ପଲ୍ଳୀଶ୍ରୀ ମେଳା ଓ ପୁସ୍ତକ ମେଳା ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ : ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରା ଅବସରରେ ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା ଆୟୋଜନ କରାଯିବାକୁ ନେଇ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ପଲ୍ଲିଶ୍ରୀ ମେଳା ଓ ପୁସ୍ତକ ମେଳା ପାଇଁ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୌଦ୍ଧ କଚେରୀ ପଡିଆଠାରେ ଆସନ୍ତା ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ହେବାକୁଥିବା ଏହି ପଲ୍ଲିଶ୍ରୀ ମେଳାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୦୦ ଗୋଟି ସ୍ୱୟଂସହାୟକ ଗୋଷ୍ଠୀ ସେମାନଙ୍କ ଉତ୍କଷ୍ଟମାନର ସାମଗ୍ରୀ ସହିତ ସାମିଲ ହେଉଥିବାବେଳେ ପୁସ୍ତକ ମେଳାରେ ପ୍ରକାଶକମାନଙ୍କ ପାଇଁ ୩୦ ଗୋଟି ଷ୍ଟଲ ବ୍ୟବସ୍ଥା କରାଯାଇଛି ।
ଏହାବ୍ୟତୀତ ଜିଲାର ସମସ୍ତ ବିଭାଗୀୟ ଷ୍ଟଲ ମଧ୍ୟ ଏହି ମେଳାରେ ସ୍ଥାନ ପାଇବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ମେଳା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ସାହିତ୍ୟ ଆଲୋଚନା,ବ୍ୟଙ୍ଗକବି ସମ୍ମିଳନୀ,କବିତା ପାଠଚକ୍ର,ପାଲା,ଦାସକାଠିଆ ସହିତ ଜିଲା ଓ ଜିଲା ବାହାରର ଅନେକ ସାଂସ୍କୃତିକ ଦଳ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମେଳାର ସାଂସ୍କୃତିକ ମଞ୍ଚରେ ଜିଲାର ବିଭିନ୍ନ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦେବାକୁ ମଧ୍ୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଆରମ୍ଭ ରାମଲୀଳା ପଡିଆଠାରୁ ଏକ ଶୋଭାଯାତ୍ରା ବାହାରି ମେଳା ପଡିଆ ପର୍ଯ୍ୟନ୍ତ ଆସିବ । ଏହି ଶୋଭାଯାତ୍ରାରେ ରାମ,ଲକ୍ଷ୍ମଣ ଓ ସୀତାଙ୍କୁ ରଥାରୁଢ କରାଇବା ସହିତ ରାମଲୀଳା ଯାତ୍ରାର ବିଭିନ୍ନ ଚରିତ୍ରର ବେଶ ଧରି କଳାକାରମାନେ ସାମିଲ ହେବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ଏହାବ୍ୟତୀତ ହନୁମାନଙ୍କ ଏକ ବିରାଟ ପ୍ରତିକୃତି ନିର୍ମାଣ କରାଯାଇ ଶୋଭାଯାତ୍ରାରେ ସାମିଲ କରାଯିବାକୁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । ରାମଲୀଳା ଯାତ୍ରା ଯୋଗୁଁ ସହରରେ ଟ୍ରାଫିକ ଭିଡକୁ ଦୃଷ୍ଟିରେ ରଖି ମାଲ ବୋଝେଇ ଭାରିଯାନ ଓ ଯାତ୍ରୀବାହୀ ବସ ଗୁଡିକୁ ସହର ଭିତରକୁ ପ୍ରବେଶର ଅନୁମତି ନଦେଇ ବାଇପାସରେ ପଠାଯିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯାତ୍ରା ସମୟରେ ସହର ମଧ୍ୟରେ ଟ୍ରାଫିକ,ପାନୀୟଜଳ,ନିରନ୍ତର ବିଦ୍ୟୁତ ଯୋଗାଣ ଓ ପରିଷ୍କାର ପରିଛନ୍ନତା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି,ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ,ଆର୍କିଟେକ ସୁମନ ଷଡଙ୍ଗୀଙ୍କ ସମେତ ବିଭିନ୍ନ ସଂଗଠନର ପ୍ରତିନିଧି ସାମିଲ ହୋଇଥିଲେ ।
Comments are closed.