BJD Bijuli 480×75 Mob

୪ରେ ଖୋଲିବ ରତ୍ନଭଣ୍ଡାର

BJD Bijuli 480×75 Mob
0

ପୁରୀ  : ଆଗାମୀ ୪ତାରିଖ ବୁଧବାର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଶ୍ରୀଜୀଉଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷହେବା ପରେ ୧୦ଜଣିଆ କମିଟି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଛାତ, କାନ୍ଥ ଓ ଚଟାଣ ସ୍ଥିତି ଯାଞ୍ଚ କରାଯିବ। ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏଥିନେଇ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ପରିଚାଳନା କମିଟି ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକା (ଏସ୍‍ଓପି) କଡାକଡି ଭାବେ ପାଳନ କରାଯିବ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ) ପକ୍ଷରୁ ୩ଜଣ ଅଧିକାରୀଙ୍କ ତାଲିକା ମନ୍ଦିର ପ୍ରଶାସନକୁ ଦିଆଯାଇଛି। ତେବେ ସେଥିରୁ ୨ଜଣଙ୍କୁ ରତ୍ନଭଣ୍ଡାରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ସୋମବାର ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି। ରତ୍ନଭଣ୍ଡାର ଯାଞ୍ଚ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ଣ ୩ଟା ପରେ ରତ୍ନଭଣ୍ଡାର ଯାଞ୍ଚ କରାଯିବାର ସମ୍ଭାବନା ରହିଛି।
ଗଜପତି ମହାରାଜାଙ୍କ ପ୍ରତିନିଧି, କୋର୍‍ କମିଟି ସଭ୍ୟ ପ୍ରଫେସର ଗୋପାଳ ଚନ୍ଦ୍ର ମିତ୍ର, ଇଂ ଏନ.ସି ପାଲ, ହାଇକୋର୍ଟଙ୍କ ପକ୍ଷରୁ ଏନ.କେ ମହାନ୍ତି, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଏଏସ୍‍ଆଇର ୨ଜଣ ବିଶେଷଜ୍ଞ, ଦେଉଳ କରଣ, ତଢାଉ କରଣ ଏବଂ ଭଣ୍ଡାର ମେକାପଙ୍କୁ ନେଇ ୧୦ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରାଯାଇଛି। ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପରେ କମିଟିର ସଭ୍ୟମାନେ ଶ୍ରୀମନ୍ଦିର ପ୍ରଶାସନକୁ ତତ୍କାଳ ରିପୋର୍ଟ ପ୍ରଦାନ କରିବେ। ତାହାକୁ ହାଇକୋର୍ଟରେ ଦାଖଲ କରାଯିବ। ରତ୍ନଭଣ୍ଡାର ନିର୍ମାଣ ସ୍ଥିତି ଯାଞ୍ଚପାଇଁ ଗତ ୨୨ତାରିଖ ଦିନ ହାଇକୋର୍ଟ ମନ୍ଦିର ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ତାହାକୁ ଭିତ୍ତିକରି ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର ଭାବେ ଅନୁମତି ପ୍ରଦାନ କରିଛନ୍ତି। ରତ୍ନଭଣ୍ଡାର ଯାଞ୍ଚ ସମୟରେ କୌଣସି ସଭ୍ୟ ସୁନାରୁପା ଏବଂ ହୀରାନୀଳା ଥିବା ବାକ୍ସ ସ୍ପର୍ଶ କରିପାରିବେ ନାହିଁ। ରତ୍ନଭଣ୍ଡାର ଭିତରେ ପ୍ରବେଶ ପୂର୍ବରୁ ଏବଂ ବାହାରିବା ପରେ ୧୦ଜଣଙ୍କୁ ଅତ୍ୟାଧୁନିକ ସ୍କାନର ମାଧ୍ୟମରେ ଟିକିନିଖି ଯାଞ୍ଚ କରାଯିବ। କୌଣସି ଅଳଙ୍କାର ପରିଧାନ କରି ସେମାନେ ଭିତରକୁ ଯାଇପାରିବେ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ନୂତନ ଧୋତି ଓ ଗାମୁଛା ଯୋଗାଇ ଦିଆଯିବ। ସେଦିନ ହବିଷବ୍ରତ ପାଳନ କରି ଅତ୍ୟନ୍ତ ନିଷ୍ଠାର ସହ ରତ୍ନଭଣ୍ଡାରରେ ପ୍ରବେଶ ପାଇଁ କମିଟି ସଭ୍ୟଙ୍କୁ ପରାମର୍ଶ ଦିଆଯାଇଛି। ୪ତାରିଖ ଦିନ ପୂର୍ବାହ୍ଣରେ ପୁରୀ ସରକାରୀ ଟ୍ରେଜେରୀରୁ ରତ୍ନଭଣ୍ଡାର ଚାବି ଅଣାଯିବ। ୧୦ଜଣଙ୍କ ସମ୍ପୂର୍ଣ୍ଣ ନାମ ଏବଂ ଠିକଣା ସ୍ୱତନ୍ତ୍ର ପୁସ୍ତିକାରେ ଲିପିବଦ୍ଧ କରାଯିବ। ଅନୁଧ୍ୟାନ ରିପୋର୍ଟରେ ସେମାନେ ଦସ୍ତଖତ କରିବେ। ରତ୍ନଭଣ୍ଡାର ଭିତର ଦୃଶ୍ୟ, ଆକାର ଏବଂ ରତ୍ନବାକ୍ସ ସମ୍ପର୍କରେ କମିଟିର କୌଣସି ସଭ୍ୟ ସାଧାରଣରେ ପ୍ରଘଟ କରିବେ ନାହିଁ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନଭଣ୍ଡାର ଭିତରେ ଉଜ୍ଜ୍ୱଳ ଆଲୋକ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ ଏଥିନେଇ ସୂଚନା ଦେଇଛନ୍ତି। ଏହାପୂର୍ବରୁ ୧୯୦୫, ୧୯୨୬, ୧୯୭୮ ଏବଂ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେଥିରେ ରହିଥିବା ସୁନାରୁପା ଗହଣା ତାଲିକା ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି। ଆଗାମୀ ୪ତାରିଖ ଦିନ କେବଳ ନିର୍ମାଣ ଜନିତ ସ୍ଥିତି ଯାଞ୍ଚ କରାଯିବାର ପ୍ରସ୍ତାବ ରହିଛି। ଭିଡିଓ ରେକର୍ଡିଂ କରାଯିବା ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ରତ୍ନଭଣ୍ଡାର ସହ ଶ୍ରୀମନ୍ଦିର ସୁରକ୍ଷା ଓ ନିରାପତ୍ତା ନିର୍ଭର କରୁଥିବାରୁ କୌଣସି ଗୋପନୀୟ ତଥ୍ୟ ବାହାରେ ପ୍ରଘଟ କରାଯିବ ନାହିଁ।

Leave A Reply