ପ୍ରଭୁ ଯିଶୁ: ମାନବ ସମାଜର ତ୍ରାଣକର୍ତ୍ତା

ପ୍ରଭୁ ଯିଶୁଖ୍ରୀଷ୍ଟ ଡିସେମ୍ବର ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ପ୍ରମାଣ ବାଇ​‌େ​‌ବଲରେ ନାହିଁ। ଏହା ଏକ କାଳ୍ପନିକ ତାରିଖ ହୋଇପାରେ। ଜନ୍ମ ତାରିଖର ବିଶେଷତ୍ବ ଏହି ଘଟଣାରେ ନାହିଁ।
ବାଇ​‌େ​‌ବଲରେ ଉଲ୍ଲେଖ ଅଛି, ‘ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସହଥିଲେ ଏବଂ ସେହି ବାକ୍ୟ ଈଶ୍ବର ଥିଲେ। ‘ବାକ୍ୟ ଦେହବନ୍ତ ହେଲେ ଏବଂ ଆମ୍ଭମାନଙ୍କସହ ବାସ କଲେ, ଅର୍ଥାତ୍‌ ମନୁଷ୍ୟମାନଙ୍କ ସହ ବସବାସ କଲେ।’ ଯୋଇନ: ୧-୧-୧୪ ଏଠାରେ ବର୍ଣ୍ଣିତ ‘ବାକ୍ୟ’- ପ୍ରଭୁ ଯିଶୁଖ୍ରୀଷ୍ଟ ଅଟନ୍ତି। ବାଇ​‌େ​‌ବଲ କୁହେ, ‘କାରଣ ଈଶ୍ବର ଜଗତକୁ ଏପରି ପ୍ରେମ କଲେ ଯେ ସେ ତାହାଙ୍କ ଅଦ୍ବିତୀୟ ପୁତ୍ରଙ୍କୁ ଦାନ କଲେ, ଯେ କେହି ତାହାଙ୍କଠାରେ ସେ ବିନଷ୍ଟ ନହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।’ ଯୋଇନ ୩: ୧୬।
‘ବାକ୍ୟରୂପୀ ପ୍ରଭୁ ଯିଶୁଙ୍କ ପିତା ଈଶ୍ବର ଜଗତକୁ ଏକ ମହତ୍‌ ଉଦ୍ଦେଶ୍ୟରେ ପଠାଇଲେ। ଏହି ‘ବାକ୍ୟ’ ରୂପୀ ଯିଶୁଖ୍ରୀଷ୍ଟ ଈଶ୍ବରଙ୍କ ପ୍ରଥମ ଓ ଶେଷ ମନୁଷ୍ୟ ଅବତାର ଅଟନ୍ତି। କାରଣ ‘ବାକ୍ୟ’- ‘ଦେହବନ୍ତ’ ହେଲେ। ବାକ୍ୟ ହିଁ ଦେହବନ୍ତ ହେଲେ ଅର୍ଥାତ ଅବତାର ନେଲେ।
ଯିଶୁଖ୍ରୀଷ୍ଟଙ୍କ ଏହି ଅବତାର ଘଟଣାକୁ ମେରିଖ୍ରୀଷ୍ଟ ମାସ ବା ବଡ଼ଦିନ ରୂପେ ବିଶ୍ବବ୍ୟାପୀ ପାଳନ କରାଯାଏ।
ଖ୍ରୀଷ୍ଟମାସ ଉତ୍ସବ ପାଳନ ସମୟରେ, ଯିଶୁଖ୍ରୀଷ୍ଟଙ୍କ ଦ୍ବାରା ପ୍ରଦର୍ଶିତ ଦୁଇଟି ବିଶେଷ ଘଟଣା ଏହି ଅବସରରେ ଉଲ୍ଲେଖନୀୟ।
ଯିଶୁ କୁଷ୍ଠରୋଗୀ ବନ୍ଧୁମାନଙ୍କୁ ଗ୍ରହଣ କରିଥିଲେ ଏବଂ ଆପଣାର କରିଥିଲେ। କୁଷ୍ଠରୋଗୀଙ୍କୁ ସ୍ପର୍ଶ କରି ସଂପୂର୍ଣ୍ଣ ସୁସ୍ଥତା ପ୍ରଦାନ କରିଥିଲେ। ସାଧାରଣତଃ କୁଷ୍ଠରୋଗୀମାନଙ୍କୁ ସମାଜରେ ଘୃଣା କରାଯାଏ। ଏପରିକି ନିଜ ଆତ୍ମୀୟ ବନ୍ଧୁ ପରିଜନ ମଧ୍ୟ ଦୂରରେ ରହନ୍ତି ଏବଂ କୁଷ୍ଠରୋଗୀଙ୍କୁ କୁଷ୍ଠାଶ୍ରମରେ ରଖନ୍ତି, କିନ୍ତୁ ଯିଶୁ କୁଷ୍ଠରୋଗୀଙ୍କୁ ଆପଣାର କରିଥିଲେ। ଯିଶୁ କୁଷ୍ଠରୋଗୀଙ୍କୁ ମନୁଷ୍ୟ ଭାବରେ ଗ୍ରହଣ କରିଥିଲେ। ଈଶ୍ବରୀୟ ସ୍ବଭାବ ଓ ଦୈବୀ ପ୍ରେମକୁ ପ୍ରକାଶ କରିଥିଲେ। ଅର୍ଥାତ୍‌ ଯିଶୁଖ୍ରୀଷ୍ଟ ସମସ୍ତ ମାନବ ଜାତି ନିମନ୍ତେ ଆବିର୍ଭାବ ଓ ଅବତାର ନେଇଥିଲେ।
ଦ୍ବିତୀୟ ଘଟଣା- କେତେକ ଭଣ୍ଡ ଶିକ୍ଷକ ଓ ଆତ୍ମଗର୍ବୀ ଧାର୍ମିକ ଲୋକେ, ଜଣେ ମହିଳାଙ୍କୁ ଦେଇ ବ୍ୟବସାୟରେ ମାତିଥିବା ଦେଖି ପଥର ଫୋପାଡ଼ି ମୃତ୍ୟୁଦଣ୍ଡ ଦେବାପାଇଁ ଯୋଜନା କରିଥିଲେ। ଏପରି ସମୟରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କୁ ସେମାନେ ପଚାରିଥିଲେ, ଏହି ମହିଳାଙ୍କୁ କିପରି ଦଣ୍ଡ ଦେବା ଉଚିତ? ଯିଶୁ କିଛି ସମୟ ନୀରବ ରହିଲେ ଏବଂ କହିଲେ, ଆପଣମାନଙ୍କ ମଧ୍ୟରେ ଯେଉଁମାନେ ନିଷ୍ପାପୀ, ଶୁଦ୍ଧ ଓ ପବିତ୍ର ସେ ହିଁ ପ୍ରଥମେ ପଥର ଏହି ମହିଳା ଉପରକୁ ଫୋପାଡ଼ନ୍ତୁ। ଏହା ଶୁଣିଲା ପରେ, ସମସ୍ତେ ଗୋଟିଗୋଟି କରି ତଳେ ପଥର ପକାଇ ସେହି ସ୍ଥାନ ଛାଡ଼ି ଚାଲିଗଲେ। କାରଣ କେହି ହେଲେ ଧାର୍ମିକ ବା ନିଷ୍ପାପୀ ବା ଶୁଦ୍ଧ ପବିତ୍ର ନଥିଲେ। ମଣିଷ ମାତ୍ରକେ ପାପୀ। ପ୍ରଭୁ ଯିଶୁ ଏକୁଟିଆ ସେହି ଅସହାୟ ମହିଳାକୁ ଦେଖି କହିଲେ, ଯାଅ, ଆଜିଠାରୁ ପାପ କର ନାହିଁ।’
ଯିଶୁଙ୍କ ଜନ୍ମର ଏକମାତ୍ର ଲକ୍ଷ୍ୟ ଥିଲା, ପାପୀ ମଣିଷକୁ କ୍ଷମା କରିବା ଏବଂ ବିନାଶରୁ ରକ୍ଷା କରିବା। ବାଇ​‌େ​‌ବଲ କୁହେ, ‘ମନୁଷ୍ୟପୁତ୍ର ପରିତ୍ରାଣ ଦାନ କରିବାକୁ ଏବଂ ସେବା କରିବାକୁ ଆସିିଥିଲେ।’ ଯିଶୁ ନାମରେ ସମ୍ଭବ। ‘ଯିଶୁ’ ନାମର ଅର୍ଥ ହେଉଛି, ‘ତ୍ରାଣ କର୍ତ୍ତା’ ବା ‘ପରିତ୍ରାଣ କର୍ତ୍ତା’ ବା ‘ଉଦ୍ଧାର କର୍ତ୍ତା’। ପ୍ରଭୁଯିଶୁ କହିଲେ, ‘ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ! ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମକୁ ବିଶ୍ରାମ ଦେବି।’
ଯିଶୁଙ୍କ ଜନ୍ମ ପୂର୍ବରୁ ଭବିଷ୍ୟତ ବାଣୀ ହୋଇଥିଲା, ‘କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଳକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ବଭାର ଥୁଆଯିବ, ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ଅନନ୍ତ ଜୀବନପିତା,ଶାନ୍ତିରାଜା ହେବ।’
ଯିଶୁଙ୍କ ଜନ୍ମ ସମୟର ସ୍ବର୍ଗୀୟ ବାଣୀଥିଲା, ‘ଊର୍ଦ୍ଧ୍ବ ଲୋକରେ ଈଶ୍ବରଙ୍କ ମହିମା, ପୃଥିବୀରେ ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି।’
ଈଶ୍ବର ମନୁଷ୍ୟ ରୂପ ଧାରଣ କରି ତ୍ରାଣକର୍ତ୍ତା ଓ ଶାନ୍ତି ରାଜା ରୂପେ ଜନ୍ମିଲେ। ମଣିଷ ଅବତାର ନେବା ପାଇଁ ମଣିଷର ଜନ୍ମର ପ୍ରତ୍ୟେକ ସୋପାନ ଦେଇ ଯାଇଥିଲେ। ଏହା ହଠାତ୍‌ ଯାଦୁ ବିଦ୍ୟା ପରି ହୋଇ ନଥିଲା। ମେରୀ ଖ୍ରୀଷ୍ଟ ମାସ ପାଳନ ସମୟରେ ଏକ ମହତ୍‌ ତତ୍ତ୍ବକୁ ସ୍ମରଣ କରାଯାଏ। ତାହା ହେଉଛି, ‘ଈଶ୍ବର ମନୁଷ୍ୟ ସମାଜ ନିକଟକୁ ଆସିଲେ।’
ଉଲ୍ଲେଖନୀୟ ଯେ ଯିଶୁଙ୍କ ଜନ୍ମ କୌଣସି ଏକ ନିର୍ଦିଷ୍ଟ ଧର୍ମ, ସମାଜ, ଗୋଷ୍ଠୀ ପାଇଁ ନଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସଭିଙ୍କ ପାଇଁ ଜନ୍ମିଥିଲେ। ବାଇ​‌େ​‌ବଲ କୁହେ, ଯେଣୁ ଜଗତର ବିଚାର କରିବା ନିମନ୍ତେ ଈଶ୍ବର ଆପଣା ପୁତ୍ରକୁ ଜଗତକୁ ପ୍ରେରଣ ନ କରି, ଜଗତ ଯେପରି ତାହାଙ୍କ ଦ୍ବାରା ପରିତ୍ରାଣ ପ୍ରାପ୍ତ ହୁଏ, ଏଥିପାଇଁ ତାହାଙ୍କୁ ପ୍ରେରଣ କଲେ।’
ଏହି ମେରୀ ଖ୍ରୀଷ୍ଟମାସରେ ପ୍ରଭୁ ଯିଶୁଖ୍ରୀଷ୍ଟ ସମସ୍ତଙ୍କୁ ଆଶୀର୍ବାଦ କରି ନୂତନ ବର୍ଷ ୨୦୨୦ରେ ଶାନ୍ତିମୟ ଜୀବନ ପ୍ରଦାନ କରନ୍ତୁ।

prayash

ହରିଶ୍ଚନ୍ଦ୍ର ଅରିଶଲ୍ୟ
ମେଡିହାଲ ରୋଡ଼, ସିକନ୍ଦରାବାଦ

kalyan agarbati

Comments are closed.