ଓଏସ୍ଆରଟିସିର ପୁନରୁଦ୍ଧାର ପାଇଁ ୧୭୦କୋଟି
କ୍ୟାବିନେଟରେ ୬ପ୍ରସ୍ତାବକୁ ମୋହର
-ପ୍ରତିଷ୍ଠା ହେବ ଓଡ଼ିଶା ସାମୁଦ୍ରିକ ପରିଷଦ -ପୁଲିସ ସେବାର ପୁନର୍ଗଠନ; ଉଠିଲା ଅଭିଜ୍ଞତା-ସରକାର ହାତକୁ ନେବେ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ, – ଗଠନ ହେବ ଓଡ଼ିଶା ସାମୁଦ୍ରିକ ପରିଷଦ
ଭୁବନେଶ୍ୱର : ଓଡ଼ିଶାର ପରିବହନ ଭିତ୍ତିଭୂମି ସଜାଡିବା ସହିତ ବିଶ୍ବ ଦରବାରରେ ପୁରୀକୁ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ସହିତ ଓଡ଼ିଶା ସଡ଼କ ପରିବହନ ସେବାକୁ ସୁଦୃଢ଼ୀକରଣ, ସର୍ବୋଚ୍ଚ ପୁଲିସ ସେବା ପାଇଁ ଅଭିଜ୍ଞତା ଉଚ୍ଛେଦ ଭଳି ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏନେଇ ସଚିବାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ଜନସାଧାରଣଙ୍କୁ ସଡ଼କ ପରିବହନ ସେବା ଯୋଗାଇ ଦେବାପାଇଁ ୧୯୭୪ରେ ଓଡ଼ିଶା ସଡ଼କ ପରିବହନ ନିଗମ ଗଠନ କରାଯାଇଥିଲା। ନିଗମ ପକ୍ଷରୁ ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳ ଓ ମାଓ ଉପଦ୍ରୁତ ଅଞ୍ଚଳରେ ପରିବହନ ସେବାକୁ ତ୍ବରାନ୍ବିତ କରାଯାଉଛି। କିନ୍ତୁ ବିଭିନ୍ନ କାରଣରୁ ନିଗମ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛି। ଯାହାଦ୍ବାରା ନୂତନ ବସ୍ କିଣିବା ଏବଂ ବସଷ୍ଟାଣ୍ଡର ପୁନରୁଦ୍ଧାର କରିବାରେ ସକ୍ଷମ ହୋଇପାରୁ ନାହିଁ। ଏହାକୁ ଦୃ୍ଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନିଗମକୁ ସଜାଡିବା ପାଇଁ ୧୭୦କୋଟି ସହାୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିରେ ରାଜ୍ୟ ସରକାର ୭୨.୦୩କୋଟି ଟଙ୍କାର ପୁରୁଣା ବକେୟା ଇକ୍ୟୁିଟିକୁ ରୂପାନ୍ତରିତ କରାଯାଇଛି। ଏହାବାଦ୍ ଇକ୍ୟୁିଟି ପୁଞ୍ଜିର ପରିମାଣ ୨୫୪.୪୭କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଦୁଇଟି ଉପାୟରେ ସରକାରଙ୍କୁ ପ୍ରାୟ ୧୬୯.୯୩କୋଟି ଟଙ୍କାର ସହାୟତା ଯୋଗାଇବାକୁ ପଡିବ। ଯାହାଦ୍ବାରା ନିଗମକୁ ଆଉ ପୁରୁଣା ଦେୟ ଦେବାକୁ ପଡ଼ିବ ନାହିଁ। ଆଗାମୀ ଦିନରେ ନିଗମ ଯାତ୍ରୀ ସେବାକୁ ତ୍ବରାନ୍ବିତ କରିପାରିବ। ରାଜ୍ୟ ସରକାର ଉକ୍ତ ଅର୍ଥକୁ ପର୍ଯ୍ୟାୟକ୍ରମେ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ସେହିପରି ଓଡ଼ିଶାରେ ଥିବା ସୁଦୀର୍ଘ ସାମୁଦ୍ରିକ ବେଳାଭୂମିର ଉନ୍ନତିକରଣ ଲାଗି ସରକାର ଓଡ଼ିଶା ସାମୁଦ୍ରିକ ପରିଷଦ ପ୍ରତିଷ୍ଠା କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶରେ ୯ଟି ସାମୁଦ୍ରିକ ବେଳାଭୂମି ରାଜ୍ୟ ଥିବାବେଳେ ସେଥିମଧ୍ୟରେ ପରିଷଦ ଗଠନ ଦିସଗରେ ଓଡ଼ିଶା ଷଷ୍ଠତମ ରାଜ୍ୟ ଭାବେ ପରିଷଦ ଗଠନ ହୋଇଛି। ରାଜ୍ୟରେ ୧୪ଟି ଅଣବୃହତ ବନ୍ଦର ରହିଛି। ସେଥିରୁ ଗୋପାଳପୁର ଓ ଧାମରା କାର୍ଯ୍ୟକ୍ଷମ ହୋଇଥିବବେଳେ ଅସ୍ତରଙ୍ଗ ଓ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣାଧୀନ ରହିଛି। ବନ୍ଦର ପ୍ରତିଷ୍ଠା ହେବା ଦ୍ବାରା ରାଜ୍ୟରେ ପୁଞ୍ଜି ବିନିଯୋଗ ତ୍ବରାନ୍ବିତ ହେବା ସହିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୨୦୧୧ରେ ପରିଷଦ ଗଠନ ପାଇଁ ବିଲ ପାସ ହୋଇଥିଲା। ମାତ୍ର କେତେକ କାରଣ ଯୋଗୁଁ ବିଲ୍ ପ୍ରତ୍ୟାହାର କରି ନିଆଯାଇଥିଲା। ଏହି ପରିଷଦ ଗଠନ ହେଲେ ଦେଶର ସୁରକ୍ଷା, ନିରାପତ୍ତା ସୁଦୃଢ଼ ହେବା ସହିତ ଜଳପଥର ସମନ୍ବିତ ବିକାଶ ହୋଇପାରିବ। ସରକାରୀ-ଘରୋଇ ସହଭାଗିତାରେ ଅଣବୃହତ ବନ୍ଦରଗୁଡିକ ନିର୍ମାଣ କରାଯିବ। ଏହାଦ୍ବାରା ବନ୍ଦରରୁ ହେଉଥିବା ଆୟ ସରକାରଙ୍କ ପାଣ୍ଠିକୁ ଆଉ ନଆସି ସିଧାସଳଖ ବୋର୍ଡ ନିକଟକୁ ଯିବ। ବୋର୍ଡ ଉକ୍ତ ଅର୍ଥରେ ବନ୍ଦରର ଆଧୁନିକୀକରଣ ସହିତ ବିକାଶ କରିବ। ଗଠନ ହେବାକୁ ଥିବା ବୋର୍ଡରେ ମୁଖ୍ୟଶାସନ ସଚିବ ଅଧ୍ୟକ୍ଷ ରହିବାକୁ ଥିବାବେଳେ ୧୨ଜଣ ସଦସ୍ୟ ରହିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ଏହି ଅବସରରେ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ କହିଥିଲେ ଯେ ଶ୍ରୀମନ୍ଦିରରେ ଉତ୍ତମ ପ୍ରଶାସନ ଓ ସୁପରିଚାଳନା ଲାଗି ବିଚାରପତି ବିମଳ ପ୍ରସାଦ ଦାସଙ୍କୁ ନେଇ ଏକ ତଦନ୍ତ କମିଶନ ବସିଥିଲା। ଉକ୍ତ କମିଶନଙ୍କ ପରାମର୍ଶ ଆଧାରରେ କେତେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବ। ଏହାବାଦ୍ ପୁଲିସ ସେବାରେ ଚାକିରି କରୁଥିବା ଅଧିକାରୀଙ୍କୁ ସୁପର ପ୍ରଶାସନିକ ଗ୍ରେଡ(ଏସଏଜି)ର ସୁବିଧା ଯୋଗାଇ ଦେବାପାଇଁ ସରକାର ଏଥିରେ ସରଳୀକରଣ କରିଛନ୍ତି। ପୂର୍ବରୁ ଏହି ପଦୋନ୍ନତି ପାଇବାପାଇଁ ୧୮ବର୍ଷର ଅଭିଜ୍ଞତାକୁ ମାପକାଠି ଭାବେ ଗ୍ରହଣ କରାଯାଉଥିଲା। ମାତ୍ର ବହୁ ପୁଲିସ ଅଧିକାରୀ ଅବସର ନେଉଥିଲେ ମଧ୍ୟ ତାଙ୍କ ଚାକିରି କାଳ ମଧ୍ୟରେ ଏସଏଜି ପାଇପାରୁ ନଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ଏସଏଜି ବ୍ୟବସ୍ଥାରୁ ଅଭିଜ୍ଞତାକୁ ବାଦ୍ ଦେଇଛନ୍ତି।
ସେହିପରି ୧୯୬୩ରୁ ଆଠଗଡ଼ରେ ପ୍ରତିଷ୍ଠିତ ହୋଇଥିବା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଥିଲେ ମଧ୍ୟ ତା’ର ଉନ୍ନତିକରଣ ହୋଇପାରୁ ନଥିଲା। ତା’ର ନିଜସ୍ବ ଜମି ଓ କୋଠାବାଡ଼ି ନଥିବାରୁ ସରକାରୀ ସହାୟତାରୁ ବଞ୍ଚିତ ହେଉଥିଲା। ଆଠଗଡର ପୂର୍ବତନ ରାଜ ପରିବାରର ୧୧.୫୬ଏକର ଜମିରେ ମହାବିଦ୍ୟାଳୟ ଚାଲୁ ରହିଛି। ଏହାର ଉନ୍ନତୀକରଣ ପାଇଁ ଜମି ଓ କୋଠାବାଡିର ଦାନପତ୍ର କବଲା ପାଇଁ ଆବଶ୍ୟକ ପଡୁଥିବା ଷ୍ଟାମ୍ପ ଡ୍ୟୁଟି ଦେୟ ଓ ରେଜିଷ୍ଟ୍ରେସନ ଫି ସରକାର ଛାଡ କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ରାଜସ୍ବ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.