ଓଡିଆରେ ନାମଫଳକ ଲେଖିବା ବାଧ୍ୟତା ମୂଳକ: ୧୭ ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

0

  -ଯୁବଗୋଷ୍ଠୀ ପାଇଁ ଆରମ୍ଭ ହେବ ‘ବିଜୁ ଯୁବ ବାହିନୀ’
-ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ
-ଚିଟ୍‌ଫଣ୍ଡ କ୍ଷୁଦ୍ର ଜମାକାରୀଙ୍କୁ ଆଶ୍ବସ୍ତି: ବଣ୍ଡ୍‌ରେ ଲାଗିବନି ଷ୍ଟାମ୍ପ ପେପର
-ନିୟମିତ ହେବେ ୧୭ଶହ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ
-ବାଚସ୍ପତି, ମନ୍ତ୍ରୀଙ୍କ ଭତ୍ତା ବୃଦ୍ଧି, ମହାନଦୀ ଉପରେ ନୂଆ ସେତୁ
-ଇଲେକ୍‌ଟ୍ରୋନିକ୍‌ ବିଭାଗ ଅଧୀନରେ ରହିବ ଓଡ଼ିଆ ଭର୍ଚୁୁଆଲ ଏକାଡେମୀ
-ଷ୍ଟାର୍ଟଅପରେ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର  : ରାଜ୍ୟରେ ‘ବିଜୁ ଯୁବ ସଶକ୍ତୀକରଣ’ ଯୋଜନା ଅନ୍ତର୍ଗତ ‘ସକ୍ରିୟ ନାଗରିକତା’ କାର୍ଯ୍ୟକ୍ରମ ଚାଲିଛି। ଏହା ରାଜ୍ୟର ଅନ୍ୟୂନ ତିନି ହଜାର ଶିକ୍ଷାନୁଷ୍ଠାନରେ ପରିଚାଳନା କରାଯାଉଛି। ଏହାଦ୍ୱାରା ୬ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରି ତୃଣମୂଳସ୍ତରରେ ଯୁବପିଢ଼ିଙ୍କ ନିକଟରେ ପହଞ୍ଚାଇବା ନେଇ ସରକାର ଯୁବପିଢ଼ିଙ୍କୁ ସମାଜ ଓ ଗୋଷ୍ଠୀସେବା ନିମନ୍ତେ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କାର୍ଯ୍ୟକ୍ରମକୁ ୬୮୦୦ ପଞ୍ଚାୟତ ଏବଂ ୧୧୩ ସହରାଞ୍ଚଳରେ ଥିବା ଯୁବଗୋଷ୍ଠୀଙ୍କ ନିମନ୍ତେ
ପରିଚାଳନା କରାଯିବ। ଏଥିନିମନ୍ତେ ‘ବିଜୁ ଯୁବବାହିନୀ’ ନାମକ ଉପ ଯୋଜନାର ପରିକଳ୍ପନା କରାଯାଇଛି। ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ସମେତ ଓଡ଼ିଶା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖାକୁ ବାଧ୍ୟତାମୂଳକ କରିବା, ଓଡ଼ିଶା ସରକାରୀ ଭାଷା ଅଇନ ପାଳନ କରୁନଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଶାସ୍ତି ବିଧାନ, ବେସରକାରୀ ଉଦ୍ୟମରେ ପରିଚାଳିତ କଣ୍ଟ୍ରୋଲ ଦୋକାନ ଅବଧି ଏକ ବର୍ଷ ବୃଦ୍ଧି କରିବା, ବସୁଧା ଯୋଜନାରେ ମୁଣ୍ଡ ପିଛା ଜଳଯୋଗଣ ପରିମାଣ ବୃଦ୍ଧି, ଚାକିରିରେ ୬ ବର୍ଷ ପୂରଣ କରିଥିବା ଗ୍ରାମପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟଙ୍କୁ ନିୟମିତ କରାଯିବା ସହ ବାଚସ୍ପତି ଓ ମନ୍ତ୍ରୀଙ୍କ ଦୈନିକ ଭତ୍ତା ବୃଦ୍ଧି ସମେତ ମହାନଦୀ ଉପରେ ଆଉଏକ ସେତୁ ନିର୍ମାଣ ପ୍ରଭୃତି ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
କ୍ୟାବିନେଟ ଶେଷରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ‘ବିଜୁ ଯୁବ ବାହିନୀ’ରେ ୧୫ରୁ ୩୫ ବର୍ଷ ବୟସ୍କ ସାମିଲ ହୋଇପାରିବେ। ଏକ ଆଦର୍ଶ ବିଜୁ ଯୁବ ବାହିନୀର ସଦସ୍ୟ ସଂଖ୍ୟା ୨୫ ମଧ୍ୟରେ ହେବା ଆବଶ୍ୟକ। ଏଥିରେ ଯୁବଗୋଷ୍ଠୀ ମଧ୍ୟରେ ନେତୃତ୍ୱ, ସ୍ୱେଚ୍ଛାସେବୀ ମନୋଭାବ ଓ ଖେଳୁଆଡ ମନୋବୃତ୍ତି ସହ ସୁସ୍ଥ ଜୀବନଯାପନ ଶୈଳୀର ବିକାଶ ନେଇ ପଦକ୍ଷେପ ନିଆଯିବ। ଯୁବକ ଯୁବତୀଙ୍କ ସୃଜନଶୀଳତାର ବିକାଶ ନିମନ୍ତେ ପଞ୍ଚାୟତସ୍ତରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ‘ମୁଁ ହିରୋ’ ଅଭିଯାନରେ ଦକ୍ଷତା ପ୍ରତିପାଦନ କରିଥିବା ଯୁବକ ଯୁବତୀଙ୍କୁ ପୁରସ୍କୃତ କରାଯିବ।
ଅନେକ ସରକାରୀ କର୍ମଚାରୀ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ପ୍ରୟୋଗ କରୁନାହାନ୍ତି। ଯେଉଁମାନେ ଏହି ନିୟମକୁ ପାଳନ କରିବେ ନାହିଁ ସେମାନଙ୍କ କ୍ଷେତ୍ରରେ ଦଣ୍ଡ ବିଧାନ କରାଯିବ। ସଠିକ ପ୍ରୟୋଗ କରିଥିôବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ବ୍ୟବସ୍ଥା ରଖାଯାଇଛି। ରାଜ୍ୟର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଓଡ଼ିଆ ଭାଷାରେ ଲିଖିତ ନାମ ଫଳକ ଝୁଲାଇବେ। ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ୧୯୫୬ ମସିହାର ଏସଂକ୍ରାନ୍ତ ଅଧିନିୟମରେ ସଂଶୋଧନ ଅଣାଯିବ। ଏଥିରେ ଖିଲାପକାରୀଙ୍କ ପାଇଁ ୧ହଜାର ଟଙ୍କାରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ରହିଛି। ବିଧାନସଭାରେ ଏ ନେଇ ଏପ୍ରିଲ ମାସରେ ଆଇନରେ ସଂଶୋଧନ ପ୍ରସ୍ତାବ ଆସିବ। ଓଡ଼ିଆରେ ନାମ ଫଳକ ଲେଖିବାକୁ ଏକମାସ ସମୟ ଦିଆଯିବ। ଏହା ପରେ ମେ ମାସରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସେହିପରି ଗ୍ରାମ ପଞ୍ଚାୟତ ଟେକ୍ନିକାଲ ଆସିଷ୍ଟାଣ୍ଟ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରାଯିବ। ଏହାଦ୍ୱାରା ଏହି ପଦବୀରେ ଥିବା ପ୍ରାୟ ୧୭୦୦ ଜୁନିୟର ଇଞ୍ଜିନିୟର ଉପକୃତ ହେବେ। ଗୃହ କାର୍ଯ୍ୟରେ ଉପସ୍ଥିତ ହେଉଥିବା ବାଚସ୍ପତି, ଉପ ବାଚସ୍ପତି ଓ ମନ୍ତ୍ରୀମାନଙ୍କ ଦୈନିକ ଭତ୍ତା ୧୫୦ଟଙ୍କାରୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ବିଧାୟକମାନଙ୍କ ପାଇଁ ଏହା ୧୫୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପ୍ରାୟ ୭ହଜାର ବେସରକାରୀ ଡିଲର ଅଛନ୍ତି। ସେମାନଙ୍କ କାର୍ଯ୍ୟ ଅବଧି ଆଉ ଏକବର୍ଷ ଅର୍ଥାତ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ପୂର୍ବରୁ ମଧ୍ୟ ଗୋଟିଏ ବର୍ଷ ବୃଦ୍ଧି କରାଯାଇଥିଲା।
ଚିଟ୍‌ଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ପ୍ରଦାନ ପ୍ରକ୍ରିୟା ଆରମ୍ଭ କରାଯିବ। କ୍ଷୁଦ୍ର ଜମାକାରୀଙ୍କ ପକ୍ଷରେ କ୍ଷତିପୂର୍ତ୍ତି ବନ୍ଧପତ୍ର ନିମନ୍ତେ ଷ୍ଟାମ୍ପ ଦେୟ ପ୍ରଦାନ କଷ୍ଟସାଧ୍ୟ ହେବ। ଏହାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଜମାକାରୀଙ୍କ ପାଇଁ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସେମାନେ ସାଦା କାଗଜରେ ବିନା ଷ୍ଟାମ୍ପ ଦେୟରେ କ୍ଷତିପୂର୍ତ୍ତି ବନ୍ଧପତ୍ର (ଇଣ୍ଡେମ୍‌ନିଟି ବଣ୍ଡ୍‌) ପ୍ରଦାନ କରି କ୍ଷତିପୂରଣ ଗ୍ରହଣ କରିବେ। ଏହି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିିଳିଛି।
ବେସାମରିକ ପ୍ରତିରକ୍ଷା ଅଧିନିୟମ ୧୯୬୮ ଏକ କେନ୍ଦ୍ରୀୟ ଅଧିନିୟମ। ଏଥିରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ ନଥିଲା। ବେସାମରିକ ପ୍ରତିରକ୍ଷା କ ଓ ଖ ବର୍ଗର ଅଧିକାରୀଙ୍କ ନିଯୁକ୍ତି ଏବଂ ପଦୋନ୍ନତି ନିମନ୍ତେ ଓଡ଼ିଶା ବେସାମରିକ ପ୍ରତିରକ୍ଷା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ ପ୍ରସ୍ତୁତ କରାଯାଇଛି। ଏହାକୁ କ୍ୟାବିନେଟ ମୋହର ଲାଗିଛି। ୨୦୧୮-୧୯ ସୁଦ୍ଧା ରାଜ୍ୟର ସମସ୍ତ ସହରାଞ୍ଚଳକୁ ଜଳଯୋଗାଣ ପରିସରଭୁକ୍ତ କରାଯିବ। ଏଥି ନିମନ୍ତେ ୩୪୫ କୋଟି ଟଙ୍କା ବିନିଯୋଗ ହେବ। ଓଡ଼ିଆ ଭର୍ଚୁୁଆଲ ଏକାଡେମୀ ସଂସ୍କୃତି ବିଭାଗ ପରିବର୍ତ୍ତେ ଇଲେକ୍‌ଟ୍ରୋନିକ ବିଭାଗ ଅଧୀନରେ କାର୍ଯ୍ୟ କରିବ।
ସଂଶୋଧିତ ଓଡ଼ିଶା ଷ୍ଟାର୍ଟଅପ ନୀତି ୨୦୧୬ ଅନୁଯାୟୀ ମହିଳା, ତୃତୀୟ ଲିଙ୍ଗୀ, ଅନୁସୂଚିତ ଜାତି, ଜନଜାତି, ସାମାଜିକ ପଛୁଆ ବର୍ଗ ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ। ଷ୍ଟାର୍ଟଅପ ଆରମ୍ଭ କରୁଥିବା ଉପରୋକ୍ତ ବର୍ଗର ଉଦ୍ୟୋଗୀମାନଙ୍କୁ ମାସକ ୨୨ ହଜାର ଟଙ୍କା ଭତ୍ତା ଯୋଗାଇ ଦେବାକୁ କ୍ୟାବିିନେଟ ନିଷ୍ପତ୍ତି ହୋଇଛି। ଏହାର ପ୍ରତିଷ୍ଠାତା ମହିଳା ହୋଇଥିଲେ ସେମାନଙ୍କ କ୍ଷେତ୍ରରେ ୩୩% ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯାଇଛି। ଏହି ଉଦ୍ୟୋଗୀମାନଙ୍କୁ ଉତ୍ପାଦିତ ସାମଗ୍ରୀର ବିକାଶ, ବିପଣନ ଓ ପ୍ରଚାର ପାଇଁ ସହାୟତା ରାଶିକୁ ୧୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସହାୟତା ପାଇଁ ଷ୍ଟାର୍ଟଅପ ଉଦ୍ୟୋଗର ମାସିକ ରାଜସ୍ୱ ୧୦ଲକ୍ଷରୁ ୨.୫ ଲକ୍ଷ ଟଙ୍କାକୁ ହ୍ରାସ କରାଯାଇଛି। ଏହା ୬ ମାସ ପର୍ଯ୍ୟନ୍ତ ବଳବତ୍ତର ଥିଲେ ଉଦ୍ୟୋଗୀ ଏହି ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ।
ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ୨୦୧୭-୧୮ରେ ‘ବସୁଧା’ ଯୋଜନାରେ ବର୍ଷସାରା ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ନେଇ ବ୍ୟବସ୍ଥା ନିଶ୍ଚିତ କରାଯିବ। ଭୂତଳ ଓ ଭୂପୃଷ୍ଠ ଜଳର ବ୍ୟବହାର କରି ପାଇପ ଜଳଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା କରାଯିବା ସହ ମୁଣ୍ଡ ପିଛା ଦୈନିକ ୪୦ ଲିଟର ଜଳ ଯୋଗାଣକୁ ୭୦ ଲିଟରକୁ ବୃଦ୍ଧି କରାଯିବ। ଏଥିପାଇଁ ଏବର୍ଷ ୬୦୦କୋଟି ଟଙ୍କାର ଆର୍ଥିକ ଅନୁଦାନ ବ୍ୟବସ୍ଥା ଥିବା ବେଳେ ୨୦୧୮-୧୯ରେ ଏହାକୁ ୧୦୦୦ କୋଟି ଟଙ୍କାକୁ ବୃଦ୍ଧି କରିବା ଯୋଜନା ରହିଛି।

Leave A Reply