ଭୁବନେଶ୍ୱର : ଦୁଇଦିନ କାଳ ଗୃହରେ ଅଚଳାବସ୍ଥା ସୃଷ୍ଟି ହେବା ପରେ ସର୍ବଦଳୀୟ ବୈଠକ ନିଷ୍ପତ୍ତି କ୍ରମେ ଆଜି ବିଧାନସଭାରେ ସ୍ଥାନ ପାଇଥିଲା ମହାନଦୀ ଆଲୋଚନା ପ୍ରସଙ୍ଗ। ଏଥିପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ ପ୍ରଶ୍ନକାଳକୁ ବାତିଲ କରିଥିଲେ। ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ‘ମହାନଦୀରେ ଜଳସଙ୍କଟ ଓ ତଦ୍ଜନିତ ସମସ୍ୟା, ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀ ଉପରେ ଚାଲୁ ରହିଥିବା ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଏବଂ ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ଟ୍ରାଇବୁନାଲ କାର୍ଯ୍ୟକାରିତା ନେଇ କେନ୍ଦ୍ରର କାଳକ୍ଷେପଣ ନୀତି ସମ୍ପର୍କରେ ଆଲୋଚନା କରାଯାଉ’ ଶୀର୍ଷକରେ ପ୍ରସ୍ତାବ ଆଣିଥିଲେ। ଆଲୋଚନା ଆରମ୍ଭ କରି ଶ୍ରୀ ଶତପଥୀ କହିଥିଲେ ଯେ ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର କାଳକ୍ଷେପଣନୀତି ଆପଣାଇବା ସହିତ
ଛତିଶଗଡ଼କୁ ସୁହାଇବା ଭଳି କାମ କରୁଛି। ଉପରମୁଣ୍ଡରେ ଛତିଶଗଡ଼ ୬ଟି ବଡ଼ ବ୍ୟାରେଜ ନିର୍ମାଣ କରିଛି। ଏହାଦ୍ୱାରା ମହାନଦୀ ଓ ହୀରାକୁଦକୁ ପାଣି କମିବା ସହିତ ଜଳସେଚଜନ, ବିଦ୍ୟୁତ୍ ଉତ୍ପାଦନ ଓ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି। ୨୦୧୬-୧୭ ମସିହା ମାର୍ଚ୍ଚର ୪୦.୬୫, ଏପ୍ରିଲରେ ୬୬.୫୬ ଏବଂ ମେ ମାସରେ ଗତ ମେ ମାସରେ ପ୍ରାୟ ୮୦ପ୍ରତିଶତ ପ୍ରବାହ କମିଥିବାବେଳେ ଏ ପର୍ଯ୍ୟନ୍ତ ଅଣମୌସୁମିରେ ମହାନଦୀକୁ ଜଳ ପ୍ରବାହ ହାରାହାରି ୪୪.୨୪୧ ପ୍ରବାହ କମିଛି। ଛତିଶଗଡ଼ର ବେଆଇନ ନିର୍ମାଣ ଉପରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହିଁ। ମହାନଦୀ ମୋଟ ୮୫୧କିମି ଅଞ୍ଚଳରେ ପ୍ରଭାବିତ ହେଉଥିବାବେଳେ ଏଥିରୁ ଛତିଶଗଡ଼ରେ ୩୫୭କିମି ଏବଂ ଓଡ଼ିଶାରେ ୪୯୪କିମି ପ୍ରବାହିତ ହେଉଛି। କିନ୍ତୁ ୧୯୫୬ ଆନ୍ତଃରାଜ୍ୟ ଜଳ ବିବାଦ ଆଇନର ବିରୋଧାଚରଣ କରି ଛତିଶଗଡ଼ ଓଡ଼ିଶାକୁ ନଜଣାଇ ବେଆଇନ ତଥା ଏକତରଫା ଭାବେ ବ୍ୟାରେଜ ନିର୍ମାଣ କରିଛି। ଏପରିକି ଟ୍ରାଇବୁନାଲ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ସତ୍ତ୍ବେ କେନ୍ଦ୍ର ଏହାକୁ ଅନୁପାଳନ କରୁନି। ଟ୍ରାଇବୁନାଲ ଗଠନ ହୋଇଥିବା କେନ୍ଦ୍ର କହୁଥିଲେ ହେଁ ଏ ପର୍ଯ୍ୟନ୍ତ ‘ଟର୍ମସ ଅଫ ରିଫରେନ୍ସ’ ଓଡ଼ିଶା ସରକାରଙ୍କୁ ମିଳିନାହିଁ।
ପରିବେଶ ମଞ୍ଜୁରି ନଥାଇ ବ୍ୟାରେଜ ନିର୍ମାଣ ହୋଇଥିବାରୁ ଏହା ଉପରେ ଏନ୍ଜିଟି ଜୁଲାଇ ମାସରେ ସ୍ଥଗିତାଦେଶ ଜାରି କରିଛି, ମାତ୍ର ଏହାକୁ ଖାତିର ନକରି ନଭେମ୍ବରରେ ଛତିଶଗଡ଼ ସରକାର ଆଉ ଏକ ବ୍ୟାରେଜ ‘ମହାମାଲି’ନିର୍ମାଣ ପାଇଁ ଟେଣ୍ଡର ଡାକିଛି। ଏହା ଏନଜିଟି ରାୟର ଉଲ୍ଳଘଂନ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଉପରମୁଣ୍ଡରେ ବ୍ୟାରେଜ ଦ୍ୱାରା ମହାନଦୀ ଓ ହୀରାକୁଦକୁ ଜଳପ୍ରବାହ ପ୍ରଭାବିତ ହୋଇଛି। ରାଜ୍ୟର ସ୍ୱାର୍ଥ ପାଇଁ ମହାନଦୀ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ହେଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହାର ସମାଧାନ ପରିବର୍ତ୍ତେ ରାଜନୀତିରେ ଲାଗିପଡ଼ିଛନ୍ତି। ଶାସକ ଦଳ ଏଥିପାଇଁ ଗୃହ ଅଚଳ କରିବା ଉଚିତ ହୋଇନାହିଁ। ଗତକାଲି ସେ ପ୍ରଶ୍ନକାଳ ବାତିଲ କରି ଏହା ଉପରେ ଆଲୋଚନା ପାଇଁ ମତ ରଖିଥିଲେ, ଆଜି ଗୃହ ସେଇ ସିଦ୍ଧାନ୍ତରେ ଉପନୀତ ହେଲା, ଅଥଚ ଗୃହର ମୂଲ୍ୟବାନ ସମୟ ନଷ୍ଟ କରାଗଲା।
ତେବେ ମହାନଦୀ ଉପରେ ବିଧାନସଭାରେ ଦୁଇ ଦୁଇଟି ଗୃହ କମିଟି ଥିବାରୁ ବିଧାନସଭାରେ ଏହା ଉପରେ ଆଲୋଚନା ଅପେକ୍ଷା ଗୃହ କମିଟି ବୈଠକ ଡାକିବା ଅଧିକ ଉପାଦେୟ ହେବ ବୋଲି ସେ ମତ ରଖିଥିଲେ।
ସୁପ୍ରିମକୋର୍ଟ ଟ୍ରାଇବୁନାଲ ଗଠନ ପାଇଁ ନିର୍ଦେଶ ଦେବା ପରେ କେନ୍ଦ୍ର ସରକାର ଏହା ଗଠନ କରିଥିବା କହୁଥିଲେ ହେଁ ଏ ପର୍ଯ୍ୟନ୍ତ ରାଜ୍ୟକୁ ଟର୍ମସ ଅଫ ରେଫରେନ୍ସ ସମ୍ପର୍କରେ ସୂଚନା ମିଳିନାହିଁ। ତେଣୁ କେନ୍ଦ୍ର ସରକାର ଜାଣିଶୁଣି ଏହାକୁ ଝୁଲେଇ ରଖିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ପାର୍ଲାମେଣ୍ଟରେ ଆନ୍ତଃରାଜ୍ୟ ଜଳବିବାଦ ଉପରେ ନୂଆ ବିଲ୍ ଆସିବାକୁ ଯାଉଛି। ଏଥିପାଇଁ ଆହୁରି ସମୟ ଲାଗିବ। ନୂଆ ଆଇନ ଆସିଲେ ପୁରୁଣାର ଗୁରୁତ୍ୱ ରହିବ ନାହିଁ। ବସ୍ତୁତଃ ମହାନଦୀ ବିବାଦର ସମାଧାନ ଦିଗରେ କେନ୍ଦ୍ରର ଟାଳଟୁଳ ନୀତିର ସମାଲୋଚନା କରିଥିଲେ। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲେ ୬ ମାସ ଭିତରେ ମହାନଦୀ ବିବାଦ ସମାଧାନ ହେବ ବୋଲି ବିଜେପିର ଜଣେ ନେତାଙ୍ଗ ମନ୍ତବ୍ୟକୁ ନେଇ ସେ ସମାଲୋଚନା କରିଥିଲେ। ଅର୍ଥାତ ବିଜେପି ନଆସିଲେ ମହାନଦୀ ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି ବୁଝାଯାଉଛି। ଏହା ଓଡ଼ିଶାର ଜନସାଧାରଣଙ୍କୁ ଏକପ୍ରକାର ଧମକ ବୋଲି ସେ ଅଭିହିତ କରିଥିଲେ। ତାମିଲନାଡ଼ୁର କାବେରୀ ଜଳବିବାଦ ନେଇ ସେଠିକାର ସାଂସଦମାନେ ପାର୍ଲାମେଣ୍ଟ ଅଚଳ କରିଦେଉଥିବାବେଳେ ପାଲାମେଣ୍ଟରେ ଓଡ଼ିଶାର ୨୦ଜଣ ବିଜେଡ଼ି ସାଂସଦଙ୍କ ଥିଲେ ବି ମହାନଦୀ ପ୍ରସଙ୍ଗରେ ସେମାନେ ଠିକଣା ଭାବେ ସ୍ୱର ଉତ୍ତୋଳନ କରୁ ନଥିବା ସେ ଅଭିଯୋଗ କରିଥିଲେ। ଏବେ ରାଜନୀତିରେ ନପଶି ଗୃହ କମିଟି ଡାକି ଏ ବିଷୟରେ ନିଷ୍ପତ୍ତି ନେବାକୁ ସେ ମତ ରଖିଥିଲେ।
ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ରାଜ୍ୟ ସରକାର ମହାନଦୀକୁ ନେଇ ଅଯଥା ରାଜନୀତି କରୁଛନ୍ତି। ମହାନଦୀ ପ୍ରସଙ୍ଗରେ ସର୍ବଦୀୟ ବୈଠକର ନିଷ୍ପତ୍ତିକ୍ରମେ ଦୁଇଟି ଗୃହ କମିଟି ଗଠନ ହୋଇଥିବାବେଳେ ବିଜେଡ଼ି ଓ କଂଗ୍ରେସ ଆରୋପ ଲଗାଇ ଅଯଥା ମହାନଦୀକୁ ରାଜନୀତି ଭିତରକୁ ଠେଲି ଦେଉଛନ୍ତି। ୨୦୧୭ ଡିସେମ୍ବରରେ ଗୃହରେ ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ୫୩ପ୍ରତିଶତ ନଦୀ ଜଳ ସମୁଦ୍ରରେ ମିଶୁଥିବାରୁ ଏହାକୁ ଅଟକାଇବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କେତୋଟି ବ୍ୟାରେଜ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି ସେନେଇ ପ୍ରଶ୍ନ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ସରକାର କେଉଁଠାରେ ଗୋଟିଏ ବି ବ୍ୟାରେଜ ନିର୍ମାଣ ପାଇଁ ଚିନ୍ତା କରିନାହାନ୍ତି। ବଜେଟ୍ରେ ଟଙ୍କାଟିଏ ବ୍ୟବସ୍ଥା କରି ନଥିବାବେଳେ ସରକାର କେବଳ ରାଜ୍ୟବାସୀଙ୍କ ସ୍ୱାର୍ଥ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କଥାକୁ ଗୁରୁତ୍ୱ ନଦେଇ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଶ୍ରୀ ସିଂହଦେଓ କହିଥିଲେ।
ଅନ୍ୟପକ୍ଷରେ ଶାସକଦଳ ବିଧାୟକ ସଞ୍ଜୟଦାସ ବର୍ମା ଏନ୍ଜିଟିର ସ୍ଥଗିତାଦେଶକୁ ଛତିଶଗଡ଼ ସରକାର ମାନୁ ନଥିବାବେଳେ ସୁପ୍ରିମକୋର୍ଟଙ୍କ ଟ୍ରାଇବୁନାଲକୁ କେନ୍ଦ୍ର ସରକାର କାର୍ଯ୍ୟକ୍ଷମ କରାଇ ଦେଉ ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ତଥ୍ୟ ଠିକଣା ସମୟରେ ଦିଆଯାଇଥିଲେ ମଧ୍ୟ କେନ୍ଦ୍ର ଗଡାଇ ଚାଲିଛି। ଏମିତିକି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସଂସଦରେ ଟର୍ମସ ଅଫ୍ ରିଫରେନ୍ସ ଦିଆଯାଇଛି ବୋଲି ଡାହାମିଛ କହିଛନ୍ତି। ଛତିଶଗଡ଼ ନିର୍ବାଚନ ପାଖେଇ ଆସୁଥିବା ଦୃଷ୍ଟିରୁ ବିଜେପି ଟ୍ରାଇବୁନାଲ କାର୍ଯ୍ୟକ୍ଷମରେ ବିଳମ୍ବ କରୁଛି ବୋଲି ଶ୍ରୀ ବର୍ମା ଅଭିଯୋଗ କରିଥିଲେ। ସେହିପରି ବିଧାୟକ ଲକ୍ଷ୍ମଣ ମୁଣ୍ଡା ଡା, ରାସେଶ୍ୱରୀ ପାଣିଗ୍ରାହୀ, ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଶାସକ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ପ୍ରସ୍ତାବକୁ ସମର୍ଥନ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କାଳକ୍ଷେପଣ ନୀତିକୁ ସମାଲୋଚନା କରିଥିଲେ।