ସହରରେ ଧଳା ଜହର କାରବାର ; ଧଳା ଜହର ସମେତ ୨ ଗିରଫ

ବାଇକ, ମୋବାଇଲ, ଏଟିଏମ କାର୍ଡ ଜବତ, ଟାର୍ଗେଟରେ ଆଉ ୪

ସୁନ୍ଦରଗଡ଼ : ସହରରେ ଧଳା ଜହର କାରବାରକୁ ନେଇ ବିଭିନ୍ନ ସମୟରେ ପୁଲିସର ଦୃଷ୍ଟି ଆକର୍ଷଣ କରାଯିବା ସହ ଏହି କାରବାରରେ ଲିପ୍ତ ମହିଳା ଓ ପୁରୁଷଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା। ଏପରିକି ପତ୍ରାପଡ଼ାବାସୀ ଜିଲାପାଳ ଓ ଏସ୍‌ପିଙ୍କୁ ସାକ୍ଷାତ କରି ସମଗ୍ର ଘଟଣା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। କିଛି ଦିନ ପୂର୍ବରୁ ପତ୍ରାପଡ଼ାବାସୀ ଏହି କାରବାରରେ ଲିପ୍ତ ଥିବା ସନ୍ଦେହ କରି ଜନୈକା ମହିଳାଙ୍କୁ ବେଶ୍‌ ଉତ୍ତମ ମଧ୍ୟମ ଦେବା ସହ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲେ। ଏଭଳି ସମ୍ବେଦନଶୀଳ ଘଟଣା ଘଟିବା ପରେ ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ଧଳା ଜହର କାରବାରରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା ପାଇଁ ଟାଉନ ପୁଲିସକୁ ନି‌େର୍ଦ୍ଦ‌ଶ ଦେଇଥିଲେ। ଦୁଇ ଜଣ ବ୍ୟକ୍ତି ବାଇକରେ ରାଉରକେଲାରୁ ଧଳା ଜହର ନେଇ ସୁନ୍ଦରଗଡ଼କୁ ଆସୁଥିବା ଓ ଏଠାରେ ତାଙ୍କ ସହଯୋଗୀଙ୍କୁ ଏହା ଦେବା ପାଇଁ ଜାଣି ଟାଉନ ପୁଲିସର ଏକ ଦଳ ସ୍ଥାନୀୟ ବାଇପାସ୍‌ ରାସ୍ତାରେ ଉକ୍ତ ବାଇକ ଆରୋହୀଦ୍ବୟଙ୍କୁ ଅଟକାଇ ପଚରାଉଚରା କରିବା ସହ ସେମାନଙ୍କ ନିକଟରୁ ୩୯ଗ୍ରାମ ଓ ୫୦୦ମିଲିଗ୍ରାମ ଧଳା ଜହର (ବ୍ରାଉନ ସୁଗାର)କୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ କରିଥିଲେ। ପରେ ଟାଉନ ଥାନାର ସବ୍‌ଇନ୍ସପେକ୍ଟର ଦୋଳମଣି ନାୟକଙ୍କ ଏତଲା ଉପରେ ପୁଲିସ ଏକ ମାମଲା ରୁଜୁ କରିଛି। ଆଜି ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସାଗରିକା ନାଥ ସମଗ୍ର ଘଟଣା ଉପରେ ସୂଚଚନା ଦେଇ ଧଳା ଜହର କାରବାରରେ ପୁଲିସକୁ ଆଗାମୀ ଦିନରେ ସଫଳତା ମିଳିବ ବୋଲି କହିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି କହି ଗିରଫ ୨ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରାଯିବା କଥା ସୂଚନା ଦେଇଥିବା ବେଳେ ସନ୍ଦିଗ୍ଧ ଆଉ ୪ଜଣଙ୍କୁ ଟାର୍ଗେଟରେ ରଖାଯାଇଛି ବୋଲି ସିଧାସଳଖ କହିନଥିଲେ ମଧ୍ୟ ପରୋକ୍ଷରେ ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍‌ଡିପିଓ ମଧୁଶିକ୍ତା ମିଶ୍ର, ଟାଉନଥାନା ଅଧିକାରୀ ଜଗ୍‌ଦୀଶ ବାରା ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.