ଘୋଡ଼ା ଚଢି ବର ଘରେ ପହଞ୍ଚିଲା କନ୍ୟା; ଭିଡିଓ ଭାଇରାଲ୍‌

ବୁରହାନପୁର: ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଲୋକେ ଆଜିକାଲି ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ଯୁବତୀ ଘୋଡ଼ା ଚଢି ବର ଘରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଯିଏ ଏହି ଦୃଶ୍ୟ ଦେଖୁଥିଲା ସେ ଏହାକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରୁଥିଲା ଏବଂ ସାମାଜିକ ଗଣମାଧ୍ୟମରେ ଅନେକ ଏହାକୁ ଭାଇରାଲ ମଧ୍ୟ କରିଛନ୍ତି।

ବୁରହାନପୁରରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ଭାରତୀୟ କନ୍ୟା ଘୋଡ଼ା ଚଢି ଜଣେ ଏନଆରଆଇ ବର ଘରେ ପହଞ୍ଚି ତାଙ୍କୁ ବାହାହେବାକୁ ନିମନ୍ତ୍ରଣ କରିଛନ୍ତି। କନ୍ୟା ତାଙ୍କ ଘରେ ପହଞ୍ଚିବା ପରେ ବର ମଧ୍ୟ ନିମନ୍ତ୍ରଣ ସ୍ବୀକାର କରି ଏକ ଖଣ୍ଡା ଉପହାର ଦେଇ ବିବାହ ପ୍ରସ୍ତାବ ଓ ବରଯାତ୍ରୀ ନେଇ ତାଙ୍କ ଘରକୁ ଆସିବା ନେଇ ସମ୍ମତି ଜଣାଇଥିଲେ।

ବାହାଘର ଏବଂ ଶୋଭାଯାତ୍ରା ତ ଆପଣ ବହୁତ ଦେଖିଥିବେ, କିନ୍ତୁ କନ୍ୟା ଘୋଡ଼ା ଚଢି ଯିବାର ଦୃଶ୍ୟ କେବଳ ବୁରହାନପୁରର ଗୁଜରାଟୀ ମୋଢ ବଣିକ ସମ୍ପ୍ରଦାୟରେ ଦେଖିବାକୁ ମିଳିଥାଏ। ବାସ୍ତବରେ, ଏହି ପ୍ରଥା ରାଜା ମହାରାଜାଙ୍କ ସମୟରେ ପ୍ରଚଳିତ ଥିଲା। ଆଜିର ଆଧୁନିକ ଯୁଗରେ ପ୍ରାଚୀନ ପ୍ରଥାମାନ ବିଲୁପ୍ତ ହୋଇଗଲାଣି, କିନ୍ତୁ ବୁରହାନପୁରର ଗୁଜରାଟୀ ମୋଢ ବଣିକ ସମ୍ପ୍ରଦାୟରେ ଏହାକୁ ପୁନର୍ଜୀବିତ କରାଯାଇଛି। ଏହି ସମ୍ପ୍ରଦାୟର ଝିଅମାନେ ପୁଣିଥରେ ଏହି ପ୍ରଥା ଅନୁସାରେ ବିବାହ କରୁଛନ୍ତି। ଏହି କ୍ରମରେ କନ୍ୟା ଆସ୍ଥା ଓ ଏନଆରଆଇ ବର ଅଭିଜିତ ଏହି ପ୍ରଥାକୁ ଆପଣାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

prayash

ଗୁଜରାଟୀ ମୋଢ ବଣିକ ସମ୍ପ୍ରଦାୟର ଗୋପାଳ ଦେବକର କହିଛନ୍ତି, ଏହା ଆମ ସମ୍ପ୍ରଦାୟର ପ୍ରାଚୀନ ପରମ୍ପରା, ଯାହାକୁ କନ୍ୟା ଘାଟଡି କୁହାଯାଏ। ଯଦିଓ ଏହି ପରମ୍ପରା ଏବେ ବିଲୁପ୍ତ ହୋଇଯାଇଛି, କିନ୍ତୁ ସମ୍ପ୍ରଦାୟର ନୂତନ ପୀଢି ଏହି ପରମ୍ପରା ବିଷୟରେ ଜାଣିବା ପରେ ସେମାନେ ଏହାକୁ ପୁନର୍ବାର ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କଲେ। ଏଥିପାଇଁ ବୁରହାନପୁରର ନୂଆ ଯୋଡ଼ି ଆସ୍ଥା ଓ ଅଭିଜିତ ଆଗକୁ ଆସିଲେ। ଏହି ପରମ୍ପରାରେ ବିବାହର ଗୋଟିଏ ଦିନ ପୂର୍ବରୁ କନ୍ୟା ଘୋଡ଼ା ଚଢି ବାଜା ବାଣ ସହ ବର ଘରେ କିମ୍ବା ବରପକ୍ଷ ପକ୍ଷରୁ ଆୟୋଜିତ ସ୍ଥାନରେ ପହଞ୍ଚିଥାଏ ଏବଂ ସେଠାରେ ବରପକ୍ଷ କନ୍ୟାପକ୍ଷଙ୍କୁ ସ୍ବାଗତ ସତ୍କାର କରିଥାଆନ୍ତି। ଏହାପରେ କନ୍ୟା ଘୋଡ଼ାରୁ ଓହ୍ଲାଇ ବିବାହ କରିବା ପାଇଁ ତାଙ୍କ ଘରକୁ ଆସିବାକୁ ବରକୁ ନିମନ୍ତ୍ରଣ କରିଥାଏ, ଏହାକୁ ବର ସ୍ବୀକାର କରି ପରଦିନ ବରଯାତ୍ରୀ ଶୋଭାଯାତ୍ରା ସହ ବିବାହ କରିବାକୁ ଝିଅ ଘରେ ପହଞ୍ଚିଥାଏ।

ଏହି ପରମ୍ପରା ଅନୁଯାୟୀ, କନ୍ୟା ଆସ୍ଥା ରବିବାର ଘୋଡ଼ା ଚଢି ତାଙ୍କ ଭାବି ଜୀବନସାଥୀଙ୍କ ଘରେ ପହଞ୍ଚିଥିଲେ। ଏହାପରେ ସାମାଜିକ ପରମ୍ପରା ମୁତାବକ ବରକୁ ନିଜ ଘରକୁ ଆସି ବିବାହ କରିବାକୁ ନିମନ୍ତ୍ରଣ କରିଥିଲେ। ବର ଅଭିଜିତ ମଧ୍ୟ କନ୍ୟା ଆସ୍ଥାଙ୍କ ନିମନ୍ତ୍ରଣ ସ୍ବୀକାର କରି ଖଣ୍ଡା ଉପହାର ଦେଇଥିଲେ। ସୋମବାର ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି।

Comments are closed.