ଯୁବକଙ୍କ ଜୀବନ ବଞ୍ଚାଇଲା ଏକ ଟଙ୍କିଆ କ୍ଲିନିକ୍; ମୃତ୍ୟୁ ମୁହଁରୁ ଫେରାଇ ଆଣିଲେ ଡାକ୍ତର ରାମଚନ୍ଦାନୀ
ବୁର୍ଲା: ତ୍ୱରିତ ଚିକିତ୍ସା ପ୍ରଦାନ କରି ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ତାଙ୍କର ଏକ ଟଙ୍କିକିଆ କ୍ଲିନିକରେ ଜଣେ ରୋଗୀଙ୍କ ଫୁସଫୁସ ଚାରିପଟ ପ୍ଲୁରାରେ ଜମି ରହିଥିବା ବାୟୁକୁ ବାହାର କରି ରୋଗୀଙ୍କ ଜୀବନ ରକ୍ଷା କରିଛନ୍ତି । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଚାରିପାଲି ଗ୍ରାମର ବିକାଶ ଗଡତିଆ (୨୮)ଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ଥିବାରୁ ସେ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସହର ମଧ୍ୟରେ ରହିଥିବା ଏକ ଘରୋଇ ପାଥୋଲାବକୁ ଏକ୍ସରେ ପାଇଁ ଯାଇଥିଲେ । ସେଠାରେ ଏକ୍ସରେ କରିବା ପରେ ସେ ଖାଇବା ପାଇଁ ସହର ମଧ୍ୟରେ ଥିବା ଏକ ହୋଟଲକୁ ଖାଇବାକୁ ଯାଇଥିଲେ ।
ସେଠାରେ ତାଙ୍କ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହିତ ଅଣନିଃଶ୍ୱାସୀ ସମସ୍ୟା ସୃଷ୍ଟି ହେବା ସହିତ ଅସୁସ୍ଥ ହୋଇ ପଡିଥିଲେ । ସେଠାରେ ଥିବା ଜଣେ ବ୍ୟକ୍ତି ଉକ୍ତ ଯୁବକଙ୍କୁ ନିକଟରେ ଥିବା ଟଙ୍କିକିଆ କ୍ଲିନିକକୁ ନେଇ ଡାକ୍ତରଙ୍କୁ ଦେଖାଇବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଠିକଣା ପାଇ ସମ୍ପୃକ୍ତ ଯୁବକଙ୍କୁ ସାଙ୍ଗରେ ଆସିଥିବା ତାଙ୍କ ସମ୍ପର୍କୀୟ ମାନେ ଟଙ୍କିକିଆ କ୍ଲିନିକରେ ପହଞ୍ଚିଥିଲେ । ଏହି ସମୟରେ ଡାକ୍ତର ଶଙ୍କର ରାମଚନ୍ଦାନୀ ଘରକୁ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିଲେ । ସୂଚନା ପାଇବା ପରେ ଡାକ୍ତର ରାମଚନ୍ଦାନୀ ଖାଇବାକୁ ଗୁରୁତ୍ୱ ନଦେଇ ତୁରନ୍ତ ଆସି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।
ଏକ୍ସ-ରେ ରିପୋର୍ଟ ଦେଖିବା ସହିତ ତାଙ୍କର ରକ୍ତଚାପ ମାପିଥିଲେ । ସମ୍ପୃକ୍ତ ଯୁବକଙ୍କ ଅକ୍ସିଜେନ ମାତ୍ରା କମ ଥିବା ସହିତ ତାଙ୍କୁ ଟେନସନ ନିମୋଥ୍ରାକ୍ସ ହୋଇଥିବା ଜଣାପଡିଥିଲା । ତେବେ ଯୁବକଙ୍କ ଅବସ୍ଥା ସେତେବେଳକୁ ଗୁରୁତର ହୋଇ ଯାଇଥିଲା । ନେମୋଥ୍ରାକ୍ସ ହେଲେ ଫୁସଫୁସ ଚାରିପଟେ ଥିବା ଫ୍ଲୁରାରେ ବାୟୁଜାମ ରହିଯାଇଥାଏ । ଏହା ହେବା ଦ୍ୱାରା ହୃତପିଣ୍ଡ ଏବଂ ଏହାର ଶିରା ପ୍ରଶିରା ମାନଙ୍କୁ ଚାପିଦେଇ ଥାଏ । ଏଭଳି ସମସ୍ୟା ଯୋଗୁଁ ଯଦି ତୁରନ୍ତ ବାୟୁ ବାହାର କରା ନ ଯାଏ ତେବେ ଜୀବନ ଚାଲିଯିବାର ମଧ୍ୟ ସମ୍ଭାବନା ରହିଥାଏ ବୋଲି ଡାକ୍ତର ରାମଚନ୍ଦାନୀ କହିଛନ୍ତି ।
ତେବେ ଯୁବକଙ୍କ ଏଭଳି ଗୁରୁତର ଅବସ୍ଥା ଦେଖି ତୁରନ୍ତ ତାଙ୍କ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଏକ ନିଡିଲ ବା ଇଂଜେକ୍ସନ ଛୁଞ୍ଚି ସାହାଯ୍ୟରେ ଛାତିରେ ଫୁଡି ଉକ୍ତ ବାୟୁ ବାହାର କରିଥିଲେ । ଯୁବକ ଜଣକ ଏହାପରେ ସୁସ୍ଥ ଅନୁଭବ କରିଥିଲେ । ଏହାପରେ ଯୁବକଙ୍କୁ ତଥାପି ହସପିଟାଲରେ ଯାଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ ।
Comments are closed.