ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୨ ମୃତ

0

ନୂଆଦିଲ୍ଳୀ: ଗ୍ରେଟର ନୋଇଡ଼ା ଅଞ୍ଚଳରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିଛି। କୋଠା ତଳେ କେତେଜଣ ରହିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିଥିଲେ ମଧ୍ୟ ୨୦ ରୁ ୩୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଏନ୍‍ଡିଆରଏଫ୍‍, ଅଗ୍ନିଶମ ବିଭାଗ ଓ ପୁଲିସ୍‍ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଆଜି ରାତି ୮ଟା ୩୦ରେ ପ୍ରଥମେ ଏକ ଛଅ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପାଖରେ ଥିବା ଏକ ଚାରି ମହଲା କୋଠା ଉପରେ ପଡ଼ିଯାଇଥିଲା। ଚାରିମହଲା କୋଠା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ସେଠାରେ ରହୁଥିବା ୧୮ ପରିବାର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଯାଇଛନ୍ତି।
ଘଟଣା ପରେ ଗାଜିଆବାଦ୍‍ରୁ ଏନ୍‍ଡିଆରଏଫ୍‍ ଟିମ୍‍ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଏକାଧିକ ଭାରୀ ଯାନ ଓ ଯନ୍ତ୍ରାଂଶ ବ୍ୟବହାର କରାଯାଉଛି।
ଅପରପକ୍ଷରେ ବିଳମ୍ବରେ ଉଦ୍ଧାରକାରୀ ଦଳ ପହଞ୍ଚିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଖବର ଦିଆଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Leave A Reply