ବୁର୍ଲା ସହରରେ ମହା ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ପାଳିତ; ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ
ବୁର୍ଲା: ଚଳିତ ବର୍ଷ ମଧ୍ୟ ବୁର୍ଲା ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ମାନଙ୍କରେ ବିଶ୍ୱକର୍ମା ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଦୁଇବର୍ଷର କରୋନା କଟକଣା ପାର୍ବଣ ମାହୋଲକୁ ଫିକା କରି ଦେଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବୁର୍ଲା ସହର ମଧ୍ୟରେ ବିଶ୍ୱକର୍ମା ପୂଜା ମହା ଆଡ଼ମ୍ବର ସହକାରେ ପାଳିତ ହେଉଥିବା ଏବଂ ଶିକ୍ଷାନଗରୀ ବୁର୍ଲା ସହର ବିଶେଷକରି ବିଶ୍ୱକର୍ମା ପୂଜା ତଥା ଭସାଣି ପାଇଁ ଏକ ସ୍ୱତନ୍ତ୍ର ପରିଚୟ ପଶ୍ଚିମ ଓଡ଼ିଶାରେ ସୃଷ୍ଟି କରିପାରିଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରୁ ଆରମ୍ଭ କରି ପଡ଼ୋଶୀ ରାଜ୍ୟ ଝାରଖଣ୍ଡ ଛତିଶଗଡ଼ ଅଞ୍ଚଳରୁ ମଧ୍ୟ ଲୋକେ ଏହି ପୂଜା ଦିନକୁ ଅପେକ୍ଷା କରି ବସିଥାନ୍ତି ।
ସହର ମଧ୍ୟରେ ବୁର୍ଲା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବିଭାଗ, ବୈଦ୍ୟୁତିକ ରକ୍ଷଣବେକ୍ଷଣ ବିଭାଗ, ବିଦ୍ୟୁତ୍ ବିଭାଗ ଟାଟା ପାୱାର ମୁଖ୍ୟ କାର୍ଯ୍ୟାଳୟ, ଦକ୍ଷିଣ ପୂର୍ବ ମୁଖ୍ୟବନ୍ଧ ବିଭାଗ, ଜନସ୍ୱାସ୍ଥ୍ୟ ଜଳ ଯୋଗାଣ ବିଭାଗ, ଫ୍ୟୁଜ୍ କଲ, ବୁର୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ଟେଲିଫୋନ ଏକ୍ସଚେଞ୍ଜ, ପୂର୍ତ୍ତବିଭାଗ କାର୍ଯ୍ୟାଳୟ, ବୈଦ୍ୟୁତିକ ଷ୍ଟୋର ଡିଭିଜନ, ମ୍ୟାଣ୍ଟନାନ୍ସ, ଡିଷ୍ଟ୍ରିବ୍ୟୁସନ, ଆମ୍ବସଢ଼ା କଣ୍ଟାପାଲି ୧୩୩କେଭି, ବୁର୍ଲା ମେଡିକାଲ ଛକ ପଛ ପିଏଚଡି କାର୍ଯ୍ୟାଳୟ, ବୁର୍ଲା ସିଡବ୍ଲୁସି, ବୁର୍ଲା ଯାନ୍ତ୍ରୀକ ବିଶ୍ୱବିଦ୍ୟାଳୟ ଏବଂ ବୁର୍ଲା ଭୀମସାରର ରେଡିଓ ଡାଇଗ୍ନୋସିସ ବିଭାଗ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ଏହା ସମେତ ଅନ୍ୟାନ୍ୟ କେତେକ ସ୍ଥାନରେ ମଧ୍ୟ ପୂଜା ସାଧାରଣ ଭାବରେ ଅନୁଷ୍ଠିତ ହୋଇଥିଲା ।
ବୁର୍ଲା ଘରୋଇ ବସ ମାଲିକ ସଂଘଙ୍କ ଦ୍ୱାରା ଘରୋଇ ବସ ଷ୍ଟାଣ୍ଡଠାରେ, ମାଁ ଝାକରାଣୀ ଅଟୋ ଆସୋସିଏସନ, ଟେକ୍ସି ମାଲିକ ସଂଘ, ରିକ୍ସା ଚାଳକ ସଂଘ, ବୁର୍ଲା ଗଉଡ଼ପାଲି ଗ୍ରାମ, ହୀରାକୁଦ ଷ୍ଟେସନ ଅଟୋଷ୍ଟାଣ୍ଡ, ପିଜିଛକ ଅଟୋଷ୍ଟାଣ୍ଡ ସହିତ ଦ୍ୱାରା ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଉଛି । ବୁର୍ଲା ମହାନଦୀ କୋଲ ଫିଲଡ୍ ଲିମିଟେଡ୍ ଆନନ୍ଦ ବିହାର, ବିଭିନ୍ନ ଦୋକାନ, ଯାନବାହନ ଗ୍ୟାରେଜ ଏବଂ ୱେଲ୍ଡିଂ ଦୋକାନ ମାନ ତଥା କାର୍ଯ୍ୟାଳୟ ବିଶ୍ୱକର୍ମା ପୂଜା ପାଳିତ ହେଉଥିଲା ।
ଚଳିତ ବର୍ଷ ମଧ୍ୟ ଅନେକ ଆଗନ୍ତୁକ ବୁର୍ଲା ସହରକୁ ପୂଜାର କିଛି ଝଲକ ଦେଖିବା ପାଇଁ ଇଚ୍ଛାପ୍ରକାଶ କରି ଧାଇଁ ଆସିଥିଲେ । ବିଶେଷକରି ବୁର୍ଲା ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ପୂଜା ଦେଖି ଆସିବା ସହିତ ଟରବାଇନ ସେସ୍କନକୁ ଦେଖିବା ପୂଜାରେ ସମ୍ଭବପର ହୋଇ ପାରିଥାଏ । ତେଣୁ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଶ୍ୱକର୍ମା ପୁଜା ଦେଖିବା ପାଇଁ ଦୁଇଦିନ ଅନୁମତି ଦିଆଯାଇ ପାରିଲେ ପର୍ଯ୍ୟାଟକ ମାନେ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ମହଲରେ ଦାବି ହେଉଛି । ଏହାପରେ ବୁର୍ଲା ପ୍ଲାନେଟୋରିମ ବୁଲି ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
Comments are closed.