ଯୁବକଙ୍କୁ ହତ୍ୟା ପରେ ଥାନା ଆଗରେ ଫିଙ୍ଗିଦେଲେ ଦୁର୍ବୃତ୍ତ; ପୁଲିସକୁ ହତ୍ୟାକାରୀଙ୍କ ଖୋଲା ଚ୍ୟାଲେଞ୍ଜ

ବୁର୍ଲା: ବୁର୍ଲା ସହରରେ ନିର୍ମମ ହତ୍ୟା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ରାତିସାରା ଯନ୍ତ୍ରଣା ଦେଇ ଦୁର୍ବୃତ୍ତ ମାନେ ହତ୍ୟା କରିବା ପରେ ଉଲଗ୍ନ ଅବସ୍ଥାରେ ବୁର୍ଲା ଥାନା ସମ୍ମୁଖରେ ଫିଙ୍ଗିଦେଇ ଚାଲିଯାଇଛନ୍ତି । ଯୁବକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ନେଇ ଚିକିତ୍ସା କରାଇଥିବା ବେଳେ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାଟି ଗତକାଲି ସକାଳ ପ୍ରାୟ ୭ଟା ସମୟରେ ଘଟିଥିବା ଜଣାପଡିଛି ।  ସ୍ପଷ୍ଟ ଦିବା ଲୋକରେ ଏଭଳି କାଣ୍ଡ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ମୃତ ଯୁବକ ଜଣକ ବୁର୍ଲା ସହରର ବସନ୍ତ ବିହାର ନିବାସୀ ଉମାକାନ୍ତ ମେହେରଙ୍କ ପୁଅ  ରାମଚନ୍ଦ୍ର ମେହେର(୨୨) ବୋଲି ସୂଚନା ହସ୍ତଗତ ହୋଇଛି ।

ସୂଚନା ମତେ ମୃତ  ରାମଚନ୍ଦ୍ର ଏବଂ  ଆକ୍ରମଣ କାରୀ ଯୁବକଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ଏହାକୁ କେନ୍ଦ୍ର କରୀ ଆକ୍ରମଣ କାରୀ ଉଭୟ ଗୋଷ୍ଠୀ ଯୁବକ ମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ଯାହାକୁ ପୁଲିସ ପୂର୍ବରୁ ହାଲୁକା ଭାବରେ ନେଇ ଆସୁଥିଲା । ରାମଚନ୍ଦ୍ରଙ୍କୁ ଆକ୍ରମଣ କରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ । ଗତକାଲି ବୁର୍ଲା ସହରର ମହତାବ ନଗର ଅଞ୍ଚଳରେ କାର୍ତ୍ତିକ ପୂର୍ଣ୍ଣମୀ ଯୋଗୁଁ ଆରର୍କେଷ୍ଟା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ରାମଚନ୍ଦ୍ର ଆସିଥିବା ସୂଚନା ହସ୍ତଗତ ହୋଇଛି । ବିଳମ୍ବିତ ରାତି ହୋଇଯିବାରୁ ରାମଚନ୍ଦ୍ର ନିଜ ଘରକୁ ନଫେରି ସେହି ପଡାରେ ତାଙ୍କ ଜଣେ ସାଙ୍ଗଙ୍କ ଘରେ ରହିଯାଇଥିଲେ  ।

ତେବେ  ରାମଚନ୍ଦ୍ର ତାଙ୍କ ସାଙ୍ଗଙ୍କ ଘରେ ରହିବା ଜଣିବା ପରେ ତାଙ୍କୁ ପୂର୍ବରୁ ଟାର୍ଗେଟ୍‌ କରିଥିବା ଯୁବକ ମାନେ ସେହି ଘରେ ପହଞ୍ଚି ରାମଚନ୍ଦ୍ରଙ୍କୁ ଘରୁ ବାହାର କରିବା ପାଇଁ ଧମକାଇଥିଲେ । ରାମଚନ୍ଦ୍ର ଭୟରେ ଦୌଡି ପଳାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ଦୁର୍ବୃତ୍ତ ମାନେ ତାଙ୍କୁ କାବୁ କରି ସେଠାରୁ ଅନ୍ୟତ୍ର ଉଠାଇ ନେଇ ଚାଲି ଯାଇଥିଲେ । ପରେ ରାମଚନ୍ଦ୍ରଙ୍କୁ ବୁର୍ଲା ମହତାବ ନଗର ନିକଟରେ ରହିଥିବା ପୁଲିସ ଫାଇରିଙ୍ଗ ରେଞ୍ଜ ନିକଟରେ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଉଲଗ୍ନ କରୀ ଏକ ଗଛରେ ବାନ୍ଧିଦେଇ ତାଙ୍କୁ ବାଡିରେ ପ୍ରବଳ ବାଡ଼ଇବା ସହିତ ଧାରୂଆ ଅସ୍ତ୍ରରେ ମଧ୍ୟ ଆକ୍ରକଣ କରିଥିଲେ  । ପରେ ତାଙ୍କ ଶରୀରରେ ପ୍ରବଳ ରକ୍ତ ଶ୍ରାବ ହେବା ସହିତ ଚେତାଶୂନ୍ୟ ହୋଇ ପଡିଥିଲେ ରାମଚନ୍ଦ୍ର । ତାଙ୍କୁ ସେହି ଉଲଗ୍ନ ଅବସ୍ଥାରେ ହିଁ ଏକ ବାଇକରେ ବସାଇ ନେଇ ବୁର୍ଲା ଥାନା ସମ୍ମୁଖରେ ରହିଥିବା ହାଇମାଷ୍କ ଆଲୁଅ ଖୁଣ୍ଟ ନିକଟରେ ଫିଙ୍ଗି ଦେଇଥିଲେ ।

ସେହି ସମୟରେ ବୁର୍ଲାର ମୁଖ୍ୟଛକରେ ପ୍ରବଳ ଭିଡ଼ ମଧ୍ୟ ରହିଥିଲା । ମାତ୍ର ଦୁର୍ବୃତ୍ତମାନେ ଏପରି ଏକ ଅଭାବନୀୟ କାଣ୍ଡ ଘଟାଇଥିଲେ । ତେବେ ସେଠାରେ ଦୀର୍ଘ ସମୟ ପଡି ରହିବା ପରେ ଖବର ପାଇ ରାମଚନ୍ଦ୍ରଙ୍କ ମାଆ ଆସି ରାମଚନ୍ଦ୍ରଙ୍କୁ ବଞ୍ଚାଇଥିବା ଭାବି ଚିକିତ୍ସା ପାଇଁ ବୁର୍ଲା ଭୀମସାରକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ଦେଖି ରାମଚନ୍ଦ୍ରଙ୍କ ମୃତ୍ୟୁ ଘଟି ସାରିଥିବା ସୂଚନା ଦେଇଥିଲେ । ତେବେ ଅପରାଧୀ ମାନେ ସ୍ପଷ୍ଟ ଦିବାଲୋକରେ ପୁଣି ବୁର୍ଲା ଥାନା ସମ୍ମୁଖରେ ଯୁବକଙ୍କ ଶରୀରକୁ ଆଣି ଫିଙ୍ଗିବାକୁ ନେଇ ଏକ ଅନ୍ୟ ଆଲୋଚନା ଜୋର ଧରିବା ସହିତ ଲୋକଙ୍କ ମନରେ ଭୟ କରିବା ତାଙ୍କର ମୂଳଲକ୍ଷ ବୋଲି ଆଲୋଚନା ହେଉଛି । ବୁର୍ଲାରେ ଅପରାଧୀ ମାନେ ପୂର୍ଣ୍ଣ ମାତ୍ରାରେ ଖୋଲାଖୋଲି ଭାବରେ ବିଭିନ୍ନ କାଣ୍ଡ ଭିଆଇ ଚାଲିଥିବା ଦେଖିବାକୁ ମିଳିଛି । ଏହା ସହିତ ବିଭିନ୍ନ ସମୟରେ ହତ୍ୟା ତଥା ଅନ୍ୟାନ୍ୟ ଆକ୍ରମଣ ଘଟଣା ଭିଆଇ ପୁଲିସକୁ ବାରମ୍ବାର ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ ଦେଉଛନ୍ତି ।

Comments are closed.