ଉତ୍ତରାଖଣ୍ଡର ସୁଡଙ୍ଗରୁ ଉଦ୍ଧାର ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ
ବୌଦ୍ଧ : ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରୁ ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୫ ଜଣ ଶ୍ରମିକ ଓଡିଶାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକକୁ ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ସର୍କିଟ ହାଉସଠାରେ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରମିକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ତାଲବେଢା ଗ୍ରାମର ଭଗବାନ ବତ୍ରା । ସେ ହେଲପର ଭାବରେ ସୁଡଙ୍ଗ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ଏହି ଘଟଣା ଘଟିଥିଲା ।
ସୁଡଙ୍ଗ ମଧ୍ୟରେ ଦୀର୍ଘ ୧୭ ଦିନ କାଳ ରହି ଆସନ୍ନ ମୃତ୍ୟୁ ର ଭୟ ଏବେ ମଧ୍ୟ ତାଙ୍କ ମୁହଁରୁ ଜଣାପଡୁଥିଲା । ତେବେ ସରକାରଙ୍କ ପ୍ରଚେଷ୍ଟାରେ ସେ ସୁଡଙ୍ଗ ମଧ୍ୟରୁ ଉଦ୍ଧାର ପାଇ ଖୁବ ଆନନ୍ଦିତ ଥିଲେ ଏବଂ ତାଙ୍କ ପରିବାର ଓ ଗ୍ରାମବାସୀଙ୍କ ନିକଟକୁ ଶୀଘ୍ର ଫେରିବାକୁ ମନରେ ଉତ୍କଣ୍ଠା ଅନୁଭବ କରୁଥିବା ପ୍ରକାଶ କରିଥିଲେ । ସର୍କିଟହାଉସ ଠାରେ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତନ ଏବଂ ସୁଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ସୁଡଙ୍ଗ ମଧ୍ୟରୁ ଉଦ୍ଧାର ପାଇଥିବା ଶ୍ରମିକ ଭଗବାନ ବତ୍ରାଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ସୁସ୍ଥ ଜୀବନ କାମନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଅତିରିକ୍ତଜିଲ୍ଲାପାଳ ଦାରିଦ୍ର୍ୟ ଭଂଜନ ମଦନ ମୋହନ ପାତ୍ର, ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed.