‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ଜିଲ୍ଲାସ୍ତରୀୟ କମିଟି ବୈଠକ
- ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଆଲୋଚନା
- ଆଜି ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି। ଗତ ୩୧ ତାରିଖଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲା ଜନମଙ୍ଗଳ ଅଧିକାରୀ, ଜିଲା କ୍ରୀଡା ଅଧିକାରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଓ ‘ମୋ ସ୍କୁଲ’ର ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରଥମେ ‘ମୋ ସ୍କୁଲ’ର ପ୍ରତିନିଧି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ଥିବା ବିଭିନ୍ନ ପ୍ରକାର ପୁରସ୍କାର ଓ ଏହାର ମନୋନୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା । ପ୍ରଥମ ବୈଠକରେ ଛାତ୍ରଛାତ୍ରୀ ପୁରସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ୩୧ ତାରିଖରେ ସୁନ୍ଦରଗଡ, କନ୍ଧମାଳ , ଢେଙ୍କାନାଳ, କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଥିଲା । ସେହିପରି ୧ ତାରିଖରେ କେନ୍ଦୁଝର, କଟକ, ଜଗତସିଂହପୁର ଓ ଅନୁଗୁଳ, ୨ରେ ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ଦେବଗଡ଼, ନୟାଗଡ଼, ବରଗଡ଼, ସମ୍ବଲପୁର, ମାଲକାନଗିରି, ପୁରୀ, ବାଲେଶ୍ୱର ଓ ଯାଜପୁର, ୪ରେ ଭଦ୍ରକ, ନବରଙ୍ଗପୁର, ଝାରସୁଗୁଡା, ଗଜପତି ଓ କଳାହାଣ୍ଡି, ୫ରେ ବଲାଙ୍ଗୀର, ଗଞ୍ଜାମ, କୋରାପୁଟ ଏବଂ ୭ରେ ରାୟଗଡା, ନୂଆପଡା ଓ ଖୋର୍ଦ୍ଧା ଜିଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଆସନ୍ତାକାଲି (ଶୁକ୍ରବାର) ସାରା ରାଜ୍ୟରେ ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ଗ୍ରାମପଞ୍ଚାୟତର ପ୍ରତିନିଧି ଯୋଗ ଦେବେ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ବିସ୍ତୃତ ସୂଚନା ଦେବେ। ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା, ଏହାର ଯୋଗ୍ୟତା ଓ ମାନଦଣ୍ଡ ଏବଂ ଚୟନ ପ୍ରକ୍ରିୟା ଉପରେ ସଚେତନ କରାଇବେ । ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ସଚେତନ କରାଇବେ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଛାତ୍ରଛାତ୍ରୀ ପୁରସ୍କାର ପାଇଁ ବର୍ତ୍ତମାନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ, ଜିଲା ଓ ବ୍ଲକ୍ସ୍ତରରେ ମେଧାବୀ ପୁରସ୍କାର ଦିଆଯିବ । ରାଜ୍ୟସ୍ତରରେ ୫୦ ହଜାର ଟଙ୍କା, ଜିଲାସ୍ତରରେ ୧୦ ହଜାର ଟଙ୍କା ଏବଂ ବ୍ଲକସ୍ତରରେ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ। ଅନ୍ୟପକ୍ଷରେ ଦଶମବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଆର୍ଥିକ ଅନଗ୍ରସର ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବାକୁ ଛାତ୍ରଛାତ୍ରୀ ମେଧା-ବୃତ୍ତି ପୁରସ୍କାର ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ରେସନକାର୍ଡ ହିତାଧିକାରୀ ପରିବାରର, ରାଜ୍ୟରେ ସର୍ବାଧିକ ନମ୍ବର ରଖିଥିବା ୨ ହଜାର ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ଦିଆଯିବ। ଏହା ପରେ ବିଦ୍ୟାଳୟସ୍ତରରେ ନେତୃତ୍ୱ ନେବାର କଳା ଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବାକୁ ଛାତ୍ରଛାତ୍ରୀ ନେତୃତ୍ୱ ପୁରସ୍କାର ପ୍ରଦାନ କରାଯିବ। ପ୍ରତ୍ୟେକ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଏହି ପୁରସ୍କାର ଦିଆଯିବ। ସମୁଦାୟ ୮୩୧୧ ଛାତ୍ର ଓ ୮୮୦୭ ଛାତ୍ରୀଙ୍କୁ ଏହି ପୁରସ୍କାର ପାଇବେ।
Comments are closed.