪ଟି କାର୍ଯ୍ୟାଳୟ ଖୋଲାଗଲା। ବାକି ୫୬ଟି ପର୍ଯ୍ୟାୟକ୍ରମେ ଚଳିତବର୍ଷ ଶେଷ ସୁଦ୍ଧା ଖୋଲିବା ପାଇଁ ଯୋଜନା ରଖାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ୧୬ ମାସ ଧରି ଆମ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣିଛନ୍ତି। ଆମର ମୂଳ ଲକ୍ଷ୍ୟ ହେଉଛି ଶାସନ ବ୍ୟବସ୍ଥାକୁ ସ୍ୱଚ୍ଛ, ପାରଦର୍ଶୀ ଓ ଲୋକାଭିମୁଖୀ କରିବା। ଯେତେଦୂର ସମ୍ଭବ ଶାସନ ବ୍ୟବସ୍ଥାକୁ ଲୋକଙ୍କ ଦୁଆର ମୁହଁକୁ ନେବା ହେଉଛି ଆମର ମୁଖ୍ୟ ଲକ୍ଷ୍ୟ। ଖୁସିର କଥା ଏହା ହାସଲ କରିବା ପାଇଁ ଟେକ୍ନୋଲୋଜିର ଉପଲବ୍ଧତା ରହିଛି। ଟେକ୍ନୋଲୋଜିର ବ୍ୟବହାର କରି ସରକାର ଲୋକଙ୍କ ନିକଟତର ହୋଇପାରୁଛନ୍ତି ଏବଂ ଜନସାଧାରଣ ଘରେ ବସି ଅନେକ ସରକାରୀ ସେବା ସୁବିଧାରେ ପାଇପାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟ ସରକାର ୩୨ ବିଭାଗର ୪୩୩ଟି ସେବାକୁ ଅନ୍‌ଲାଇନ ଜରିଆରେ ଯୋଗାଇ ଦେଉଛନ୍ତି। ନିକଟରେ ଜମିଜମା ପଞ୍ଜୀକରଣ ପାଇଁ ସ୍ଲଟ୍ ବୁକିଂ ନିମନ୍ତେ ଇ-ରେଜିଷ୍ଟ୍ରେସନ ମୋବାଇଲ୍ ଆପ୍‌ର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଏଥିରେ ସ୍ଲଟ ବୁକିଂ ସହିତ ଇ.ସି ଏବଂ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ମିଳିପାରୁଛି। ଉଦ୍ଦେଶ୍ୟ ହେଉଛି ଯେତେଦୂର ସମ୍ଭବ ଲୋକଙ୍କୁ ସୁବିଧାରେ  ଓ ସହଜରେ ସେବା ଯୋଗାଇଦେବା।

ସ୍ମାର୍ଟ ସର୍ଭେଲାନ୍‌ସ ଜରିଆରେ ସମସ୍ତ ସବ୍‌-ରେଜିଷ୍ଟ୍ରେସନ ଅଫିସକୁ ସିସିଟିଭି ଜରିଆରେ ନୀରିକ୍ଷଣ କରାଯାଉଛି। ଏହାଦ୍ୱାରା କର୍ମଚାରୀ ମାନଙ୍କର ସମୟାନୁବର୍ତ୍ତିତା ଏବଂ ପାରଦର୍ଶିତାକୁ ସୁନିଶ୍ଚିତ କରାଯାଇ ପାରୁଛି। ଉପନିବନ୍ଧନ କାର୍ଯ୍ୟାଳୟକୁ ଦୁର୍ନୀତି ମୁକ୍ତ ଓ ମଧ୍ୟସ୍ଥି ମୁକ୍ତ କରିବା ଦିଗରେ ଏହି Smart Surveillance ବ୍ୟବସ୍ଥା ଖୁବ୍ ଉପଯୋଗୀ ହୋଇପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନୂଆ ସରକାର ଆସିବା ପରେ ଲୋକଙ୍କୁ ସେବା ପ୍ରଦାନ କରିବାରେ ଦକ୍ଷତା ଆସିଛି ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ବିଭାଗ ଅଳ୍ପ ସମୟ ମଧ୍ୟରେ ୨, ୧୮,୬୧,୦୬୩ଟି ସେବା ଅନଲାଇନ ଜରିଆରେ ଯୋଗାଇଦେଇଛି। ୨୫ ହଜାରରୁ ଅଧିକ ବାସଗୃହହୀନ ଲୋକଙ୍କୁ ଘରବାଡି ପଟ୍ଟା ଦିଆଯାଇଛି। ୨୭ ଲକ୍ଷ ଖାତାକୁ ସର୍ବେକ୍ଷଣ କରାଯାଇ ମୃତ ଲୋକଙ୍କ ଜମିବାଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ ରେକର୍ଡ କରାଯାଇଛି। ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ୨୩ ହଜାର ୯୮୮ଟି ସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇ ପାରିଛି।  ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ରାଜସ୍ୱ ମନ୍ତ୍ରୀ, ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ଯେ, ଜମି କିଣାବିକା ସମୟରେ ସାଧାରଣତଃ ଲୋକମାନେ ବହୁତ ହନ୍ତସନ୍ତ ହୁଅନ୍ତି। ଏଥି ପାଇଁ ବିଭାଗରେ ସଂସ୍କାର ଅଣାଯାଇ ସବୁ ତହସିଲରେ ସବ୍‌ ରେଜିଷ୍ଟ୍ରେସନ୍ ଖୋଲାଯିବା, କିଣାବିକା ପ୍ରକ୍ରିୟାକୁ ସରଳ କରିବା, ରାଜସ୍ୱ ରେକର୍ଡକୁ ସଂଶୋଧନ କରିବା, କ୍ୟାସଲେସ୍ ଅର୍ଥ ନେଣ-ଦେଣ ଏବଂ ତ୍ୱରିତ ପଟ୍ଟା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ବ୍ୟବସ୍ଥାକୁ ସହଜ, ସରଳ ଓ ସମୟୋପଯୋଗୀ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories