କୂଅରେ ପଡି ଅଙ୍ଗନୱାଡି ଛାତ୍ରର ମୃତ୍ୟୁ ଘଟଣା; ଗାଁରେ ପ୍ରଶାସନର ତଦନ୍ତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ତଳଗାଁ ପଞ୍ଚାୟତର ଘୋରଡାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରର ଗତ ଶୁକ୍ରବାର ଦିନ କୂଅରେ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ଜଣାପଡିବା ପରେ ଶନିବାର ଦିନ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମୃତ ଛାତ୍ରର ଗାଁକୁ ଯାଇ ତଦନ୍ତ କରିଛନ୍ତି । ଗୋଛାବାରୀ ଗ୍ରାମର ଉମାକାନ୍ତ ପ୍ରଧାନଙ୍କ ପୁଅ ଶୁଭଙ୍କର ପ୍ରଧାନ ( ୪ବର୍ଷ) ଶୁକ୍ରବାର ଦିନ ଘୋରଡାମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରକୁ ପାଠ ପଢିବାକୁ ଯାଇଥିଲେ ।

ପାଠପଢି ସାରି ଘରକୁ ଫେରୁଥିବା ବେଳେ ବାଟରେ ଥିବା ଏକ କୂଅରେ ପଡି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା । ଶନିବାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସବାଷ୍ଟିନ କୁଜୁରୁ , ହରଭଙ୍ଗା ବ୍ଳକ ଶିଶୁବିକାଶ ଅଧିକାରୀ ନିରୁପମା ପାଣି ଓ ମଣ୍ଡଳ ପରିଦର୍ଶିକା ପ୍ରମୁଖ ମୃତ ଛାତ୍ରର ଘରକୁ ତଦନ୍ତ ପାଇଁ ଯାଇଥିଲେ । କିନ୍ତୁ ମୃତ ଛାତ୍ରର ପିତା ଓ ମାତା ପୋଷ୍ଟମର୍ଟମ ପାଇଁ ବୌଦ୍ଧ ମେଡିକାଲକୁ ଯାଇଥିଲେ । ପ୍ରଶାସନର ଅଧିକାରୀ ମାନେ ମୃତ ଛାତ୍ରର ଜେଜେମା, ଦାଦା ଓ ପଡିଶାଘର ପରିବାରକୁ ଭେଟି ଥିଲେ ।

ମୃତ ଛାତ୍ରଟି ଅଙ୍ଗନୱାଡି କେନ୍ଦ୍ରରୁ ପାଠପଢି ଫେରିବା ପରେ ଖେଳିବାକୁ ଯାଇଥିବା ବେଳେ କୂଅରେ ପଡି ମୃତ୍ୟୁ ହୋଇଥିବା ପ୍ରଶାସନିକ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ଏହା ସହ ଉକ୍ତ ରାସ୍ତା କଡରେ କୂଅଟି ଖୋଲାଥିବା ଯୋଗୁଁ କୂଅ ଚାରିପାଖେ ବାଡ ଘେରାଇକୁ ଅଧିକାରୀ ମାନେ କହିଥିଲେ । ଯେପରି ଆଗକୁ ଆଉ ଏଭଳି ଅଭାବନୀୟ ଘଟଣା ନଘଟିବ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

Comments are closed.