ଛେଳି ଚରାଇବା ବେଳେ ପଥର ସନ୍ଧିରେ ଫସିଗଲା ନାବାଳକର ମୁଣ୍ଡ
୧୦ଘଣ୍ଟା ପରେ ଉଦ୍ଧାର
ଇନ୍ଦ୍ରାବତୀ : ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ତଥା କଳାହାଣ୍ଡି ଜିଲା ସୀମାନ୍ତ ବରିପଦର ଗାଁରେ ଛେଳି ଚରେଇବା ସମୟରେ ଅଘଟଣ ଘଟିଛି। ଜଣେ ୧୨ବର୍ଷୀୟ ନାବାଳକଙ୍କ ମୁଣ୍ଡ ପଥର ସନ୍ଧିରେ ଫସିଯାଇଥିବାବେଳେ ଦୀର୍ଘ ୧୦ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଆହତ ଅବସ୍ଥାରେ ତାଙ୍କୁ ପାତ୍ରପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ବାଳକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ ବରିପଦର ଗ୍ରାମର ଜଣେ ୧୨ବର୍ଷୀୟ ବାଳକ ଆଜି ପୂର୍ବାହ୍ଣରେ ନିକଟସ୍ଥ କରାଘାଟି ପାହାଡ଼କୁ ଛେଳି ଚରେଇବା ପାଇଁ ଯାଇଥିଲେ। ସୁଉଚ୍ଚ ପାହାଡ଼ ଉପରେ ଛେଳି ଚରେଇବା ସମୟରେ ବାଳକଜଣକ ମୁଣ୍ଡ ଦୁଇ ପଥର ସନ୍ଧିରେ ଫସିଯାଇଥିଲା। ବାଳକଙ୍କ ଗୋଡ଼ ଦୁଇଟି ଉପରେ ଥିବା ବେଳେ ମୁଣ୍ଡଟି ପଥର ସନ୍ଧିରେ ଫସି ରହିଥିଲା। ବାଳକଙ୍କ ମୁଣ୍ଡ କେମିତି ପଥର ସନ୍ଧିରେ ଫସିଲା ତାହା ଅସ୍ପଷ୍ଟ ରହିଛି। ତେବେ ପଥର ଉପରେ ବାଳକଜଣକ ଶୋଇ ପଡିଥିବାବେଳେ ଖସିପଡ଼ି ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ପୂର୍ବାହ୍ଣ ୧୦ଟାରେ ତାଙ୍କ ମୁଣ୍ଡ ପଥର ସନ୍ଧିରେ ଫସିଥିଲା। ଚିତ୍କାର ଶୁଣି ନିକଟରେ ଥିବା ଜଣେ ବ୍ୟକ୍ତି ପାଖକୁ ଯାଇଥିଲେ ହେଁ ତାଙ୍କୁ ଉଦ୍ଧାର କରିପାରି ନ ଥିଲେ। ଖବର ପାଇ ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଚେଷ୍ଟା କରି ବିଫଳ ହୋଇଥିଲେ। ଅପରାହ୍ଣରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ତୁରନ୍ତ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଖୋଦ ବିଡିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସହଯୋଗର ହାତ ବଢେଇଥିଲେ। ୧୦ଘଣ୍ଟା ପରେ ରାତି ପ୍ରାୟ ୮ଟାରେ ନାବାଳକକୁ ପଥର ସନ୍ଧିରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଏହାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଗାଡି ଯୋଗେ ପାତ୍ରପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ଜଣାପଡିଛି।
Comments are closed.