ବୌଦ୍ଧ: ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ଜିଲା ତାଲିମ କେନ୍ଦ୍ରଠାରେ ବିଶ୍ୱ ଏଡସ୍ ଦିବସ-୨୦୨୧ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଲଲାଟନ୍ଦେୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ, ଏଏନ୍ଏମ୍ ତାଲିମ୍ କେନ୍ଦ୍ରର ଛାତ୍ରୀମାନେ ଯୋଗ ଦେଇଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶ ଏଡସ୍ ରୋଗୀଙ୍କ ପ୍ରତି ସାଧାରଣରେ ସୁମନୋଭାବ ପୋଷଣ କରିବାପାଇଁ ଆହ୍ୱାନ କରିଥିଲେ। ଜିଲା ସମନ୍ୱିତ ପରୀକ୍ଷା ଓ ପରାମର୍ଶ କେନ୍ଦ୍ରର ଅଧିକାରୀ ଡା. ମଳୟ କୁମାର ସାହୁ ଜିଲାରେ ଏଡସ୍ର ସ୍ଥିତି ଉପରେ ବକ୍ତବ୍ୟ ରଖିଥିଲେ। ୨୦୦୮ ମସିହା ଠାରୁ ଅଦ୍ୟାବଧି ବୌଦ୍ଧ ଜିଲ୍ଲାରେ ମୋଟ ୫୬ ଜଣ ଏଡସ୍ ରୋଗୀଙ୍କୁ ଚିହ୍ନଟ କରାଯାଇ ଅଛି। ସେଥିମଧ୍ୟରୁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଅନ୍ୟ ୪୬ ଜଣଙ୍କୁ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିୟମିତ ଚିକିତ୍ସା ଓ ଓøଷଧ ପ୍ରଦାନ କରାଯାଉଅଛି। ଜିଲାର ୪୬ ଜଣ ରୋଗୀଙ୍କ ମଧ୍ୟରୁ ୩୩ ଜଣ ପୁରୁଷ, ୨୩ ଜଣ ମହିଳା ଅଛନ୍ତି ଓ ସେଥିମଧ୍ୟରୁ ୨ ଜଣ ଗର୍ଭବତୀ ତଥା ୬ ଜଣ ପ୍ରସୂତି ବୋଲି ଜଣା ପଡ଼ିଛି। ତୃଣମୂଳ ସ୍ତରରେ ଏଡସ୍ ରୋଗ ପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି। ଜିଲା ପରିବାର କଲ୍ୟାଣ ଅଧିକାରୀ, ଡା. ଭଂଜକିଶୋର ରାମଚନ୍ଦ୍ର ଦେଓ ହେମ୍ରମ୍ ଗ୍ରାମାଂଚଳରେ ପ୍ରତ୍ୟେକ ସ୍ଥିରିକୃତ ମମତା ଦିବସ ଗୁଡ଼ିକରେ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସମସ୍ତ ଗର୍ଭବତୀ ମହିଳାଙ୍କ ଏଚ୍ ଆଇଭି ପରୀକ୍ଷା କରାଯାଉଥିବାର ସୂଚନା ଦେଇଥିଲେ।
ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ସମସ୍ତ ଯକ୍ଷ୍ମାରୋଗୀ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ ବାଧ୍ୟତାମୂଳକ ଭାବେ ଏଚ୍ ଆଇଭି ପରୀକ୍ଷା କରିବା ନିମନ୍ତେ ବ୍ୟବସ୍ଥା କରାଯାଇଅଛି ବୋଲି ଜଣାଇଥିଲେ। ଜିଲା ସମନ୍ୱିତ ପରୀକ୍ଷା କେନ୍ଦ୍ରର ପରାମର୍ଶଦାତା ବନୋଜ କୁମାର ପ୍ରଧାନ ଏଡସ୍ ରୋଗୀଙ୍କ ଉପଯୁକ୍ତ ଥଇଥାନ ନିମନ୍ତେ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ଯଥା, ମଧୁବାବୁ ପେନସନ୍, ବିଜୁ ପକ୍କାଘର, ମୋ କୁଡ଼ିଆ, ଜାତୀୟ ପରିବାର କଲ୍ୟାଣ ଆଦି ଯୋଜନାରେ ସହାୟତା ପ୍ରଦାନ କରାଯାଉଥିବାର ସୂଚନା ଦେଇଥିଲେ। ଏଚ୍ ଆଇଭି ଓ ଏଡସ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପ୍ରତି ସହଯୋଗ ଓ ଏ ନେଇ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଜିଲାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚଳିତ ଡିସେମ୍ବର ୧ ତାରିଖରୁ ୧୫ ଦିନ ଧରି ଜିଲାର ବିଭିନ୍ନ ବିଦ୍ୟାଳୟ ଓ କଲେଜ୍ ଗୁଡ଼ିକରେ ସାଧାରଣ ସଭା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ତର୍କ, ପ୍ରବନ୍ଧଲିଖନ ଆଦି ପ୍ରତିଯୋଗିତା କରାଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର, ଡିପିଏମ୍ ରୂପକ ମହାପାତ୍ର, ଜିଲା ସମନ୍ୱିତ ପରୀକ୍ଷା ଓ ପରାମର୍ଶ କେନ୍ଦ୍ର ବୌଦ୍ଧ ଓ ମନମୁଣ୍ଡାର ପରାମର୍ଶଦାତା ଗୀତାଂଜଳି ସାହୁ, ମୀନାକ୍ଷୀ ସ୍ୱାଇଁ, ଅହନାର ଜିଲା ସଂଯୋଜକ ସମୀର ମହାକୁଡ଼, ଜିଲାର ଅନେକ ବୁଦ୍ଧିଜିବୀ, ଗଣମାଧ୍ୟମର ପ୍ରତିନିଧି ତଥା ସ୍ୱାସ୍ଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ।



