ଧାମନଗର ଉପନିର୍ବାଚନ : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା

ଗେଜେଟ ବିଜ୍ଞପ୍ତି ଆଜି

ଭୁବନେଶ୍ବର : ଧାମନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ଯୋଗୁଁ ଖାଲି ପଡିଥିବା ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଆୟୋଜନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏନେଇ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଶିବିର ଚଳଚଞ୍ଚଳ। ତିନି ଦଳ କାହାକୁ ପ୍ରାର୍ଥୀ କରିବେ ସେଥିନେଇ କର୍ମୀଙ୍କ ମଧ୍ୟରେ ଏକ ପ୍ରକାର ଚର୍ଚ୍ଚା ଚାଲିଛି। ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ପରିଲକ୍ଷିତ ହେଲାଣି। ଗୁରୁବାର ନିର୍ବାଚନ ସଂକ୍ରାନ୍ତ ପ୍ରସ୍ତୁତି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଭାସି ମାଧ୍ୟମରେ ଭଦ୍ରକ ଜିଲାପାଳ, ଉପଜିଲାପାଳ ଏବଂ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ନିର୍ବାଚନ ପାଇଁ ସମସ୍ତ କ୍ଷେତ୍ର ଗୁଡିକୁ ପ୍ରସ୍ତୁତି କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି। ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ମୃତ୍ୟୁର ୧୮ଦିନ ପରେ ଧାମନଗର ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ୫ଟି ଉପନିର୍ବାଚନ ହୋଇ ସାରିଲାଣି। ଏହି ୫ ଉପନିର୍ବାଚନରେ ବିଜେଡି ସବୁ ଆସନ ହାତେଇବାରେ ସକ୍ଷମ ହୋଇଛି। ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣବିଧି ଲାଗୁ ହୋଇ ସାରିଛି। ଅକ୍ଟୋବର ୭ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି।

kalyan agarbati

Comments are closed.