ଭୁବନେଶ୍ୱର: ଟି-୨୦ ଦୃଷ୍ଟିବାଧିତ ବିଶ୍ୱକପ ଦଳରେ ରହିଥିବା ୪ଜଣ ଓଡ଼ିଆ ଖେଳାଳି ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଫୁଲ ସୋରେନ୍, ବାସନ୍ତୀ ହାଁସଦାଳ ଯମୁନାରାଣୀ ଟୁଡୁ, ପାର୍ବତୀ ମାରାଣ୍ଡି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ବିଜୟୀ ଓଡିଆ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେବା ସହ ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଛନ୍ତି।
ଖେଳାଳି ମାନଙ୍କ ଦୃଢ ନିଷ୍ଠା ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆପଣମାନେ ପ୍ରତ୍ୟେକ ଓଡିଆଙ୍କ ପାଇଁ ପ୍ରେରଣା। ଆତ୍ମବିଶ୍ଵାସର ସହ ଏହି ବିଜୟ ଯାତ୍ରା ଆଗକୁ ଜାରି ରହୁ। ସେମି ଫାଇନାଲ ଓ ଫାଇନାଲରେ ଭରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ୪ଜଣ ଖେଳାଳି ।ଗତ ୨୩ ନଭେମ୍ବରରେ ଇତିହାସ ରଚିଥିଲେ ଦୃଷ୍ଟିବାଧିତ ମହିଳା ଟି-୨୦ ଦଳ । କଲମ୍ବୋରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ୭ୱିକେଟରେ ନେପାଳକୁ ପରାସ୍ତ କରି ବିଜୟୀ ହୋଇଥିଲା ।



