ବିକାଶର ଆଢୁଆଳରେ ଘିଙ୍ଗିରାସାହି ଗାଁ, ଭୋଟ ବର୍ଜନ ପାଇଁ ଚେତାବନୀ

ବୌଦ୍ଧ :  ରହିବା ପାଇଁ ଘରଖଣ୍ଡେ ନାହିଁ, ଦୁଇବେଳା ଖାଇବାକୁ ବି ମିଳୁନାହିଁ।ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସରକାରଙ୍କ ବିକାଶର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି।  ଭାଗ୍ୟକୁ ଆଦରି ଜରି ପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଯୋଜନା ସେମାନଙ୍କଠାରୁ ପହଞ୍ଚି ପାରୁନଥିବାରୁ ଏହାର ପ୍ରତିବାଦରେ କିଛି ଲୋକ ଭିଟାମାଟି ଛାଡି ଚାଲିଯାଉଛନ୍ତି । ଅପରପକ୍ଷରେ କିଛି ଗ୍ରାମବାସୀ ସେମାନଙ୍କ ମୌଳିକ ସୁବିଧା ପୂରଣ ନହେଲେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସାଲୁଙ୍କୀ ନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ତଥା ଠିକ ମୁହାଣ ନିକଟରେ ରହିଛି ବୌଦ୍ଧ ଜିଲା ସଦର ବ୍ଲକର ଖୁଣ୍ଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଘିଙ୍ଗିରାସାହି ଗାଁ । କୈାଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ, ବରଂ ଜିଲା ସଦରମହକୁମାଠାରୁ ମାତ୍ର ୭ କିଲୋମିଟର ଦୂରରେ ଅବସ୍ଥିତ ଘିଙ୍ଗିରାସାହି ଗାଁ । ସଦର ମହକୁମାଠାରୁ ସିନା ଗାଁଟି ପାଖରେ ଅଛି ହେଲେ ଗାଁର ଅବସ୍ଥା କହିଲେ ନସରେ । ଦୀପତଳ ଅନ୍ଧାର ଉକ୍ତି ଭଳି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି ଏହି ଗ୍ରାମବାସୀ ।

prayash

ଘିଙ୍ଗିରାସାହି ଗାଁରେ ଘିଙ୍ଗିରା ସଂପ୍ରଦାୟର ଲୋକେ ଶହ ଶହ ବର୍ଷ ଧରି ବସବାସ କରିବା ସହିତ ସେମାନଙ୍କ ପାରମ୍ପରିକ ବୃତ୍ତି ନଦୀରୁ ମାଛ ଧରିବା ସହ ସାରୁ ଚାଷ କରି ଜୀବିକା ନିର୍ବାହ କରିଆସୁଛନ୍ତି । କିନ୍ତୁ ଆଶ୍ଚର୍ୟ୍ୟର କଥା ଜିଲା ସଦରମହକୁମାଠାରୁ ଅଳ୍ପ ଦୂରରେ ଥିବା ଏହି ଗାଁଟି ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି ।

ଗାଁକୁ ସଂଯୋଗ କରୁଥିବା ରାସ୍ତାଟି ସାଲୁଙ୍କୀ ନଦୀ କୂଳରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ବର୍ଷା ଦିନେ ଗାଁର ଚତୁଃର୍ପାଶ୍ବକୁ ବନ୍ୟା ଜଳ ଘେରି ରହୁଛି । ଏଠାରେ ଅଧିକାଂଶ ପରିବାର ଆବାସ ଯୋଜନାରୁ ବଞ୍ଚିତ ଥିବା ବେଳେ ଅନେକ ପରିବାର ବିଦ୍ୟୁତ ସେବାରୁ ମଧ୍ୟ ବଞ୍ଚିତ ରହିଛନ୍ତି । ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ଗାଆଁରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଉଛି । ତେଣୁ ଧିରେ ଧିରେ ଏହି ଗାଁଠାରୁ ଭିଟାମାଟି ଛାଡି ଅନେକ ପରିବାର ଅନ୍ୟତ୍ର ଚାଲିଗଲେଣି ।

ନିର୍ବାଚନ ଋତୁରେ ଏଠାକାର ଅଧିବାସୀଙ୍କୁ ପ୍ରତିଶ୍ରୁତିରେ ପୋତି ଦିଆଯାଇଥାଏ । କିନ୍ତୁ ଭୋଟ ସରିଲେ ସମସ୍ତେ ଯେପରି ଏହି ଗ୍ରାମବାସୀଙ୍କ ଦୁଃଖକୁ ଭୁଲି ଯାଇଥାନ୍ତି । ବର୍ତ୍ତମାନ ପୁଣିଥରେ ନିର୍ବାଚନ ସମୟ ପହଞ୍ଚି ଯାଇଥିବା ବେଳେ ଏଠାରେ କିନ୍ତୁ ମତଦାନ ପାଇଁ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ କୌଣସି ଆଗ୍ରହ ନାହିଁ । ଓଲଟା ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

Comments are closed.