ମମତାଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେପି, ପୁଲିସ୍ର ଲାଠି ଚାର୍ଜ, ଲୁହବୁହା ଗ୍ୟାସ ଓ ପାଣି ମାଡ଼
କଲକତା : ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି ମଧ୍ୟରେ ଚାଲିଥିବା ରାଜନୈତିକ ସଂଘର୍ଷ ଏବେ ନୂଆ ମୋଡ଼ ନେଇଛି। ମମତା ବାନାର୍ଜୀଙ୍କ ଟିଏମସି ସରକାର ବିରୋଧରେ ବିଜେପି ବୁଧବାର ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ବିପିନ ବିହାରୀ ଗାଙ୍ଗୁଲି ଷ୍ଟ୍ରିଟ୍ରେ କଲକତା ପୁଲିସ୍ ଲାଠି ଚାର୍ଜ, ଲୁହବୁହା ଗ୍ୟାସ ସହ ପାଣି ମାଡ଼ କରିଛି ।
ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଶନିବାର ରାତିଠାରୁ ସେମାବାର ରାତି ପର୍ଯ୍ୟନ୍ତ ୭୨ ଘଣ୍ଟା ମଧ୍ୟରେ ରାଜନୈତିକ ହିଂସାକାଣ୍ଡରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ବିଜେପି କର୍ମୀ ଅଛନ୍ତି । ରାଜନୈତିକ ହତ୍ୟା ବିରୋଧରେ ବିଜେପି ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି। ହତ୍ୟାକାରୀଙ୍କୁ ଗିରଫ ଦାବିରେ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ କଲକତା ପୁଲିସ୍ ମୁଖ୍ୟାଳୟ ଆଡକୁ ଯାଉଥିଲା ବେଳେ ସେମାନଙ୍କ ଉପରକୁ ପୁଲିସ୍ ପକ୍ଷରୁ ପାଣି ମାଡ଼ କରାଯାଇଥିଲା। ପରେ ବିଜେପି କର୍ମୀ ପୁଲିସ୍ ଉପରକୁ ଢେଲା, ପଥର ମାଡ଼ କରଥିଲେ। ଫଳରେ ପୁଲିସ୍କୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଉତ୍ତେଜନାକୁ ଦେଖି କଲକତା ସହରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ବିକ୍ଷୋଭ ସମୟରେ ବିଜେପି କର୍ମୀମାନେ ଜୟ ଶ୍ରୀ ରାମ ନାରା ଦେଇଥିଲେ।
ଅନ୍ୟପକ୍ଷରେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଥିଲେ। ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ପାଇଁ ମମତା ବିଜେପିକୁ ଦାୟୀ କରିଛନ୍ତି । ମୋଦୀ ପଶ୍ଚିମବଙ୍ଗକୁ ଗୁଜରାଟରେ ବଦଳାଇବାକୁ ପ୍ରୟାସ କରୁଛନ୍ତି ବୋଲି ମମତା କହିଛନ୍ତି । ପଶ୍ଚିମବଙ୍ଗକୁ ବଦନାମ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗର ସଂସ୍କୃତିକୁ ବଞ୍ଚାଇବା ପାଇଁ ଲୋକଙ୍କୁ ଆଗକୁ ଆସିବାକୁ ମମତା ଆହ୍ୱାନ ଦେଇଛନ୍ତି।
Comments are closed.