କାମଦେଉନି କୀଟନାଶକ : ଚାଷୀଙ୍କୁ ଚକଡ଼ା ଚଡ଼କ

କୋକସରା : ଅମଳ ପୂର୍ବରୁ ଚକଡ଼ା ଚଡ଼କରେ ଚାଷୀ ହତାଶ ହୋଇ ପଡିଲେଣି। କୀଟନାଶକ ପ୍ରୟୋଗ କଲେ ମଧ୍ୟ କିଛି କାମ ଦେଉନାହିଁ। କୃଷି ବିଭାଗ ପାଖରେ ଏହାର ଉତ୍ତର ନାହିଁ। ଏଭଳି ସ୍ଥିତିରେ କଳାହାଣ୍ଡି ଜିଲା କୋକସରା ବ୍ଲକର ଚାଷୀଙ୍କ ସ୍ଥିତି ଦୟନୀୟ ହୋଇ ପଡିଲାଣି। ଚକଡ଼ା ପ୍ରାର୍ଦୁଭାବକୁ ରୋକିବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ବୁଧବାର କୃଷି ଓ କୃଷକ କଲ୍ୟାଣ ସମିତି, ଧର୍ମଗଡ଼ ଉପଖଣ୍ଡ ଆବାହକ ଲକ୍ଷ୍ମୀକାନ୍ତ ବାଗଙ୍କ ନେତୃତ୍ବରେ କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
କୋକସରା ବ୍ଳକର କାଉଡୋଲା, ବଡ଼ପୋଡ଼ାଗୁଡା, ମହାଜନଗୁଡ଼ା, ସିଉନୀ, ବରାଡଙ୍ଗା, କେନ୍ଦୁଡଙ୍ଗରୀ, ବାଞ୍ଜିବାହାଲ, କୁମୁଡ଼ାମୁଣ୍ଡା ଆଦି ଗ୍ରାମର ଚାଷୀଙ୍କ ଏକର ଏକର କ୍ଷେତରେ ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ ହୋଇଛି। କୃଷି ବିଭାଗର ପରମର୍ଶରେ ଅନେକ ପ୍ରକାରର କୀଟନାଶକ ପ୍ରୟୋଗ ମଧ୍ୟ କରୁଛନ୍ତି; ମାତ୍ର ସୁଫଳ ମିଳୁନାହିଁ। ଅଭାବୀ ବର୍ଷା ସତ୍ତ୍ବେ ଯାହା କିଛି ଅମଳ ହେବାର ଆଶା ରହିଥିଲା ସେଥିରେ ଚକଡ଼ା କାଳ ହୋଇଛି। ବହୁ ଚାଷୀ କ୍ଷେତକୁ ଜାଳିବାକୁ ବାଧ୍ୟ ହେଉଛନ୍ତି। ଚକଡ଼ା ପୋକ ଫସଲର ନିରାକରଣ ତଥା କ୍ଷତିପୂରଣ ଦାବିରେ କୋକସରା ବ୍ଲକର ୮ଟି ପଞ୍ଚାୟତର ଚାଷୀ ବୁଧବାର ଏକତ୍ରିତ ହୋଇ ସ୍ଥାନୀୟ ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶୋଭାଯାତ୍ରାରେ ଚାଷୀ ପଦ୍ମଲୋଚନ ନାଏକ, ଦେବରାଜ ନାଏକ, ନବୀନ ସାହୁ, ଯାଦବ ସାହୁ,‌ ପୁରୁଷୋତ୍ତମ ସୁନାନୀ, ଉପେନ୍ଦ୍ର ବେମାଲ,‌ ଜିତୁ ପଣ୍ଡା, କାମଦେବ ମାଝୀ, ରାଏସିଂ ମାଝୀ, ମନୁ ମାଝୀ, ଗୀରିଧାରୀ ମାଝୀ, ପଦ୍ମଲୋଚନ ମାଝୀ, ତାରାଚନ ମାଝୀ, ସୁଧୀର ନାଏକ, କୃତ୍ତି ନାଏକ, ଚିତ୍ରସେନ ମାଝୀ, ନରେନ୍ଦ୍ର ପ୍ରଧାନୀ, ଯତିନ୍ଦ୍ର ସାଗର, ନବୀନ ପ୍ରଧାନୀ ପ୍ରମୁଖ ସାମିଲ ହୋଇଥିଲେ।
ଏ ନେଇ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ପଚାରିବାରୁ ରାଜସ୍ବ ବିଭାଗ ଓ କୃଷି ବିଭାଗର ମିଳିତ ତଦନ୍ତ ଚାଲିଛି, କାହାର କେତେ କ୍ଷତି ହୋଇଛି ଆକଳନ ପରେ ଜିଲାପାଳ ଜରିଆରେ ସରକାରଙ୍କୁ ରିପୋର୍ଟ ପଠାଯିବ ବୋଲି କହିଛନ୍ତି। ଅନୁମୋଦନ ପରେ ଯାହାର ଯେତେ କ୍ଷତିପୂରଣ ରାଶି ହେବ, ସେହି ଅନୁସାରେ ପ୍ରଦାନ କରାଯିବ ବୋଲି ଶ୍ରୀ କରାଟି କହିଛନ୍ତି।

Comments are closed.