ପୌରନିର୍ବାଚନ ପାଇଁ ବାଜିଲା ବିଗୁଲ , ରାଜନୈତିକ ଦଳଙ୍କ ପ୍ରସ୍ତୁତି ଆରମ୍ଭ
ବୌଦ୍ଧ: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ପୌର ନିର୍ବାଚନ ବିଗୁଲ ବାଜିଲା ପରେ ବୌଦ୍ଧରେ ନେତା ପାଗଭିଡା ଆରମ୍ଭ କରିଦେଇଛନ୍ତି। ଜିଲାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସେମାନଙ୍କ ପ୍ରସ୍ତୁତି ପର୍ବ ଆରମ୍ଭ କରିଦେଲେଣି। ଆଜି ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୪ ତାରିଖ ଘୋଷଣା ହେବା ସହ ପରିଷଦ ଗୁଡିକର ଅଧ୍ୟକ୍ଷ ପଦ ଗୁଡିକ ପ୍ରତ୍ୟକ୍ଷ ନିର୍ବାଚନ ହେବ ବୋଲି ଘୋଷଣା କରାଯାଇଥିଲା । ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ସମୟ ରହିଛି। ଏଥର ଅଧ୍ୟକ୍ଷ ପଦବି ପ୍ରତ୍ୟକ୍ଷ ନା ପରୋକ୍ଷରେ ହେବ ନେଇ ଯେଉଁ ସନ୍ଦେହ ରହିଥିଲା ତାହା ଦୂର ହୋଇଛି । ବୌଦ୍ଧଗଡ ଏନଏସି ଅଧ୍ୟକ୍ଷ ଆସନଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ସେପଟେ ଆଶାୟୀ ଅଧ୍ୟକ୍ଷମାନେ ଲବି ଆରମ୍ଭ କରିଦେଇଛନ୍ତି। ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭ଟି ୱାର୍ଡ ରହିଥିବାବେଳେ ଭୋଟର ସଂଖ୍ୟା ୧୫,୭୧୦ ।
ସେଥିମଧ୍ୟରୁ ପୁରୁଷ ଭୋଟ ସଂଖ୍ୟା ୭,୭୯୮, ମହିଳା ଭୋଟର ୭,୯୧୨ ରହିଥିବା ଜଣାପଡିଛି। ବୌଦ୍ଧଗଡ ଏନଏସି କ୍ରମାଗତ ତୃତୀୟ ଥର ବିଜୁ ଜନତା ଦଳର ଦଖଲରେ ରହିଛି । ଏଥର ମଧ୍ୟ ଦଳ ହାତେଇବା ନେଇ ଆଶାବଦୀ ରହିଛି। ସେପଟେ ବିଜେପି କେବେ ମଧ୍ୟ ଅଧ୍ୟକ୍ଷ ଆସନ ହାତେଇ ନ ଥିବା ବେଳେ ଏଥର ଏନଏସିରେ ଭୋଟ ବ୍ୟାଙ୍କ ଦିନକୁ ଦିନ ବୃଦ୍ଧି ପାଉଛି। ଯାହାକୁ ନେଇ ଦଳ ନିର୍ବାଚନ ଜିତି ପାରିବ ବୋଲି ଦଳିୟ ନେତାମାନେ ଆଶା କରୁଛନ୍ତି । ସେହିପରି କଂଗ୍ରେସ ତାର ପୂର୍ବସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ କରିବ। ୨୦୧୩ ନିର୍ବାଚନରେ ବିଜେଡି ଏକାକି ୧୧ଟି ୱାର୍ଡ ଜିତି ଅଧ୍ୟକ୍ଷ ପଦ ହାତେଇ ଥିବା ବେଳେ କଂଗ୍ରେସ ୪ଟି ୱାର୍ଡରେ ବିଜୟ ହୋଇଥିବା ବେଳେ ସ୍ୱାଧିନ ପ୍ରର୍ଥୀ ୨ ୱାର୍ଡରେ ବିଜୟ ହୋଇଥିଲେ। ଏଥର ଅଧ୍ୟକ୍ଷ ପଦବିଟି ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ୱାର୍ଡମେମ୍ବର ପଦବିର ଗୁରୁତ୍ୱ କମି ଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Comments are closed.