ଚିନ୍ମୟୀ ମୃତ୍ୟୁ ମାମଲାରୁ ଉଠୁଛି ପରଦା

ମୋବାଇଲ୍‌, ଲାପ୍‌ଟପ୍‌ରୁ ମିଳିଛି ଆପତ୍ତିଜନକ ଦୃଶ୍ୟ!

ବୁର୍ଲା : ଭିସୁଟରୁ ସଦ୍ୟ ଉତ୍ତୀର୍ଣ୍ଣ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ପରଦା ହଟୁଛି। ଚିନ୍ମୟୀଙ୍କ ଘରୁ ମିଳିଥିବା ଲାପଟପ୍‌, ତାଙ୍କ ଫୋନ୍‌ ଓ ଅନ୍ୟ ସାମଗ୍ରୀ, ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଫୋନ୍‌, ସମଲେଶ୍ବରୀ ଢ଼ାବା ଓ ଅନ୍ୟ ସ୍ଥାନର ସିସିଟିଭି ଫୁଟେଜରୁ ବହୁ ଆପତ୍ତିଜନକ ଘଟଣାବଳୀ ତଥା ତଥ୍ୟପ୍ରମାଣ ପୁଲିସର ହସ୍ତଗତ ହୋଇଛି। ଏଥିରୁ ଚିନ୍ମୟୀଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ବୋଲି କୁହାଯାଉଛି। ଏସବୁ ଦୃଶ୍ୟ ପୁଲିସ ରବିବାର ଚିନ୍ମୟୀଙ୍କ ବାପା-ମାଆଙ୍କୁ ଦେଖାଇବା ପରେ ଘଟଣା ଭିନ୍ନ ମୋଡ଼ ନେଇପାରେ। ପାୱାର ଚାନେଲ ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜିଲା ପୁଲିସ ଅଧୀକ୍ଷକ ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ତେବେ ଗଳା ଚିପି ହତ୍ୟା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଘଟଣା ଦିନ (୨୮ତାରିଖ) ସମାବର୍ତ୍ତନ ଉତ୍ସବ ପରେ ଚିନ୍ମୟୀ ବନ୍ଧୁ ପ୍ରୀତିମାନ, ମାନସ ଓ ଅନ୍ୟମାନଙ୍କ ସହ ମିଶି ସମଲେଶ୍ବରୀ ଢ଼ାବାରେ ଖାଇବା ସହ ନିଶାପାନ କରିଥିଲେ। ସିସିଟିଭି ଚିତ୍ରରୁ ସେମାନେ ବିଭିନ୍ନ ପ୍ରକାର ନିଶାସେବନ କରିଥିବା ଜଣାପଡିଛି। ପରେ ସେମାନେ ମାନସଙ୍କ କୋଠରୀକୁ ଯାଇ ମଉଜ ମଜଲିସ କରିଥିବାର ଭିଡ଼ିଓ ଚିତ୍ର ମାନସ ତାଙ୍କ ଫୋନ୍‌ରେ ରେକର୍ଡ କରିଥିବା କୁହାଯାଉଛି। ଏଥିରେ କିଛି ଅଶାଳୀନ ଓ ଆପତ୍ତିଜନକ ଦୃଶ୍ୟ ଥିବା ମଧ୍ୟ କୁହାଯାଉଛି। ଏମିତିକି ଚିନ୍ମୟୀଙ୍କ ଶରୀରରେ ଥିବା କିଛି ଖଣ୍ଡିଆ ଦାଗ ମାନସଙ୍କ ଦ୍ବାରା ହୋଇଥିବା ସୂଚନା ମିଳିଛି। ସେହିପରି ପୂର୍ବରୁ ପ୍ରୀତିମାନ ଓ ଚିନ୍ମୟୀଙ୍କର କିଛି ଆପତ୍ତିଜନକ ଫଟୋ ମଧ୍ୟ ପୁଲିସ ହାତରେ ପଡ଼ିଛି। ତେବେ ମାନସଙ୍କ କୋଠରିରୁ ବାହାରି ସେମାନେ ବୁଲାବୁଲି କରି ପାୱାର ଚାନେଲ ସେତୁ ନିକଟରେ ପହଞ୍ଚିଥିଲେ। ସେଠାରେ ବସିଥିବାବେଳେ ହୁଏତ ଦୁର୍ଘଟଣାବଶତଃ ଚିନ୍ମୟୀ ପାଣିକୁ ଖସିପଡ଼ିଥିଲେ ବୋଲି ସନ୍ଦେହ କରାଯାଉଛି। ଏହି ସବୁ ଘଟଣାକ୍ରମ ଚିନ୍ମୟୀଙ୍କୁ ହତ୍ୟା କରାଯାଇ ନ ଥାଇପାରେ। ତାଙ୍କ ବେକରେ ଥିବା ଦାଗ ତଣ୍ଟିଚିପା ଜନିତ ନୁହେଁ; ବରଂ ପାଣିରେ ପଡ଼ିବା ପରେ ଆଘାତଜନିତ ବୋଲି କୁହାଯାଉଛି। ଏହାସତ୍ତ୍ବେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ ଅଧୀକ୍ଷକ କହିଛନ୍ତି। ରବିବାର ପୁଲିସର ରୁଦ୍ଧଦ୍ୱାର ବୈଠକ ବସିଥିଲା। ଏଥିରେ ଚିନ୍ମୟୀଙ୍କ ପରିବାର ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ ପରେ ଏ ସମ୍ପର୍କରେ ପୁଲିସ ଅଧୀକ୍ଷକ ସମ୍ୟକ୍‌ ସୂଚନା ଦେଇଥିଲେ; କିନ୍ତୁ ଚିନ୍ମୟୀଙ୍କ ପରିବାର ଗଣମାଧ୍ୟମ ସମ୍ମୁଖରେ କିଛି ନକହି ଚାଲିଯାଇଥିଲେ। ଏଥିରୁ ନାନା ପ୍ରଶ୍ନ ଉଙ୍କି ମାରୁଛି। ଅପରପକ୍ଷରେ ପୁଲିସ ରବିବାର ପୁଣି କିଛି ଭିସୁଟ ଛାତ୍ରଙ୍କୁ ପଚରାଉଚୁରା କରିଛି। ଜନୈକ ଛାତ୍ରଙ୍କ ମୋବାଇଲରୁ ଭିଡିଓ କ୍ଲିପ୍‌ ଜବତ ହୋଇଛି। ଦୁଇ ଅଭିଯୁକ୍ତ ପ୍ରୀତିମାନ ଏବଂ ମାନସଙ୍କ ମିଛଧରା ରିପୋର୍ଟ ଆସିବା ପରେ ତାହା ତର୍ଜମା କରାଯିବ। ଆବଶ୍ୟକ ପଡ଼ିଲେ ନାର୍କୋ ଟେଷ୍ଟ ହେବ ବୋଲି ଅଧୀକ୍ଷକ କହିଛନ୍ତି।

Comments are closed.